ନୂଆଦିଲ୍ଲୀ,୧୫/୧୦: ଭାରତରେ ଜନ୍ମ । ଆମେରିକାର ଥିଲେ ପ୍ରମୁଖ ସୁରକ୍ଷା ପରାମର୍ଶଦାତା । ହେଲେ ଚୀନ୍ ପାଇଁ ଥିଲେ ଗୁପ୍ତଚର । ଗୋପନୀୟ ଦସ୍ତାବିଜ ସହ ଚୀନ୍ ସହ ଲିଙ୍କ୍ ନେଇ ଗିରଫ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଆଶଲି ଟେଲିସ୍ । ଗୁଇନ୍ଦା ତଥ୍ୟ ଚୋରି ଅଭିଯୋଗରେ ଆଶଲିଙ୍କୁ ଗିରଫ କରିଛି ଆମେରିକା ଗୁଇନ୍ଦା ସଂସ୍ଥା । ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କିତ ଫାଇଲ୍‌ ଚୀନକୁ ହସ୍ତାନ୍ତର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଶଲି ଟେଲିସ୍ ଜଣେ ଦକ୍ଷ ରାଜନୈତିଜ୍ଞ । ଦୀର୍ଘ ବର୍ଷ ଧରି ଦକ୍ଷିଣ ଏସୀୟ ଦେଶ ଗୁଡ଼ିକର ରାଜନୀତି ବିଶେଷଜ୍ଞ ଭାବେ କାମ କରି ଆସୁଛନ୍ତି । 

ତଦନ୍ତରୁ ବଡ଼ ଖୁଲାସା- ତଦନ୍ତରୁ ଜଣାପଡିଛି ଯେ, ସେପ୍ଟେମ୍ବର ୨୫ ତାରିଖରେ ଟେଲିସ୍ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟର କମ୍ପ୍ୟୁଟର ସିଷ୍ଟମରୁ କିଛି ଡକ୍ୟୁମେଣ୍ଟ ପ୍ରିଣ୍ଟ କରୁଥିବା କ୍ୟାମେରାରେ ଧରା ପଡ଼ିଥିଲେ । ସେ ଇକନ୍ ରିଫର୍ମ ନାମରେ ୟୁଏସ୍ ଏୟାରଫୋର୍ସ ଟାକ୍ଟିସ ନାମରେ ୧୨୮୮  ପୃଷ୍ଠାର ଏକ ଫାଇଲ୍ ସେଭ୍ କରିଥିଲେ । କିଛି ପୃଷ୍ଠା ପ୍ରିଣ୍ଟ କରିବା ପରେ ଫାଇଲ୍ ଡିଲିଟ କରିଥିଲେ ।

ଅକ୍ଟୋବର ୧୦ ତାରିଖରେ, ଅନ୍ୟ ଏକ ସୁରକ୍ଷା କ୍ୟାମେରା ଭର୍ଜିନିଆର ଆଲେକଜାଣ୍ଡ୍ରିଆରେ ଏକ ସରକାରୀ ପ୍ରତିଷ୍ଠାନରେ ଆଶଲି ଟେଲିସ୍ ତାଙ୍କ ବ୍ୟାଗରେ ଡକ୍ୟୁମେଣ୍ଟ ଲୁଚାଉଥିବା କଏଦ କରିଥିଲା । ଏଫବିଆଇ  ରିପୋର୍ଟରେ କୁହାଯାଇଛି ଯେ, ସେପ୍ଟେମ୍ବର ୨୦୨୨ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ, ଟେଲିସ୍ ଭର୍ଜିନିଆର ଫେୟାରଫ୍ୟାକ୍ସ ଅଞ୍ଚଳର ରେଷ୍ଟୁରାଣ୍ଟରେ ଚୀନ୍ ସରକାରୀ ଅଧିକାରୀଙ୍କ ସହିତ ଅନେକ ଗୁପ୍ତ ବୈଠକ କରିଥିଲେ । ଗୋଟିଏ ବୈଠକରେ, ସେ ଏକ ମାନିଲା ଲଫାପା ନେଇ ଆସିଥିଲେ, ଯାହା ସେ ଯିବା ସମୟରେ ତାଙ୍କ ପାଖରେ ନଥିଲା ।

ଏଫବିଆଇ ଅନୁସାରେ ଟେଲିସ୍‌ ଅକ୍ଟୋବର ୧୧ ତାରିଖରେ ପରିବାର ସହିତ ରୋମ୍ ଗସ୍ତ କରିବାର ଥିଲା । ହେଲେ ଉଡ଼ାଣ ଭରିବା ପୂର୍ବରୁ ତାଙ୍କ ଘରେ ରେଡ୍ ହୋଇଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଘରୁ ଜବତ ହୋଇଥିବା ସିକ୍ରେଟ୍ ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି । ଟେଲିସ୍‌ଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ ଉଲ୍ଲଘଂନ, ଗୋପନୀୟ ଦସ୍ତାବିଜ ଚୋରି ଏବଂ ବିଦେଶୀ ସମ୍ପର୍କ ରିପୋର୍ଟିଂରେ ବିଫଳତା ଆଧାରରେ ମକଦ୍ଦମା  ଚାଲୁଛି । ମୁମ୍ବାଇରେ ଜନ୍ମିତ ୬୪ ବର୍ଷୀୟ ଆଶଲି ଟେଲିସ୍ ସେଣ୍ଟ ଜାଭିୟର୍ସ କଲେଜ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।  ଚିକାଗୋ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସେ ଆମେରିକା-ଭାରତ ବେସାମରିକ ପରମାଣୁ ଚୁକ୍ତିର ପ୍ରମୁଖ ଆଲୋଚନାକାରୀଙ୍କ ମଧ୍ୟରୁ ଜଣେ ।