ମାଣତ୍ରୀ, ୧୨/୦୯: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଭୀମଦା ଗାଁରେ ଘଟିଛି ଏହ ଲୋମଟାଙ୍କୁରା ଅଘଟଣ । ଶୁକ୍ରବାର ସକାଳୁ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଆହତ ମହିଳା ଜଣକ ବଡ଼ସାହି ଥାନା ଭୀମଦା ଗାଁର ଶତୃଘ୍ନ ମଣ୍ଡଳଙ୍କର ସ୍ତ୍ରୀ କୁଞ୍ଜଲତା ମଣ୍ଡଳ(୬୦) ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଖବର ମୁତାବକ, ବିସ୍ଫୋରଣ ଘଟିବାର ପ୍ରାୟ ଚାରି ଘଣ୍ଟା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଘଟଣା ଘଟିଥିବା ସ୍ଥାନରୁ ସମସ୍ତ ପ୍ରକାର ପ୍ରମାଣ ନଷ୍ଟ କରିଦିଆଯାଇଥିଲା। ଘଟଣା ସ୍ଥଳରେ ମହଜୁଦ ଥିବା ବାରୁଦ ସମେତ ବାଣ ତିଆରିରେ ଲାଗୁଥିବା ସମସ୍ତ ପ୍ରକାର ଜିନିଷକୁ ପାଖରେ ଥିବା ନଦୀ ଓ ଉଦ୍ୟାନ କୃଷିର ସମନ୍ୱିତ ବିକାଶ ପାଇଁ ହୋଇଥିବା ପୋଖରୀରେ ଫିଙ୍ଗି ଦିଆଯାଇଥିଲା।
ହେଲେ ନଦୀ ତଟରେ ମିଳିଥିବା ଏକ ଅଖାରୁ ବଡ଼ସାହି ପୋଲିସ ବାଣ ତିଆରିରେ ବ୍ୟବହୃତ ହେଉଥିବା କିଛି ଜିନିଷ ଜବତ କରିଛି। ଉଦ୍ୟାନ କୃଷିର ସମନ୍ୱିତ ବିକାଶ ପାଇଁ କରାଯାଇଥିବା ଏହି ଫାର୍ମ ଟି ନାମକୁ ମାତ୍ର ତିଆରି ହୋଇଥିବା ବେଳେ ଏହାର ପଛ ପଟେ ବାଣ ତିଆରି କାରଖାନା ବେଧଡକ ଭାବେ ଚାଲୁଥିଲା। ହେଲେ ଏନେଇ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି। ଘଟଣାସ୍ଥଳରେ ବଡ଼ସାହି ପୋଲିସ ଅଧିକ ତଦନ୍ତ ପାଇଁ ସାଇଟିଫିକ ଟିମକୁ ପହଞ୍ଚିବା ପାଇଁ ସୂଚନା ଦେଇଥିବା ନେଇ ମତ ପ୍ରକାଶ କରିଛି।