ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ‘ଆଇ ଲଭ ମହମ୍ମଦ’ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ବରେଲିରେ ୪୮ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ରହିବା ସହ ଲୋକମାନଙ୍କ ଚଳାଚଳ ଉପରେ ରୋକ ଲଗାଯାଇଛି। ତେବେ ଶୁକ୍ରବାରର ପ୍ରାର୍ଥନା ସଭାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଅନେକ ସୁରକ୍ଷା କର୍ମୀଙ୍କୁ ଉକ୍ତ ଅଞ୍ଚଳରେ ନିୟୋଜିତ କରିଛି।
ଆପଣଙ୍କୁ ଜଣାଇରଖୁ ଯେ, ଗତ ସପ୍ତାହରେ ବରେଲିରେ ହୋଇଥିବା ଶୁକ୍ରବାର ପ୍ରାର୍ଥନା ସଭାପରେ ‘ଆଇ ଲଭ ମହମ୍ମଦ’ ପୋଷ୍ଟର ବିବାଦକୁ ନେଇ ହିଂସା ପରିଲକ୍ଷିତ ହୋଇଥିଲା। ଯେଉଁଥିରେ ପାଖାପାଖି ୨ ହଜାରରୁ ଅଧିକ ପ୍ରଦର୍ଶନକାରୀ ମସଜିଦ ବାହାରେ ମୁତୟନ ଥିବା ପୋଲସ କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପୋଲିସ ଏହି ହିଂସାକୁ ଅଟକାଇବାରେ ସକ୍ଷମ ହେବା ସହ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ୮୧ ଜଣଙ୍କୁ ଗିରଫ କରିଥିଲା।
ଏହି ବିବାଦ ସହ ପାର୍ବଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଚାରିଟି ଜିଲ୍ଲାରେ ଆସନ୍ତା ଅକ୍ଟୋବର ୪ ତାରିଖ ଅପରାହ୍ନ ୩ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏନେଇ ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସାମ୍ପ୍ରଦାୟିକ ହିଂସା ଜାରି ରହିଛି। ଏଣୁ ଫେସବୁକ, ୟୁଟ୍ୟୁବ ଓ ହ୍ୱାଟସଆପ ଭଲି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଗୁଜବ ପ୍ରସାରିତ ହେବାର ସମ୍ଭାବନା ରହିଛି। ଏହାକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ, SMS ସେବା, ମୋବାଇଲ୍ ଇଣ୍ଟରନେଟ୍ ଏବଂ ଡାଟା, ବ୍ରଡବ୍ୟାଣ୍ଡ ଏବଂ ୱାୟାରଲେସ୍ ସଂଯୋଗ ସ୍ଥଗିତ ରହିବ ବୋଲି ଗୃହ ସଚିବ ଗୌରବ ଦୟାଲଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଇଣ୍ଟରନେଟ୍ ସେବା ବନ୍ଦ କରିବା ବ୍ୟତୀତ ପୋଲିସ ବରେଲିରେ ପ୍ରୋଭିନ୍ସିଆଲ୍ ଆର୍ମଡ୍ କନଷ୍ଟାବୁଲରୀ (PAC) ଏବଂ ରାପିଡ୍ ଆକ୍ସନ୍ ଫୋର୍ସ (RAF) କର୍ମଚାରୀମାନଙ୍କୁ ନିୟୋଜିତ କରିଛି। ଉକ୍ତ ସୁରକ୍ଷା କର୍ମୀମାନେ ରାସ୍ତାରେ ମାର୍ଚ୍ଚ କରିବା ସହ ଡ୍ରୋନ୍ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି।
"ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ଡେପୁଟି କଲେକ୍ଟର, ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଗମ୍ଭୀରତାର ସହ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ଉଚିତ। ଯେକୌଣସି ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," ବୋଲି ଡିଭିଜନାଲ୍ କମିଶନର ଭୂପେନ୍ଦ୍ର ଏସ୍ ଚୌଧୁରୀ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବରେଲିକୁ ଚାରୋଟି ସୁପର ଜୋନ୍ ଏବଂ ଚାରୋଟି ସ୍ୱତନ୍ତ୍ର ଜୋନ୍ ରେ ବିଭକ୍ତ କରାଯାଇଛି ଏବଂ ସେହି ଅନୁଯାୟୀ ଫୋର୍ସ ମୁତୟନ କରାଯାଇଛି ବୋଲି ବରେଲିର ଏସଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଅଞ୍ଚଳର ଧାର୍ମିକ ନେତାମାନଙ୍କୁ ନମାଜ ପରେ ସିଧାସଳଖ ଘରକୁ ଯିବାକୁ କୁହାଯାଇଛି। ବରେଲି ବ୍ୟତୀତ, ଉତ୍ତର ପ୍ରଦେଶର ଶାହଜାହାନପୁର, ପିଲିଭିତ ଏବଂ ବୁଦାଉନ୍ ଜିଲ୍ଲା ପାଇଁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।
ସୂଚନା ମୁତାବକ, 'ଆଇ ଲଭ୍ ମହମ୍ମଦ' ଅଭିଯାନକୁ ସମର୍ଥନ କରି ମୌଲବୀ ତୌକିର ରଜା ଖାନଙ୍କ ଦ୍ୱାରା ଏକ ପ୍ରଦର୍ଶନ ଡାକରା ଗତ ସପ୍ତାହରେ ବରେଲିରେ ବ୍ୟାପକ ହିଂସା ସୃଷ୍ଟି କରିଥିଲା। ପ୍ରଦର୍ଶନରେ ଯୋଗଦେବା ପାଇଁ ସହରର ଏକ ମସଜିଦ ବାହାରେ ପ୍ରାୟ ୨ ହଜାର ଲୋକ ଏକତ୍ରିତ ହୋଇଥିଲେ। ତେବେ, କର୍ତ୍ତୃପକ୍ଷ ଅନୁମତି ନଦେବାରୁ ରଜା ଶେଷ ମୁହୂର୍ତ୍ତରେ ପ୍ରଦର୍ଶନକୁ ବାତିଲ କରିବା ନେଇ ଘୋଷଣା କରିଥିଲେ। ପ୍ରଦର୍ଶନ ବାତିଲ ହେବା ଖବର ଜାଣି, ଜମା ହୋଇଥିବା ଲୋକମାନେ ହିଂସା ଆରମ୍ଭ କରିଦେଇଥିଲେ। ହିଂସାକାରୀମାନେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ଉପରେ ପଥର ଫିଙ୍ଗିଥିଲେ। ଯେଉଁଥିପାଇଁ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ, ଯାହା ପରେ ଭଯଙ୍କର ସଂଘର୍ଷରେ ପରିଣତ ହୋଇଥିଲା।
ତେବେ ଚଳିତ ସପ୍ତାହ ଶୁକ୍ରବାର ନମାଜ ପୂର୍ବରୁ, ଆଲ୍ଲା ହଜରତ ଦରଗାର ବରିଷ୍ଠ ଧର୍ମଗୁରୁ ମୌଲାନା ଅହସାନ ରଜାନ ଖାନ ଶାନ୍ତି ପାଇଁ ଅପିଲ କରିଥିଲେ। ସ୍ଥାନୀୟ ମୁସଲମାନମାନଙ୍କୁ ନମାଜ ପାଠ କରିବା ପରେ ଶାନ୍ତି ସହ ଘରକୁ ଫେରିବାକୁ ସେ ଅନୁରୋଧ କରିଥିଲେ।