ନିୟତିର ବୋଧହୁଏ ଏହି ଇଚ୍ଛା ଯେ, ଭାରତ ପୁନର୍ବାର ବିଶ୍ୱ ଶାନ୍ତି ପ୍ରତିଷ୍ଠାର ନେତୃତ୍ୱ ନେଉ । ଏଥିପାଇଁ ଆମେ ସମସ୍ତ ଭାରତୀୟମାନଙ୍କୁ ଉଦାହରଣ ପ୍ରତିଷ୍ଠା କରିବାକୁ ହେବ । କାରଣ ଯେକୌଣସି ପରିବର୍ତ୍ତନ ନିଜଠାରୁ ହିଁ ଆରମ୍ଭ ହୋଇଥାଏ । ସମାଜ ପରିବର୍ତ୍ତନର ମାର୍ଗ, ଧର୍ମ ମାର୍ଗରେ ହିଁ ହୋଇଥାଏ । ପରାଧୀନ କାଳରେ ସ୍ୱାମୀ ବିବେକାନନ୍ଦ ସମସ୍ତ ଦେଶବାସୀଙ୍କୁ ‘ଭାରତ ଭକ୍ତି’ ପାଇଁ ଆହ୍ୱାନ ଦେଇଥିଲେ ।
ବିଶ୍ୱ ଆଜି ଅଶାନ୍ତ । ଆମେରିକା ଓ ଋଷିଆ ମଧ୍ୟରେ ଶୀତଳ ଯୁଦ୍ଧ ସମୟରେ ଭୀତତ୍ରସ୍ତ ଅନେକ ଛୋଟ ଛୋଟ ଦେଶ ଶୀତଳ ଯୁଦ୍ଧର ସମାପ୍ତି ପରେ ଶାନ୍ତିରେ ନିଶ୍ୱାସ ନେଇଥିଲେ ଯେ, ଆଉ ଯୁଦ୍ଧଜନିତ ଅନିଶ୍ଚିତତା ମଧ୍ୟରେ ରହିବାକୁ ହେବନି । କିନ୍ତୁ ବର୍ତ୍ତମାନ ସମୟରେ ବିଶ୍ୱ ପୁନର୍ବାର ଏକ ନୁହେଁ, ଅନେକ ଯୁଦ୍ଧର ବିଭୀଷିକା ମଧ୍ୟରେ ଘାଣ୍ଟି ହେଉଛି । ଋଷ୍-ୟୁକ୍ରେନ୍ ଯୁଦ୍ଧ, ପାଲେଷ୍ଟାଇନ୍ଇସ୍ରାଏଲ, ଏବେ ଆଫଗାନିସ୍ତାନ- ପାକିସ୍ତାନ ଯୁଦ୍ଧ ଏଭଳି ଅନେକ ଯୁଦ୍ଧରେ ଘାଣ୍ଟି ହେଉଛି ବିଶ୍ୱ । ଚୀନ୍ ଆମେରିକା ଭଳି ତଥାକଥିତ ବିକଶିତ ଦେଶ ଏହା ମଧ୍ୟରେ ନିଜ ସ୍ୱାର୍ଥ ସାଧନ ପାଇଁ ଅନେକ ଛୋଟ ଛୋଟ ଦେଶରେ ପରୋକ୍ଷରେ ଅସ୍ଥିରତାର ବାତାବରଣ ସୃଷ୍ଟି କରି ନିଜର ପତିଆରା ସ୍ଥାପିତ କରିବାକୁ ଚାହୁଁଛନ୍ତି ।
ତାର କିଛି ଝଲକ ଆମେ ସମସ୍ତେ କିଛି ଦିନ ମଧ୍ୟରେ ବଙ୍ଗଳା ଦେଶର ହିଂସ୍ରକ ଆନ୍ଦୋଳନ, ବିଶେଷ କରି ଏହା ନାମରେ ସେଠାରେ ରହୁଥିବା ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ପରେ ମୌଳବାଦୀମାନଙ୍କ ଅମାନବୀୟ ଅତ୍ୟାଚାର ଦେଖିଲେ । ନେପାଳରେ ତ ଜେନରସନ-ଜି (ଜେନ-ଜି) ଆନ୍ଦୋଳନ ନାମରେ ସ୍କୁଲ, କଲେଜର ବିଦ୍ୟାର୍ଥୀମାନଙ୍କୁ ଉସୁକାଇ ହିଂସାତ୍ମକ ଓ ବିଧ୍ୱଂସାତ୍ମକ ଆନ୍ଦୋଳନ ଗଢ଼ି ତୋଳାଗଲା । ଏହା ପଛରେ ସେଠାରେ କାର୍ଯ୍ୟ କରୁଥିବା ଅନ୍ତଃରାଷ୍ଟ୍ରୀୟ ସ୍ୱୟଂସେବୀ ସଂଗଠନମାନଙ୍କ ଭୂମିକା ଆଜି ସନ୍ଦେହ ଘେରରେ?
ବିଶ୍ୱ ଶାନ୍ତି ଓ ବିଶ୍ୱ ପ୍ରଗତିର ଡିଣ୍ଡିମ ପିଟୁଥିବା, ଏଥିପାଇଁ ନିଜେ ହିଁ ନିଜକୁ ଠିକା ଦେଇଥିବା ଆମେରିକାର ମନୋଭାବ ଆଜି କେଉଁ ଭଳି? ବିଶ୍ୱର ୩୮% ସଂସାଧନକୁ ଉପଭୋଗ କରୁଥିବା ଆମେରିକୀୟ ଚାହାଁନ୍ତି କି, ସମଗ୍ର ବିଶ୍ୱର ଅର୍ଥନୀତି ସେମାନଙ୍କ ନିୟନ୍ତ୍ରଣରେ ରହୁ । ସେଥିପାଇଁ ଯଦି ଭାରତ ଆମେରିକା ଠାରୁ ତେଲ ନକିଣି ଋଷିଆ ଠାରୁ ଶସ୍ତା ତେଲ କିଣିଲା ତ ଭାରତ ଉପରେ ୫୦% ଟାରିଫ ଲଗାଗଲା । ଭାରତୀୟମାନେ ରୋଜଗାର ନକରି ପାରନ୍ତୁ ସେଥିପାଇଁ ଭିସା କଟକଣା ଲାଗୁ କରାଗଲା । ଚୀନ୍ କିଭଳି ଶ୍ରୀଲଙ୍କା, ମିୟାଁମାର, ନେପାଳରେ ବିକାଶ ନାମରେ ଆର୍ଥିକ ଶୋଷଣ କରି ସେସବୁ ଦେଶକୁ ବରବାଦ କରିଦେଲା, ତା'ର ଉଦାହରଣ ତ ଆମେ ସମସ୍ତେ ଅନୁଭବ କରିପାରିଲେ ।
ବାମପନ୍ଥୀ କମ୍ୟୁନିଷ୍ଟ ହିଂସ୍ରକ ବିଚାର ଯେ ବିଶ୍ୱ ଶାନ୍ତି ଓ ପ୍ରଗତିର ବାଧକ ତାହା ବି ଆମେ ଅନୁଭବ କଲେ । ପୁଞ୍ଜିବାଦୀ ଶୋଷଣ ତ୍ରସ୍ତ ବିଶ୍ୱକୁ କେବଳ ଭାରତୀୟ ବିଚାର ହିଁ ରକ୍ଷା କରିପାରିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଭାରତର ବିଶ୍ୱ ବନ୍ଧୁତ୍ୱର ଅତୀତରେ ଉଦାହରଣ ତ ଅନେକ ଅଛି । ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ, ଯୋଗ ଦେଇଛି । ଅନ୍ୟାନ୍ୟ ବିକଶିତ ଦେଶ ଯୁଦ୍ଧ ମାଧ୍ୟମରେ ଯେତେବେଳେ ଦେଶଦେଶ ମଧ୍ୟରେ ଦୂରତ୍ୱ ଓ ଶତ୍ରୁତା ସୃଷ୍ଟି କରିଚାଲିଛନ୍ତି । ସେହି ସମୟରେ ଭାରତ ‘ବିଶ୍ୱ ଯୋଗ ଦିବସ' ନାମରେ ଦୁଇ ଶହରୁ ଅଧିକ ଦେଶରେ ଲୋକମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ରୋଗ ଦୂର କରିବା ସହିତ ବିଶ୍ୱ ବନ୍ଧୁତ୍ୱର ବାର୍ତ୍ତା ପ୍ରଚାର କରିବାରେ ପ୍ରଚେଷ୍ଟା କରୁଛି ।
ଚୀନ୍ ଦ୍ୱାରା ପ୍ରସାରିତ କରୋନା ଭାଇରସ ସମୟରେ ମଧ୍ୟ ସମଗ୍ର ବିଶ୍ୱ ଭାରତର ବନ୍ଧୁତ୍ୱକୁ ଅନୁଭବ କରିଥିଲା । ସେହି ସମୟରେ ଭାରତର ଜନ ଔଷଧି (ଜେନେରିକ୍ ଔଷଧ) କିଭଳି ଆମେରିକା ଠାରୁ ଆରମ୍ଭ କରି ଅନେକ ଦେଶରେ ପହଞ୍ଚିଥିଲା! ଆମେରିକା, ଚୀନ୍ ଭଳି ବଡ଼ ବଡ଼ ଦେଶ କରୋନ ଟୀକା ଗୋଟିଏ ବି ଅନ୍ୟ ଦେଶକୁ ଦେଲେନାହିଁ । କିନ୍ତୁ ସେହି ସମୟରେ ମଧ୍ୟ ଭାରତ ନିଜର ବିଶ୍ୱ ବନ୍ଧୁତ୍ୱର ଭୂମିକା ତୁଲାଇଥିଲା । ପାଖାପାଖି ୧୦୦ରୁ ଅଧିକ ଦେଶକୁ ଭାରତ କରୋନା ଟୀକା ପ୍ରଦାନ କରିଥିଲା ।
କାଶ୍ମୀରର ପହଲଗାମ ଠାରେ ନିରୀହ ଭାରତୀୟମାନଙ୍କୁ ଧର୍ମ ପଚାରି ଗୁଳି କରିଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିର୍ମମ ହତ୍ୟା ପରେ ମଧ୍ୟ ଭାରତ ସଂଯମତା ରକ୍ଷା କରି କେବଳ ଆତଙ୍କବାଦୀ ଠିକଣାମାନଙ୍କୁ ହିଁ ଭାରତୀୟ ସୈନ୍ୟବାହିନୀ ଧ୍ୱଂସ କରିଥିଲେ । ଜଣେ ମଧ୍ୟ ପାକିସ୍ତାନୀ ନାଗରିକର କୌଣସି କ୍ଷତି ପହଞ୍ଚାଇ ନଥିଲେ । ସେଥିପାଇଁ ଭାରତ ହିଁ ବିଶ୍ୱ ବନ୍ଧୁତା ପ୍ରତିଷ୍ଠା ମାଧ୍ୟମରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ଥ, ଏହା ଏଥିରୁ ପ୍ରମାଣିତ । କିନ୍ତୁ ଭାରତର କଥା ବିଶ୍ୱର ଅନ୍ୟ ଦେଶମାନେ ସେତେବେଳେ ଶୁଣିବେ, ଯେତେବେଳେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବରେ ଉଭା ହେବ । କାରଣ ସଂସ୍କୃତରେ ଶ୍ଳୋକ ଅଛି– ଅଶ୍ୱଂ ନୈବ ଗଜଂ ନୈବ ବ୍ୟାଘ୍ରଂ ନୈବ ଚ ନୈବ ଚ । ଅଜାପୁତ୍ରବଳିଂ ଦତ୍ତ୍ୱା ଦେବୋ ଦୁର୍ବଳଘାତକଃ । ଅର୍ଥାତ୍– ଘୋଡ଼ା, ହାତୀ, ବାଘକୁ କେହି ବଳି ଦିଅନ୍ତି ନାହିଁ, ସର୍ବଦା ବଳିବେଦିରେ ଦୁର୍ବଳ ଛେଳିଙ୍କୁ ହିଁ ଚଢ଼ିବାକୁ ହୋଇଥାଏ ।
ଆଉ ଭାରତକୁ ଶକ୍ତିଶାଳୀ ହେବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ‘ସ୍ୱ'-ବୋଧ ବା ଆତ୍ମବୋଧର ଜାଗରଣ କରିବାକୁ ହେବ । କାରଣ ଭାରତ ଆମେରିକା, ଚାଇନା ବା ବ୍ରିଟେନ୍କୁ ନକଲ କରି ଆଗକୁ ବଢ଼ିନପାରେ, ଏଥିପାଇଁ ଭାରତକୁ ନିଜର ଆତ୍ମଶକ୍ତିର ଜାଗରଣ କରିବାକୁ ହେବ । ଆମେରିକା, ଚାଇନା ଭଳି ଭୌତିକ ବିକାଶ ଚିରସ୍ଥାୟୀ ନୁହେଁ । ସେଥିପାଇଁ ଭାରତକୁ କେବଳ ଭୌତିକ ବିକାଶ ନୁହେଁ, ତା’ ସହିତ ନୈତିକ ଓ ଆଧ୍ୟାତ୍ମିକ ବିକାଶ କରିବାକୁ ହେବ ।
ଆଜି ଆମେରିକା ଭଳି ଭୌତିକତା ଓ ବିଳାସପୂର୍ଣ୍ଣ ଜୀବନ ସମସ୍ତ ବିଶ୍ୱବାସୀଙ୍କୁ ଦେବାକୁ ହେଲେ ଆମ୍ଭଙ୍କୁ ଆହୁରି ୫ଟି ପୃଥିବୀର ଆବଶ୍ୟକତା ପଡ଼ିବ । ସେଥିପାଇଁ ଭାରତୀୟ ସଂସ୍କୃତି ଅନୁଯାୟୀ ସଂଯମିତ ଜୀବନଶୈଳୀ ବିଶ୍ୱବାସୀଙ୍କୁ ଆପଣେଇ ନେବାକୁ ହେବ । ଆମ ସଂସ୍କୃତିରେ କୁହାଯାଇଛି– ତ୍ୟନ ତ୍ୟକ୍ତେନ ଭିତା । ଅର୍ଥାତ୍– ଅନ୍ୟମାନଙ୍କୁ ବାଣ୍ଟିବା ପରେ କମ୍ରୁ କମ୍ ଆବଶ୍ୟକତାରେ ନିଜର ଜୀବନ ନିର୍ବାହ କରିବା ପଥରେ ହିଁ ବିଶ୍ୱ କଲ୍ୟାଣ ସମ୍ଭବ ।
କିନ୍ତୁ ଆଜିର ସମୟରେ ଏହା ସମସ୍ତଙ୍କୁ ଅସମ୍ଭବ ଲାଗିପାରେ । ତ୍ୟାଗ, ସରଳ ଜୀବନଯାପନ, ଅନ୍ୟମାନଙ୍କ ପାଇଁ ଜୀବନ, ଏହାଠାରୁ ଆମେ ଏତେ ଦୂରକୁ ଚାଲିଯାଇଛନ୍ତି ଯେ ହଠାତ୍ ସେଥିରୁ ପଛକୁ ଫେରିବା ଅସମ୍ଭବ । ଧୀରେ ଧୀରେ ଆମକୁ ସେହି ରାସ୍ତାରୁ ପଛକୁ ଫେରିବାକୁ ହିଁ ପଡ଼ିବ । ଯଦି ଚ ଏହା ଲମ୍ବା ରାସ୍ତା, କିନ୍ତୁ ଏହା ଏକମାତ୍ର ରାସ୍ତା ଅଟେ– ‘Though it is a long way, but it is the only way’. ନିୟତିର ବୋଧହୁଏ ଏହି ଇଚ୍ଛା ଯେ, ଭାରତ ପୁନର୍ବାର ବିଶ୍ୱ ଶାନ୍ତି ପ୍ରତିଷ୍ଠାର ନେତୃତ୍ୱ ନେଉ । ଏଥିପାଇଁ ଆମେ ସମସ୍ତ ଭାରତୀୟମାନଙ୍କୁ ଉଦାହରଣ ପ୍ରତିଷ୍ଠା କରିବାକୁ ହେବ । କାରଣ ଯେକୌଣସି ପରିବର୍ତ୍ତନ ନିଜଠାରୁ ହିଁ ଆରମ୍ଭ ହୋଇଥାଏ । ସମାଜ ପରିବର୍ତ୍ତନର ମାର୍ଗ, ଧର୍ମ ମାର୍ଗରେ ହିଁ ହୋଇଥାଏ । ପରାଧୀନ କାଳରେ ସ୍ୱାମୀ ବିବେକାନନ୍ଦ ସମସ୍ତ ଦେଶବାସୀଙ୍କୁ ‘ଭାରତ ଭକ୍ତି' ପାଇଁ ଆହ୍ୱାନ ଦେଇଥିଲେ ।
ଆଜି ପୁନର୍ବାର ଏହି ଭାରତ ଭକ୍ତିର ପୁନଃଜାଗରଣର ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ହିଁ ବିଶ୍ୱ ବନ୍ଧୁତ୍ୱର ମାର୍ଗ ପ୍ରଶସ୍ତ ହେବ ।