ଭୁବନେଶ୍ୱର, ୨୩/୧୦:  ଆସନ୍ତା ନଭେମ୍ୱର ୧୦ ଓ ୧୧  ତାରିଖରେ ଅନ୍ତର୍ଜାତୀୟ ଶ୍ରୀଅନ୍ନ  ସମ୍ମିଳନୀ ଅନୁଷ୍ଠିତ ହେବ । ତେବେ  ଚଳିତବର୍ଷ ସମ୍ମିଳନୀର ଶୀର୍ଷକ  ରହିଛି "ଅନ୍ତର୍ଜାତୀୟ ଶ୍ରୀଅନ୍ନ  ସମ୍ମିଳନୀ ଓ କୃଷି ଐତିହ୍ୟରେ  ମହିଳାଙ୍କ ଭାଗିଦାରୀ’ । ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ  ଦିଆଯାଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ହେବ । ଏ ନେଇ ବୁଧବାର କୃଷି  ବିଭାଗ ମନିଟରିଂ କମିଟିର ବୈଠକ ବିଭାଗୀୟ ପ୍ରମୁଖ ସଚିବ ଡ଼ ଅରବିନ୍ଦ କୁମାର  ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଅନ୍ତର୍ଜାତୀୟ  ଶ୍ରୀଅନ୍ନ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ ।  

ଉଦଯାପନୀ ସମାରୋହରେ ରାଜ୍ୟପାଳ ଯୋଗ ଦେବେ । ଦେଶ ବିଦେଶରୁ  ବହୁ କୃଷିବିତ୍‌, ବୈଜ୍ଞାନିକ, ମହିଳା କୃଷି ଉଦ୍ୟୋଗୀ, ଏନଜିଓ, ଏଫପିଓ,  ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ । ବହୁ  ସଂଖ୍ୟକ ଚାଷୀ, ଉଦ୍ୟୋଗୀ, ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଭାଗ ନେବେ । ତେବେ  ଚଳିତବର୍ଷର ମାସ୍କଟ ମିଲି ମଧ୍ୟ ମୟୁରଭଞ୍ଜର ପ୍ରଖ୍ୟାତ ଫୁଟା ଶାଢ଼ୀ ପିନ୍ଧିବେ ।  ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଓୟୁଏଟି ଡିନ ୍‌ଡ଼ ପ୍ରସନ୍ନଜିତ  ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।