ନୂଆଦିଲ୍ଲୀ,୧୦/୦୯: ସୁଧୁରୁଛି ଭାରତ-ଆମେରିକା ସମ୍ପର୍କ । ଟାରିଫ୍ ପାଇଁ ବିଗିଡ଼ିଥିବା ସମ୍ପର୍କ ଧିରେ ଧିରେ ଟ୍ରାକ୍‌କୁ ଫେରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟିକ ଚୁକ୍ତିକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଥିଲା । ଖୁବ୍‌ଶୀଘ୍ର ଅଟକିଥିବା ଡିଲ୍‌ ହେବାକୁ ଯାଉଛି । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଚାଲିଛି । ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । 

ସୁଧୁରୁଛି ଭାରତ-ଆମେରିକା ସମ୍ପର୍କ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବେ ।  ଭାରତ ଏବଂ ଆମେରିକା ଉଭୟ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଚାଲିଛି । ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ଖରାପ ହେଉଥିଲା । କିନ୍ତୁ, କିଛି ସମୟ ଧରି ଟ୍ରମ୍ପ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଯେଉଁ ପ୍ରକାରର ବୟାନ ଦେଉଛନ୍ତି, ତାହା ଦର୍ଶାଉଛି ଯେ, ସେ ସମ୍ପର୍କ ସୁଧାରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କକୁ ଗୁରୁତ୍ୱ ଦେଇଛନ୍ତି  ।

ଡୋନାଲ୍ଡ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି ଯେ, ମୁଁ ଖୁସିର ସହ ଘୋଷଣା କରୁଛି ଭାରତ ଏବଂ ଆମେରିକା ଉଭୟ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା କରୁଛନ୍ତି । ଆଗାମୀ ଦିନରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିବାକୁ ମୁଁ ଆଗ୍ରହୀ । ଉଭୟ ଦେଶକୁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ ।

ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ । ଦୁହିଁଙ୍କ ମଧ୍ୟରେ ଏକ ସ୍ୱାଭାବିକ ସହଭାଗିତା ରହିଛି । ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅସୀମ ସମ୍ଭାବନା ପାଇଁ ପଥ ପ୍ରଶସ୍ତ କରିବ । ଆମର ଟିମ୍‌ ଗୁଡ଼ିକ ଏହି ଆଲୋଚନାଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି । ଆମେ ଉଭୟ ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ, ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ । "