ନୂଆଦିଲ୍ଲୀ,୧୨/୧୦: ରାଜଧାନୀ ଦିଲ୍ଲୀର ୟଶୋଭୂମିଠାରେ ଅକ୍ଟୋବର ୮ରୁ ଆରମ୍ଭ ୪ ଦିନିଆ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୫ ଶନିବାର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ସୋଆର ୫-ଜି ଲ୍ୟାବ୍ ଦ୍ୱାରା ପ୍ରସ୍ତୁତ ୩ଟି ଷ୍ଟାର୍ଟଅପ୍ ମଡେଲ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ଉଦ୍ୟୋଗ ଜଗତ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଅନେକ ବିଶିଷ୍ଟ ପ୍ରତିନିଧିଙ୍କ ସମେତ ଭାରତ ଓ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସୋଆ ଷ୍ଟଲ୍କୁ ଦେଖିବା ପାଇଁ ଆସିଥିଲେ । ସେମାନେ ସୋଆର ନିର୍ଦ୍ଦେଶକ ମାନସ କୁମାର ମଲ୍ଲିକ, ସୋଆ ୫-ଜି ଲ୍ୟାବ୍ର ସଂଯୋଜକ ଆସୋସିଏଟ ପ୍ରଫେସର ଭାରତ ଜ୍ୟୋତିରଞ୍ଜନ ସାହୁ, ସୋଆ ସଂସ୍ଥାପକ ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ଓଏସ୍ଡି ପ୍ରୀତମ ନାୟକ ଓ ଅନ୍ୟ ପ୍ରତିନିଧିମାନଙ୍କ ସହ ସୋଆରେ ଚାଲିଥିବା ବିଭିନ୍ନ ଗବେଷଣା ଓ ନବସୃଜନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି ଜି ସୀତାରାମ ସୋଆ ଷ୍ଟଲ୍କୁ ଦେଖିବା ପାଇଁ ଆସିଥିଲେ । ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୫ର ପ୍ରଦର୍ଶନୀ ଶେଷ ହେବା ପରେ ସୋଆର ନିର୍ଦ୍ଦେଶକ ମାନସ କୁମାର ମଲ୍ଲିକ ପ୍ରମେୟକୁ କହିଥିଲେ ଯେ, ୪ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ସୋଆ ଷ୍ଟଲ୍କୁ ଆସିଥିଲେ । ସୋଆ ଗତ ତିନି ବର୍ଷ ହେଲା କ୍ରମାଗତ ଭାବେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଯୋଗଦେଇ ଆସୁଛି । ଏହାଦ୍ୱାରା ବହୁ ଶିକ୍ଷାନୁଷ୍ଠାନ ଓ ଉଦ୍ୟୋଗ ଏକ ପ୍ଳାଟ୍ଫର୍ମରେ ଆସିବାର ସୁଯୋଗ ମିଳୁଛି । ସେମାନଙ୍କ ସହ ଆମକୁ ବିଚାରବିମର୍ଶ କରିବା ସମ୍ଭବ ହୋଇପାରୁଛି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଷ୍ଟାର୍ଟଅପ୍ ମଡେଲ ପ୍ରସଙ୍ଗରେ ଆମେ ଅଧିକ ସୂଚନା ପାଇପାରୁଛୁ । ଏହାଫଳରେ ସୋଆରେ ଗବେଷଣା ଓ ନବସୃଜନକୁ ଆହୁରି ଅଧିକ ସକ୍ରିୟ କରିବା ଲାଗି ଆମକୁ ବିଶେଷ ଭାବେ ପ୍ରେତ୍ସାହନ ମିଳିଛି ବୋଲି ସେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ସୋଆ ଏଥିଲାଗି ଅଧିକ କାର୍ଯ୍ୟ କରିବ ବୋଲି ସେ କହିଥିଲେ ।