ନୂଆଦିଲ୍ଲୀ,୧୦/୧୦: ଆଜି ଘରୋଇ ଭାରତ  ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିବା ଘରୋଇ ଦଳ  ଆଧିପତ୍ୟ ଜାରି ରଖି ସିରିଜ ମୂଳପୋଛ କରିବାକୁ ଉଦ୍ୟମ କରିବ । ୱେଷ୍ଟ ଇଣ୍ଡିଜ୍‌ ଦଳ ଏଥର ବାଜି  ପଲଟାଇବା ପାଇଁ ତତ୍ପର ରହିଛି । ୨୮ ବର୍ଷ ପରେ  ଭାରତରେ ଏକ ଟେଷ୍ଟ ଜିତିବା ପାଇଁ ଇଣ୍ଡିଜ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ହେଉଛି ।

ଅରୁଣ ଜେଟଲୀ ଷ୍ଟାଡ଼ିୟମ ବା କୋଟଲା  ଗ୍ରାଉଣ୍ଡ୍‌ ସର୍ବଦା ଭାରତର ସଫଳ ଗ୍ରାଉଣ୍ଡ  ସାବ୍ୟସ୍ତ ହୋଇଛି । ୧୯୮୭ ପରଠୁ ଭାରତ  ଏହି ଗ୍ରାଉଣ୍ଡରେ କୌଣସି ଟେଷ୍ଟ ମ୍ୟାଚ୍‌ ହାରି ନାହିଁ । ଶେଷ ଥର ପାଇଁ ଭାରତୀୟ ଦଳ ଏହି  ଗ୍ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ ଠାରୁ ପରାଜିତ ହୋଇଥିଲା । ୱେଷ୍ଟ ଇଣ୍ଡିଜ ଦଳ ଶେଷ ଥର  ପାଇଁ ୧୯୯୭ରେ ଭାରତରେ ଟେଷ୍ଟ ମ୍ୟାଚ୍‌  ଜିତିଥିଲା । ଇତି ମଧ୍ୟରେ ୨୮ ବର୍ଷ ବିତି ଯାଇଥିଲେ  ହେଁ ୱେଷ୍ଟ ଇଣ୍ଡିଜ ବିଜୟ ସ୍ୱାଦ ଚାଖି ନାହିଁ ।

ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭ୍ରମଣକାରୀ ଦଳ ସେଭଳି ବିପର୍ଯ୍ୟୟ ଘଟାଇବା ଭଳି ମନେ ହେଉ  ନାହିଁ । ଅହମ୍ମଦାବାଦରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର  ପିଚ୍‌ ୱେଷ୍ଟ ଇଣ୍ଡିଜ ପାଇଁ ଅନୁକୂଳ ରହିଥିଲା । ମାତ୍ର ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । କୋଟଲା  ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ ପାଇଁ ଅନକୂଳ ରହିଥିଲେ  ହେଁ ଘରୋଇ ଦଳକୁ ଅଧିକ ସହାୟତା କରିବ ।  ତେଣୁ ଗିଲ ବାହିନୀର ଆଧିପତ୍ୟ ଜାରି ରହିବ ।

ଭାରତ ଏକାଦଶରେ ପରିବର୍ତ୍ତନ  କରିବା ସମ୍ଭାବନା ନାହିଁ । ତଥାପି ଦେବଦତ୍ତ  ପାଡ଼ିକଲଙ୍କୁ ଏକ ସୁଯୋଗ ଦେଇପାରେ ।  ସେ ଏକାଦଶରେ ସ୍ଥାନ ପାଇଲେ ସାଇ  ସୁଦର୍ଶନଙ୍କ ସ୍ଥାନରେ ବ୍ୟାଟିଂ କରିବେ । ୱେଷ୍ଟ  ଇଣ୍ଡିଜ ମଧ୍ୟ ଏକାଦଶରେ ସେଭଳି ପରିବର୍ତ୍ତନ  କରିବ ନାହିଁ । କେବଳ ଜୋହାନ ଲେନଙ୍କ  ସ୍ଥାନରେ ବାମ ହାତି ପେସ୍‌ ବୋଲର ଜେଡିଆ ବ୍ଲେଡ୍‌ସଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।

ଦଳର ଦୁଇ ଯୁବ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ  ଓ ସାଇ ସୁଦର୍ଶନଙ୍କ ବ୍ୟାଟ୍‌ରୁ ରନ୍‌ ବାହାରି ନାହିଁ ।  ଗିଲ୍‌ ମଧ୍ୟ ବଡ଼ ଇନିଂସ ଖେଳି ନାହାନ୍ତି । ଏମାନଙ୍କ  ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା  କରିବେ । ମାତ୍ର ସମଗ୍ର କ୍ରିକେଟ୍‌ ପ୍ରେମୀଙ୍କ ନଜର  ରବିନ୍ଦ୍ର ଜାଡ଼େଜାଙ୍କ ଉପରେ ରହିବ । ସେ ଆଉ  ୧୦ ରନ କଲେ ଟେଷ୍ଟ କ୍ରିକେଟ୍‌ରେ ୪୦୦୦ ରନ  ପୂରଣ କରିବେ । ଟେଷ୍ଟ କ୍ରିକେଟ୍‌ରେ କେବଳ  କପିଳ ଦେବ, ଇଆନ ବୋଥାମ ଓ ଡାନିଏଲ  ଭିଟ୍ଟୋରୀ ୪୦୦୦ରୁ ଅଧିକ ରନ ଓ ୩୦୦ରୁ  ଅଧିକ ୱିକେଟ୍‌ ଅକ୍ତିଆର କରିଛନ୍ତି । ଜାଡ଼େଜା  ଏହି ତାଲିକାରେ ସ୍ଥାନ ପାଇବାକୁ ଯାଉଛନ୍ତି ।

ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍‌  ବ୍ୟାଟିଂ ଅନୁକୂଳ ରହିବ । ପ୍ରଥମ ୨ଦିନ  ବ୍ୟାଟରମାନେ ଭରପୁର ଫାଇଦା ଉଠାଇ  ପାରିବେ । ତୃତୀୟ ଦିବସର ଦ୍ୱିତୀୟ ଭାଗରୁ  ପିଚ୍‌ ସ୍ପିନରମାନଙ୍କୁ ସହାୟତା କରିବା  ଆରମ୍ଭ କରିବ । ତେଣୁ ଟସ ବିଜୟୀ ଦଳ  ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, କେଏଲ ରାହୁଲ, ସାଇ  ସୁଦର୍ଶନ/ଦେବଦତ୍ତ ପାଡ଼ିକଲ, ଶୁଭମନ ଗିଲ୍‌  (ଅଧିନାୟକ), ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା,  ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ  ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ୱେଷ୍ଟ ଇଣ୍ଡିଜ: ତେଜନାରାୟଣ ଚନ୍ଦରପଲ, ଜନ  କ୍ୟାମ୍ପବେଲ, ଆଲିକ ଆଥାଞ୍ଜି, ବ୍ରାଣ୍ଡନ କିଙ୍ଗ, ସାଇ  ହୋପ୍‌, ରଷ୍ଟନ ଚେଜ (ଅଧିନାୟକ), ଜଷ୍ଟିନ  ଗ୍ରୀଭ୍‌ସ, ଜୋମେଲ ୱାରିକାନ, ଖାରି ପିୟର,  ଜୋହାନ ଲେନ/ଜେଡିଆ ବ୍ଲେଡ୍‌ସ, ଜେଡେନ ସିଲ୍ସ ।