ନୂଆଦିଲ୍ଲୀ, ୭/୧୦ : କାଶ୍ମୀର ପ୍ରସଙ୍ଗ ଉଠାଇ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ପାକିସ୍ତାନ ବେଜିତ୍। ମିଳିତ ଜାତିସଙ୍ଘରେ ଆଇନା ଦେଖାଇଲା ଭାରତ। ପଦାରେ ପଡ଼ିଲା ପାକିସ୍ତାନୀ ସେନାର କଳା ଇତିହାସ। ଅପରେସନ ସର୍ଚଲାଇଟ୍ କଥା ମନେ ପକାଇଦେଲା ଭାରତ। ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହରିଶ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ସେହି ଦେଶ, ଯିଏ ୧୯୭୧ରେ ଅପରେସନ ସର୍ଚଲାଇଟ କରିଥିଲା। ପାକ୍ ସେନା ଦ୍ଵାରା ୪ ଲକ୍ଷ ମହିଳାଙ୍କୁ ଯୌନ ଉତ୍ପୀଡ଼ନା କରାଯାଇଥିଲା। ମହିଳାମାନଙ୍କୁ ସାମୂହିକ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ନିଜ ଦେଶର ଲୋକଙ୍କ ଉପରେ ବମ୍ ବର୍ଷା କରି ପାକିସ୍ତାନ ନରସଂହାର କରେ। ଆଉ ନିଜ କତ୍ତୃତ୍ଵ ଲୁଚାଇବାକୁ ଦୁନିଆ ସାମ୍ନାରେ କାଶ୍ମୀର ପ୍ରସଙ୍ଗରେ ବିଳିବିଳାଏ। ଦୁର୍ଭାଗ୍ୟର ବିଷୟ ପ୍ରତି ବର୍ଷ ଆମକୁ ଭାରତ ବିରୋଧରେ ପାକିସ୍ତାନର ମିଛ ଆରୋପ ଶୁଣିବାକୁ ପଡ଼ୁଛି। ପାକିସ୍ତାନ ବାରମ୍ଵାର ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଉଛି, ହେଲେ ନିଜେ ଭାରତର କିଛି ଅଞ୍ଚଳରେ ଜୋର ଜବରଦସ୍ତି କବ୍‌ଜା କରି ବସିଛି।

​​​​​​​ସୂଚନା ଥାଉକି, ୟୁଏନରେ ପାକିସ୍ତାନର ସ୍ଥାୟୀ ମିଶନର କାଉନସିଲର ସାଇମା ସଲିମ କାଶ୍ମୀରୀ ମହିଳାମାନେ ଦଶନ୍ଧି ଦଶନ୍ଧି ଧରି ଯୌନ ଶୋଷଣର ଶିକାର ହେଉଥିବା ଅଭିଯୋଗ ଆଣିଥିଲେ। ହେଲେ ଭାରତ ପାକିସ୍ତାନର ମୁଖା ଖୋଲି ଏହି ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିଛି। ଭାରତ କହିଛି ଯେ, ମହିଳା, ଶାନ୍ତି ଓ ସୁରକ୍ଷା ଆଜେଣ୍ଡାରେ ଭାରତ ଭାବମୂର୍ତ୍ତି ଦାଗହୀନ ରହିଛି। ଶାନ୍ତିସେନା ବାହିନୀରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବାରେ ଭାରତ ସର୍ବଦା ଆଗରେ। ଭାରତୀୟ ପୋଲିସ ସେବାର ପ୍ରଥମ ମହିଳା ଅଧିକାରୀ ଡକ୍ଟର କିରଣ ବେଦୀ ଏହାର ଉଦାହରଣ। ୨୦୦୩ ମସିହାରେ, ତାଙ୍କୁ ପ୍ରଥମ ମହିଳା ପୁଲିସ ପରାମର୍ଶଦାତା ଏବଂ ଜାତିସଂଘ ପୁଲିସ ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।