କାନବେରା, ୨୯/୧୦ : ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ବିଶ୍ୱର ଦୁଇ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦଳ ଏହି ସିରିଜ ଜରିଆରେ ଶକ୍ତି ପରୀକ୍ଷା କରିବେ । ଫଳରେ ପ୍ରତ୍ୟେକ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ । ଭାରତୀୟ କ୍ରିକେଟ୍ ପ୍ରେମୀ ରୋହିତ ଓ କୋହଲିଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଭୁଲି ପାରିନଥିବାବେଳେଆଜି ଯୁବ ତାରକାମାନଙ୍କ ବ୍ୟାଟ୍ରୁ ବିସ୍ଫୋରଣ ଦେଖିବାକୁ ପାଇବେ । ଅଷ୍ଟ୍ରେଲିଆ ମଧ୍ୟ ଜୋରଦାର ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ପରଠୁ ଉଭୟ ଦଳ ଏହି ଛୋଟ ଫର୍ମାଟ୍ରେ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗତ ବର୍ଷକ ମଧ୍ୟରେ ଅନେକ କିଛି ବଦଳି ଯାଇଛି । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜାଙ୍କ ଭଳି ମହାନ ଖେଳାଳି ଭାରତୀୟ ଦଳରେ ନାହାନ୍ତି । ମାତ୍ର ତାଙ୍କ ସ୍ଥାନରେ ଆସିଥିବା ଯୁବ ତାରକା ବିଧ୍ୱଂସୀ ବ୍ୟାଟିଂ କରି ଆତଙ୍କ ଖେଳାଇଛନ୍ତି । ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱକପ୍ ପରଠୁ ଏହି ଫର୍ମାଟ୍ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ।
ମିଚେଲ ମାର୍ଶଙ୍କ ନେତୃତ୍ୱରେ ଟି-ଟ୍ୱେଣ୍ଟି ଦଳ ମଧ୍ୟ ରାଜୁତି ଜାରି ରଖିଛି । ମାର୍ଶଙ୍କ ଦଳ ଖେଳିଥିବା ୨୦ଟି ଟି-ଟ୍ୱେଣ୍ଟିରୁ ମାତ୍ର ୨ଟି ମ୍ୟାଚ୍ ହାରିଛି । ଆଜି ଉଭୟ ଦଳର ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ ସାଜିବ । ମାତ୍ର ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବ । ସେ ଗତ ଏସିଆ କପ୍ରେ ଭାରତକୁ ଚାମ୍ପିଅନ୍ କରାଇଥିଲେ । ମାତ୍ର ବ୍ୟାଟର ଭାବେ ସେଭଳି ସଫଳ ହୋଇପାରି ନଥିଲେ । ଏଥର ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ଅଷ୍ଟ୍ରେଲିଆର ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ଆଡାମ ଜାମ୍ପା ଏହି ସିରିଜ ଖେଳୁ ନାହାନ୍ତି । ଫଳରେ ତାଙ୍କ ସ୍ଥାନକୁ ନେଇ କିଛି ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ୱଭାବିକ । ବାମ ହାତି ସ୍ପିନର ମାଟ କୁହ୍ନେମନ ଏହି ସ୍ଥାନ ନେବା ଆଶା କରାଯାଉଛି । ୨୦୦୮ ଠାରୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ଘରୋଇ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ କୌଣସି ଟି-ଟ୍ୱେଣ୍ଟି ସିରିଜ ଜିତି ନାହିଁ । ୨୦୨୦ରେ ଭାରତ ଏଠାରେ ଏକ ଟି-ଟ୍ୱେଣ୍ଟି ଖେଳିଥିଲା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ମାନୁକା ଓଭାଲ ଗ୍ରାଉଣ୍ଡର ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିଥାଏ । ମାତ୍ର ଆସନ୍ତାକାଲି ପେସ୍ ବୋଲରମାନେ ପିଚର ଫାଇଦା ଉଠାଇ ପାରିବେ । ସ୍ଥାନୀୟ ତାପମାତ୍ରା ୧୦ଡିଗ୍ରୀରୁ କମ୍ ରହିବ । ଦିନ ବେଳା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଅପରାହ୍ଣରେ ମ୍ୟାଚ୍ ରହିଥିବାରୁ ବର୍ଷା ବାଧା ଉପୁଯାଇବ ନାହିଁ ।
ସମ୍ଭାବ୍ୟ ଦଳ ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହ, ଅକ୍ଷର ପଟେଲ, ଶିବମ ଦୁବେ/ହର୍ଷିତ ରାଣା, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ: ମିଚେଲ ମାର୍ଶ (ଅଧିନାୟକ), ଟ୍ରେଭିସ୍ ହେଡ୍, ଜୋସ ଇଂଲିଶ, ଟିମ ଡେଭିଡ୍, ଜୋସ ଫିଲିପ, ମିଚେଲ ଓଏନ, ମାର୍କସ ଷ୍ଟଇନିସ, ସିନ ଆବୋଟ୍/ଜାଭିୟର ବାର୍ଟଲେଟ୍, ନାଥାନ ଏଲିସ, ମାଟ କୁହ୍ନେମନ, ଜୋସ ହାଜେଲଉଡ୍ ।