ନିୟତିର ବୋଧହୁଏ ଏହି ଇଚ୍ଛା ଯେ,  ଭାରତ ପୁନର୍ବାର ବିଶ୍ୱ ଶାନ୍ତି ପ୍ରତିଷ୍ଠାର  ନେତୃତ୍ୱ ନେଉ । ଏଥିପାଇଁ ଆମେ ସମସ୍ତ  ଭାରତୀୟମାନଙ୍କୁ ଉଦାହରଣ ପ୍ରତିଷ୍ଠା  କରିବାକୁ ହେବ । କାରଣ ଯେକୌଣସି  ପରିବର୍ତ୍ତନ ନିଜଠାରୁ ହିଁ ଆରମ୍ଭ ହୋଇଥାଏ ।  ସମାଜ ପରିବର୍ତ୍ତନର ମାର୍ଗ, ଧର୍ମ ମାର୍ଗରେ  ହିଁ ହୋଇଥାଏ । ପରାଧୀନ କାଳରେ ସ୍ୱାମୀ  ବିବେକାନନ୍ଦ ସମସ୍ତ ଦେଶବାସୀଙ୍କୁ ‘ଭାରତ  ଭକ୍ତି’ ପାଇଁ ଆହ୍ୱାନ ଦେଇଥିଲେ ।

gobinda nayak​​​​​​​

ବିଶ୍ୱ ଆଜି ଅଶାନ୍ତ । ଆମେରିକା ଓ ଋଷିଆ ମଧ୍ୟରେ  ଶୀତଳ ଯୁଦ୍ଧ ସମୟରେ ଭୀତତ୍ରସ୍ତ ଅନେକ ଛୋଟ  ଛୋଟ ଦେଶ ଶୀତଳ ଯୁଦ୍ଧର ସମାପ୍ତି ପରେ ଶାନ୍ତିରେ ନିଶ୍ୱାସ ନେଇଥିଲେ ଯେ, ଆଉ ଯୁଦ୍ଧଜନିତ ଅନିଶ୍ଚିତତା ମଧ୍ୟରେ  ରହିବାକୁ ହେବନି । କିନ୍ତୁ ବର୍ତ୍ତମାନ ସମୟରେ ବିଶ୍ୱ  ପୁନର୍ବାର ଏକ ନୁହେଁ, ଅନେକ ଯୁଦ୍ଧର ବିଭୀଷିକା ମଧ୍ୟରେ  ଘାଣ୍ଟି ହେଉଛି । ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ, ପାଲେଷ୍ଟାଇନ୍‌ଇସ୍ରାଏଲ, ଏବେ ଆଫଗାନିସ୍ତାନ- ପାକିସ୍ତାନ ଯୁଦ୍ଧ ଏଭଳି  ଅନେକ ଯୁଦ୍ଧରେ ଘାଣ୍ଟି ହେଉଛି ବିଶ୍ୱ । ଚୀନ୍‌ ଆମେରିକା  ଭଳି ତଥାକଥିତ ବିକଶିତ ଦେଶ ଏହା ମଧ୍ୟରେ ନିଜ ସ୍ୱାର୍ଥ  ସାଧନ ପାଇଁ ଅନେକ ଛୋଟ ଛୋଟ ଦେଶରେ ପରୋକ୍ଷରେ  ଅସ୍ଥିରତାର ବାତାବରଣ ସୃଷ୍ଟି କରି ନିଜର ପତିଆରା  ସ୍ଥାପିତ କରିବାକୁ ଚାହୁଁଛନ୍ତି ।

ତାର କିଛି ଝଲକ ଆମେ ସମସ୍ତେ କିଛି ଦିନ ମଧ୍ୟରେ  ବଙ୍ଗଳା ଦେଶର ହିଂସ୍ରକ ଆନ୍ଦୋଳନ, ବିଶେଷ କରି ଏହା  ନାମରେ ସେଠାରେ ରହୁଥିବା ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ  ପରେ ମୌଳବାଦୀମାନଙ୍କ ଅମାନବୀୟ ଅତ୍ୟାଚାର  ଦେଖିଲେ । ନେପାଳରେ ତ ଜେନରସନ-ଜି (ଜେନ-ଜି)  ଆନ୍ଦୋଳନ ନାମରେ ସ୍କୁଲ, କଲେଜର ବିଦ୍ୟାର୍ଥୀମାନଙ୍କୁ  ଉସୁକାଇ ହିଂସାତ୍ମକ ଓ ବିଧ୍ୱଂସାତ୍ମକ ଆନ୍ଦୋଳନ ଗଢ଼ି  ତୋଳାଗଲା । ଏହା ପଛରେ ସେଠାରେ କାର୍ଯ୍ୟ କରୁଥିବା  ଅନ୍ତଃରାଷ୍ଟ୍ରୀୟ ସ୍ୱୟଂସେବୀ ସଂଗଠନମାନଙ୍କ ଭୂମିକା ଆଜି  ସନ୍ଦେହ ଘେରରେ?

ବିଶ୍ୱ ଶାନ୍ତି ଓ ବିଶ୍ୱ ପ୍ରଗତିର ଡିଣ୍ଡିମ ପିଟୁଥିବା,  ଏଥିପାଇଁ ନିଜେ ହିଁ ନିଜକୁ ଠିକା ଦେଇଥିବା ଆମେରିକାର  ମନୋଭାବ ଆଜି କେଉଁ ଭଳି? ବିଶ୍ୱର ୩୮% ସଂସାଧନକୁ ଉପଭୋଗ କରୁଥିବା ଆମେରିକୀୟ ଚାହାଁନ୍ତି କି, ସମଗ୍ର  ବିଶ୍ୱର ଅର୍ଥନୀତି ସେମାନଙ୍କ ନିୟନ୍ତ୍ରଣରେ ରହୁ ।  ସେଥିପାଇଁ ଯଦି ଭାରତ ଆମେରିକା ଠାରୁ ତେଲ ନକିଣି  ଋଷିଆ ଠାରୁ ଶସ୍ତା ତେଲ କିଣିଲା ତ ଭାରତ ଉପରେ  ୫୦% ଟାରିଫ ଲଗାଗଲା । ଭାରତୀୟମାନେ ରୋଜଗାର  ନକରି ପାରନ୍ତୁ ସେଥିପାଇଁ ଭିସା କଟକଣା ଲାଗୁ  କରାଗଲା । ଚୀନ୍‌ କିଭଳି ଶ୍ରୀଲଙ୍କା, ମିୟାଁମାର, ନେପାଳରେ  ବିକାଶ ନାମରେ ଆର୍ଥିକ ଶୋଷଣ କରି ସେସବୁ ଦେଶକୁ  ବରବାଦ କରିଦେଲା, ତା'ର ଉଦାହରଣ ତ ଆମେ  ସମସ୍ତେ ଅନୁଭବ କରିପାରିଲେ ।

ବାମପନ୍ଥୀ କମ୍ୟୁନିଷ୍ଟ ହିଂସ୍ରକ ବିଚାର ଯେ ବିଶ୍ୱ  ଶାନ୍ତି ଓ ପ୍ରଗତିର ବାଧକ ତାହା ବି ଆମେ ଅନୁଭବ କଲେ ।  ପୁଞ୍ଜିବାଦୀ ଶୋଷଣ ତ୍ରସ୍ତ ବିଶ୍ୱକୁ କେବଳ ଭାରତୀୟ  ବିଚାର ହିଁ ରକ୍ଷା କରିପାରିବ ଏଥିରେ କୌଣସି ସନ୍ଦେହ  ନାହିଁ ।

ଭାରତର ବିଶ୍ୱ ବନ୍ଧୁତ୍ୱର ଅତୀତରେ ଉଦାହରଣ ତ  ଅନେକ ଅଛି । ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା  ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ, ଯୋଗ ଦେଇଛି । ଅନ୍ୟାନ୍ୟ ବିକଶିତ ଦେଶ ଯୁଦ୍ଧ ମାଧ୍ୟମରେ ଯେତେବେଳେ ଦେଶଦେଶ ମଧ୍ୟରେ ଦୂରତ୍ୱ ଓ ଶତ୍ରୁତା ସୃଷ୍ଟି କରିଚାଲିଛନ୍ତି ।  ସେହି ସମୟରେ ଭାରତ ‘ବିଶ୍ୱ ଯୋଗ ଦିବସ' ନାମରେ  ଦୁଇ ଶହରୁ ଅଧିକ ଦେଶରେ ଲୋକମାନଙ୍କ ମଧ୍ୟରେ  ଶାରୀରିକ ଓ ମାନସିକ ରୋଗ ଦୂର କରିବା ସହିତ ବିଶ୍ୱ  ବନ୍ଧୁତ୍ୱର ବାର୍ତ୍ତା ପ୍ରଚାର କରିବାରେ ପ୍ରଚେଷ୍ଟା କରୁଛି ।

ଚୀନ୍‌ ଦ୍ୱାରା ପ୍ରସାରିତ କରୋନା ଭାଇରସ ସମୟରେ  ମଧ୍ୟ ସମଗ୍ର ବିଶ୍ୱ ଭାରତର ବନ୍ଧୁତ୍ୱକୁ ଅନୁଭବ କରିଥିଲା ।  ସେହି ସମୟରେ ଭାରତର ଜନ ଔଷଧି (ଜେନେରିକ୍‌ ଔଷଧ) କିଭଳି ଆମେରିକା ଠାରୁ ଆରମ୍ଭ କରି ଅନେକ  ଦେଶରେ ପହଞ୍ଚିଥିଲା! ଆମେରିକା, ଚୀନ୍‌ ଭଳି ବଡ଼  ବଡ଼ ଦେଶ କରୋନ ଟୀକା ଗୋଟିଏ ବି ଅନ୍ୟ ଦେଶକୁ  ଦେଲେନାହିଁ । କିନ୍ତୁ ସେହି ସମୟରେ ମଧ୍ୟ ଭାରତ ନିଜର  ବିଶ୍ୱ ବନ୍ଧୁତ୍ୱର ଭୂମିକା ତୁଲାଇଥିଲା । ପାଖାପାଖି ୧୦୦ରୁ  ଅଧିକ ଦେଶକୁ ଭାରତ କରୋନା ଟୀକା ପ୍ରଦାନ କରିଥିଲା ।

କାଶ୍ମୀରର ପହଲଗାମ ଠାରେ ନିରୀହ  ଭାରତୀୟମାନଙ୍କୁ ଧର୍ମ ପଚାରି ଗୁଳି କରିଥିବା ପାକିସ୍ତାନ  ସମର୍ଥିତ ଆତଙ୍କବାଦୀଙ୍କ ନିର୍ମମ ହତ୍ୟା ପରେ ମଧ୍ୟ ଭାରତ  ସଂଯମତା ରକ୍ଷା କରି କେବଳ ଆତଙ୍କବାଦୀ ଠିକଣାମାନଙ୍କୁ  ହିଁ ଭାରତୀୟ ସୈନ୍ୟବାହିନୀ ଧ୍ୱଂସ କରିଥିଲେ । ଜଣେ  ମଧ୍ୟ ପାକିସ୍ତାନୀ ନାଗରିକର କୌଣସି କ୍ଷତି ପହଞ୍ଚାଇ  ନଥିଲେ । ସେଥିପାଇଁ ଭାରତ ହିଁ ବିଶ୍ୱ ବନ୍ଧୁତା ପ୍ରତିଷ୍ଠା  ମାଧ୍ୟମରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ଥ, ଏହା  ଏଥିରୁ ପ୍ରମାଣିତ । କିନ୍ତୁ ଭାରତର କଥା ବିଶ୍ୱର ଅନ୍ୟ  ଦେଶମାନେ ସେତେବେଳେ ଶୁଣିବେ, ଯେତେବେଳେ  ଭାରତ ଏକ ଶକ୍ତିଶାଳୀ ଦେଶ ଭାବରେ ଉଭା ହେବ ।  କାରଣ ସଂସ୍କୃତରେ ଶ୍ଳୋକ ଅଛି– ଅଶ୍ୱଂ ନୈବ ଗଜଂ ନୈବ  ବ୍ୟାଘ୍ରଂ ନୈବ ଚ ନୈବ ଚ । ଅଜାପୁତ୍ରବଳିଂ ଦତ୍ତ୍ୱା ଦେବୋ  ଦୁର୍ବଳଘାତକଃ । ଅର୍ଥାତ୍‌– ଘୋଡ଼ା, ହାତୀ, ବାଘକୁ କେହି  ବଳି ଦିଅନ୍ତି ନାହିଁ, ସର୍ବଦା ବଳିବେଦିରେ ଦୁର୍ବଳ ଛେଳିଙ୍କୁ  ହିଁ ଚଢ଼ିବାକୁ ହୋଇଥାଏ ।  

ଆଉ ଭାରତକୁ ଶକ୍ତିଶାଳୀ ହେବାକୁ ହେଲେ  ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ‘ସ୍ୱ'-ବୋଧ ବା  ଆତ୍ମବୋଧର ଜାଗରଣ କରିବାକୁ ହେବ । କାରଣ ଭାରତ  ଆମେରିକା, ଚାଇନା ବା ବ୍ରିଟେନ୍‌କୁ ନକଲ କରି ଆଗକୁ  ବଢ଼ିନପାରେ, ଏଥିପାଇଁ ଭାରତକୁ ନିଜର ଆତ୍ମଶକ୍ତିର  ଜାଗରଣ କରିବାକୁ ହେବ । ଆମେରିକା, ଚାଇନା ଭଳି  ଭୌତିକ ବିକାଶ ଚିରସ୍ଥାୟୀ ନୁହେଁ । ସେଥିପାଇଁ ଭାରତକୁ  କେବଳ ଭୌତିକ ବିକାଶ ନୁହେଁ, ତା’ ସହିତ ନୈତିକ ଓ  ଆଧ୍ୟାତ୍ମିକ ବିକାଶ କରିବାକୁ ହେବ ।

ଆଜି ଆମେରିକା ଭଳି ଭୌତିକତା ଓ ବିଳାସପୂର୍ଣ୍ଣ  ଜୀବନ ସମସ୍ତ ବିଶ୍ୱବାସୀଙ୍କୁ ଦେବାକୁ ହେଲେ ଆମ୍ଭଙ୍କୁ  ଆହୁରି ୫ଟି ପୃଥିବୀର ଆବଶ୍ୟକତା ପଡ଼ିବ । ସେଥିପାଇଁ  ଭାରତୀୟ ସଂସ୍କୃତି ଅନୁଯାୟୀ ସଂଯମିତ ଜୀବନଶୈଳୀ  ବିଶ୍ୱବାସୀଙ୍କୁ ଆପଣେଇ ନେବାକୁ ହେବ । ଆମ  ସଂସ୍କୃତିରେ କୁହାଯାଇଛି– ତ୍ୟନ ତ୍ୟକ୍ତେନ ଭିତା ।  ଅର୍ଥାତ୍‌– ଅନ୍ୟମାନଙ୍କୁ ବାଣ୍ଟିବା ପରେ କମ୍‌ରୁ କମ୍‌  ଆବଶ୍ୟକତାରେ ନିଜର ଜୀବନ ନିର୍ବାହ କରିବା ପଥରେ  ହିଁ ବିଶ୍ୱ କଲ୍ୟାଣ ସମ୍ଭବ ।

କିନ୍ତୁ ଆଜିର ସମୟରେ ଏହା ସମସ୍ତଙ୍କୁ ଅସମ୍ଭବ  ଲାଗିପାରେ । ତ୍ୟାଗ, ସରଳ ଜୀବନଯାପନ, ଅନ୍ୟମାନଙ୍କ  ପାଇଁ ଜୀବନ, ଏହାଠାରୁ ଆମେ ଏତେ ଦୂରକୁ  ଚାଲିଯାଇଛନ୍ତି ଯେ ହଠାତ୍‌ ସେଥିରୁ ପଛକୁ ଫେରିବା  ଅସମ୍ଭବ । ଧୀରେ ଧୀରେ ଆମକୁ ସେହି ରାସ୍ତାରୁ ପଛକୁ  ଫେରିବାକୁ ହିଁ ପଡ଼ିବ । ଯଦି ଚ ଏହା ଲମ୍ବା ରାସ୍ତା, କିନ୍ତୁ  ଏହା ଏକମାତ୍ର ରାସ୍ତା ଅଟେ– ‘Though it is a long way, but it is the only way’. ନିୟତିର ବୋଧହୁଏ ଏହି ଇଚ୍ଛା ଯେ, ଭାରତ  ପୁନର୍ବାର ବିଶ୍ୱ ଶାନ୍ତି ପ୍ରତିଷ୍ଠାର ନେତୃତ୍ୱ ନେଉ । ଏଥିପାଇଁ  ଆମେ ସମସ୍ତ ଭାରତୀୟମାନଙ୍କୁ ଉଦାହରଣ ପ୍ରତିଷ୍ଠା  କରିବାକୁ ହେବ । କାରଣ ଯେକୌଣସି ପରିବର୍ତ୍ତନ  ନିଜଠାରୁ ହିଁ ଆରମ୍ଭ ହୋଇଥାଏ । ସମାଜ ପରିବର୍ତ୍ତନର  ମାର୍ଗ, ଧର୍ମ ମାର୍ଗରେ ହିଁ ହୋଇଥାଏ । ପରାଧୀନ କାଳରେ  ସ୍ୱାମୀ ବିବେକାନନ୍ଦ ସମସ୍ତ ଦେଶବାସୀଙ୍କୁ ‘ଭାରତ ଭକ୍ତି'  ପାଇଁ ଆହ୍ୱାନ ଦେଇଥିଲେ ।

ଆଜି ପୁନର୍ବାର ଏହି ଭାରତ ଭକ୍ତିର ପୁନଃଜାଗରଣର  ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ହିଁ ବିଶ୍ୱ ବନ୍ଧୁତ୍ୱର  ମାର୍ଗ ପ୍ରଶସ୍ତ ହେବ ।