ହାଇଦ୍ରାବାଦ: ମୁମ୍ବାଇର ମୀରା ଭାୟାଣ୍ଡାର-ଭାସାଇ-ବୀରାର (MBVV) ପୋଲିସ ହାଇଦ୍ରାବାଦର ଚେରଲାପଲ୍ଲୀ ଅଞ୍ଚଳରେ ଚଢଉ କରି ଏକ ବଡ ଧରଣର ଡ୍ରଗ୍ସ କାରବାରର ଫର୍ଦ୍ଧାଫାଶ କରିଛି। ଏହି ଅଭିଯାନରେ ପ୍ରାୟ ୧୨,୦୦୦ କୋଟି ଟଙ୍କାର ମେଥାଇଲେନେଡିଓକ୍ସି-ମେଥାମ୍ଫେଟାମାଇନ୍ (MD) ଜବତ କରିଛି। ଏହି ଅଭିଯାନ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ ୟୁନିଟ୍ ୪ ଦ୍ଵାରା ପରିଚାଳିତ ହୋଇଥିଲା। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ଫ୍ୟାକ୍ଟ୍ରୀ ମାଲିକ ଶ୍ରୀନିବାସ ବିଜୟ ମୂର୍ତ୍ତି ବୋଲେଟି ଏବଂ ତାଙ୍କ ସହଯୋଗୀ ତନାଜୀ ପାଣ୍ଡାରିନାଥ ପାଟୱାରୀ ମଧ୍ୟ ସାମିଲ ରହିଛନ୍ତି।
ଏହି ଅଭିଯାନ ଗତ ଅଗଷ୍ଟ ୮ ତାରିଖରେ ମୁମ୍ବାଇରେ ଜଣେ ୨୩ ବର୍ଷୀୟ ବାଂଲାଦେଶୀ ମହିଳା ଫାତିମା ମୁରାଦ ଶେଖଙ୍କୁ ଗିରଫ କରାଯିବା ପରେ ଆରମ୍ଭ ହୋଇଥିଲା। ତାଙ୍କଠାରୁ ପୋଲିସ ୧୦୦ ଗ୍ରାମ MD ଏବଂ ୨୫ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା। ତଦନ୍ତ ମାଧ୍ୟମରେ ଜଣାପଡ଼ିଥିଲା ଯେ ସେ ତେଲଙ୍ଗାନାର ଚେରଲାପଲ୍ଲୀସ୍ଥିତ ଏକ ଫ୍ୟାକ୍ଟ୍ରୀରୁ ଡ୍ରଗ୍ ପରିବହନ କରୁଥିଲେ। ଏହା ପରେ ପୋଲିସ ଚେରଲାପଲ୍ଲୀର ନବୋଦୟ କଲୋନୀରେ ଥିବା ‘ବାଗଦେବୀ ଲ୍ୟାବ୍ସ’ ନାମକ ଏକ କେମିକାଲ ଫ୍ୟାକ୍ଟ୍ରୀ ଉପରେ ଚଢ଼ାଉ କରିଥିଲା। ଯାହା ବାହାରୁ ବୈଧ ଦେଖାଯାଉଥିଲେ ମଧ୍ୟ ଏହା ଏକ ବୃହତ୍ ଡ୍ରଗ୍ ଉତ୍ପାଦନ କେନ୍ଦ୍ର ଥିଲା।
ଚଢ଼ାଉ ସମୟରେ ପୋଲିସ ୫.୭୯ କିଲୋଗ୍ରାମ MD, ୩୫,୫୦୦ ଲିଟର ରାସାୟନିକ ପଦାର୍ଥ ଏବଂ ଡ୍ରଗ୍ ଉତ୍ପାଦନ ପାଇଁ ବ୍ୟବହୃତ ଅତ୍ୟାଧୁନିକ ସାମଗ୍ରୀ ଜବତ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଫ୍ୟାକ୍ଟ୍ରୀ ବର୍ଷ ବର୍ଷ ଧରି ଚାଲି ଆସୁଥିଲା ଏବଂ ଏହାର ଅଧିକାଂଶ ଡ୍ରଗ୍ ମୁମ୍ବାଇ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥାନୀୟ ଅପରାଧୀ ଓ ଏଜେଣ୍ଟମାନଙ୍କ ମାଧ୍ୟମରେ ଯୋଗାଣ ହେଉଥିଲା।
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ଅଭିଯାନ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ନାର୍କୋଟିକ୍ସ ଯୋଗାଣ ଶୃଙ୍ଖଳା ଉପରେ ଏକ ବଡ଼ ଆଘାତ ସୃଷ୍ଟି କରିଛି। ତେବେ ଏହି ଘଟଣା ନେଇ ତଦନ୍ତ ଜାରି ରହିଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।