ଆଡିଲେଡ୍‌,୨୩/୧୦: ଅଷ୍ଟ୍ରେଲିଆ-ଭାରତ  ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌  ଆଡିଲେଡରେ ଖେଳାଯିବ । ପର୍ଥରେ  ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ  ଶୋଚନୀୟ ଭାବେ ପରାଜିତ ହୋଇଥିଲା । ସ୍ଥାନୀୟ  ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି  ଦ୍ୱିତୀୟ ମ୍ୟାଚ୍‌ରେ ବର୍ଷାର ସମ୍ଭାବନା ନାହିଁ । ଘରୋଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାର  ଅପେକ୍ଷାରେ ରହିଥିବାବେଳେ ଭାରତ ସିରିଜକୁ  ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ଦୁଇ  ଦଳ ଆଡିଲେଡରେ ଶକ୍ତି ପରୀକ୍ଷା ଦେବେ । ମ୍ୟାଚ୍‌  ଭାରତୀୟ ସମୟ ସକାଳ ୯ଟାରୁ ଆରମ୍ଭ ହେବ ।

ପର୍ଥରେ ଜୋସ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କ ଯେମିତି ପ୍ରାରମ୍ଭରୁ ଘାତକ ସାଜିଥିଲେ ତାହା  ଅତି ଅଦ୍ଭୁତ ରହିଥିଲା । ରୋହିତ ଶର୍ମା, ବିରାଟ  କୋହଲି, ଶ୍ରେୟାସ ଆୟର ଓ ଅଧିନାୟକ ଶୁଭମନ  ଗିଲ ମାତ୍ର ୪୫ ରନ ମଧ୍ୟରେ ପାଭିଲିୟନ ଫେରି  ଯାଇଥିଲେ । ଚାମ୍ପିଅନ୍ସ ଟ୍ରଫି ପରେ ଦିନିକିଆକୁ  ପ୍ରତ୍ୟାବର୍ତ୍ତନ କରିଥିବା ଦୁଇ ଭେଟେରାନ ରୋହିତ  ଓ କୋହଲି ପ୍ରଶଂସକଙ୍କୁ ନିରାଶ କରିଥିଲେ ।  କିନ୍ତୁ ଆଲିଲେଡ୍‌ରେ ପିଚ ବ୍ୟାଟିଂକୁ ସୁହାଇବ । ତେଣୁ ଏଠାରେ ‘ରୋକୋ’ ଯୋଡ଼ି କିଛି ଚମତ୍କାର  କରି ଦେଖାଇବେ ବୋଲି ଆଶା କରାଯାଉଛି ।

କ୍ୟାରୀ, ଜାମ୍ପା ଫେରିବେ

ଅଷ୍ଟ୍ରେଲିଆ ପର୍ଥରେ ଉଭୟ ବୋଲିଂ ଓ ବ୍ୟାଟିଂରେ  ଉନ୍ନତ ପ୍ରଦର୍ଶନ କରିଥିଲା । ଅଧିନାୟକ ମିଚେଲ  ମାର୍ଶ ଅପରାଜିତ ୪୬ ରନ୍‌ କରି ଦଳକୁ ବିଜୟୀ  କରାଇଥିଲେ । ଆଲେକ୍ସ କ୍ୟାରୀ ଓ ଆଦାମ ଜାମ୍ପା  ଏକାଦଶକୁ ଫେରିବାକୁ ଯାଉଛନ୍ତି । ଉଭୟ ଫେରିବା ପରେ ଦଳ ଆହୁରି ଶକ୍ତିଶାଳୀ  ହୋଇ ଉଠିବ ।  

ଚୂଡ଼ାନ୍ତ ଏକାଦଶରେ ମିଚେଲ ମାର୍ଶ  (ଅଧିନାୟକ), ଟ୍ରେଭିସ ହେଡ୍‌, ମାଥ୍ୟୁ ସଟ, ଆଲେକ୍ସ  କ୍ୟାରୀ, ମାଥ୍ୟୁ ରେନଶୋ, କୁପର କନୋଲି, ମିଚେଲ  ଓୱେନ, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ଜୋସ  ହାଜେଲଉଡ୍‌ ଓ ଆଦାମ ଜାମ୍ପା ସ୍ଥାନ ପାଇପାରନ୍ତି ।

ପ୍ରସିଦ୍ଧଙ୍କୁ ମିଳିପାରେ ସୁଯୋଗ

ଭାରତୀୟ ଦଳରେ ସେମିତି ପରିବର୍ତ୍ତନ ଆଶା  ନାହିଁ । ବ୍ୟାଟିଂ ଅର୍ଡର ପୂର୍ବ ଭଳି ବଜାୟ ରହିବ ।  ରୋହିତଙ୍କ ଠାରୁ ରାହୁଲଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣେ  ଜଣେ ଦୁର୍ଦ୍ଧର୍ଷ ବ୍ୟାଟର । ତେଣୁ କାହାର ଖେଳକୁ  ନେଇ ପ୍ରଶ୍ନ କରିବାର ନାହିଁ । ତଥାପି ଖେଳାଳିଙ୍କ  ଫର୍ମ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ଉଭୟଙ୍କର  ଅଲରାଉଣ୍ଡ ଦକ୍ଷତା ରହିଥିବାରୁ ସେମାନଙ୍କ ଦଳରେ  ସ୍ଥାନ ଏକାପ୍ରକାର ସୁରକ୍ଷିତ ରହିଛି । ପର୍ଥରେ  କେଏଲ୍‌ ରାହୁଲଙ୍କ ସହ ଅକ୍ଷରଙ୍କ (୩୧) ଭାଗିଦାରୀ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ନୂଆ ବଲରେ ସୁଇଂ କରିବାର କଳା ପ୍ରସିଦ୍ଧଙ୍କୁ  ଭଲ ଭାବରେ ଜଣା । ତେଣୁ ହର୍ଷିତ ରାଣାଙ୍କ  ସ୍ଥାନରେ ତାଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ସବୁ ବିଭାଗରେ ସନ୍ତୁଳିତ ପ୍ରଦର୍ଶନ ଦେଇ ପାରିଲେ  ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିପାରିବ ।  

ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଶୁଭମନ  ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ  କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ,  ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର/କୁଲଦୀପ  ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ  ରାଣା/ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, ମହମ୍ମଦ  ସିରାଜ ରହିବେ ବୋଲି ଆଶା କରାଯାଉଛି ।