ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ଏକ ବଡ ଧରଣର ହିଂସାକାଣ୍ଡ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ସମଗ୍ର ଅଞ୍ଚଳରେ ସୁରକ୍ଷା କର୍ମୀ ନିୟୋଜିତ ରହିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଖାଲି ଏତିକି ନୁହେଁ ଇସଲାମାବାଦକୁ ଯୋଡୁଥିବା ସମସ୍ତ ରାସ୍ତାରେ ବଡବଡ କଣ୍ଟେନର ପକାଇ ଗାଡିମଟର ଚଳାଚଳକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ ରଖାଯାଇଛି। ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ ଓ ଗାଡିମଟର ଅଟକି ରହିଛି।

ସୂଚନା ମୁତାବକ, ଗାଜାରେ ଜାରି ରହିଥିବା ନରସଂହାରକୁ ବିରୋଧ କରି ତେହରିକ-ଏ-ଲବେକ(ଟିଏଲପି)ର ଲକ୍ଷଲକ୍ଷ ସମର୍ଥକ ଇସଲାମାବାଦସ୍ଥିତ ଆମେରିକୀୟ ଦୂତାବାସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଲାହୋରଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ପୋଲିସ ପ୍ରଶାସନ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା। ତେବେ ଏହି ହିଂସାତ୍ମକ ପ୍ରଦର୍ଶନରେ ଏକାଧିକ ଲୋକ ଆହତ ହେବା ସହ ଦୁଇଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି।

ଏହି ଖବର ସାମ୍ନାକୁ ଆସିବା ପରେ ଟିଏଲପି ନିଜ ସମର୍ଥକମାନଙ୍କୁ ଇସାଲାମାବାଦରେ ଧସେଇ ପଶିବାକୁ ଶେଷ ଡାକରା ଦେଇଛି। ଯେଉଁଥିପାଇଁ ଲକ୍ଷଲକ୍ଷ ପ୍ରଦର୍ଶନକାରୀ ଏବେ ମଧ୍ୟ ଇସାଲାମାବାଦ ମଧ୍ୟକୁ ଯିବା ପାଇଁ ନିଜ ଅଭିଯାନ ଜାରି ରଖିଛନ୍ତି। ଏହାପରେ ସୁରକ୍ଷା ଦଳ ପକ୍ଷରୁ ଇସାଲାମାବାଦର ସୁରକ୍ଷା ବଢାଇ ଦିଆଯିବା ସହ ସେଠାରେ ଥିବା ସମସ୍ତ ହୋଟେଲକୁ ତତ୍କାଳ ପ୍ରଭାବରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲୋହୋର ପ୍ରଦର୍ଶନରେ ଟିଏଲପିର ଦୁଇଜଣ ସମର୍ଥକ ମୃତ୍ୟୁବରଣ କରିଛନ୍ତି ବୋଲି ଦଳ ଆଧିକାରିକ ସ୍ତରରେ ଘୋଷଣା କରିଛି। ତେବେ ଏହି ସଂଘର୍ଷରେ କେବଳ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କରାଚି ପୋଲିସ ପ୍ରଶାସନ ସୂଚନା ପ୍ରଦାନ କରିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଇସଲାମାବାଦ ସ୍ଥିତ ଆମେରିକୀୟ ଦୁତାବାସ ସହ ଲାହୋର, କରାଚି ଓ ପେସାୱରରେ ଥିବା ଆମେରିକୀୟ କୂଟନୀତିଜ୍ଞମାନେ ପାକିସ୍ତାନରେ ଥିବା ଆମେରିକୀୟ ନାଗରିକଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି କରିଛନ୍ତି। ଯେଉଁଥିରେ ଭିଡଠୁ ଦୁରେଇ ରହିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ କହିଛି ଯେ, "ନିକଟବର୍ତ୍ତୀ ଅଞ୍ଚଳରେ ହେଉଥିବା ଏହି ପ୍ରତିବାଦ ପ୍ରଦର୍ଶନ ଯୋଗୁଁ  କିମ୍ବା ଅବରୋଧିତ ରାସ୍ତା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ। ଏହି ପ୍ରତିବାଦର ସମୟସୀମା ମଧ୍ୟ ଜଣାପଡିପାରିନାହିଁ। ତେଣୁ ଆମେ ଆମେରିକୀୟ ନାଗରିକମାନଙ୍କୁ ବଡ଼ ସମାବେଶକୁ ଏଡ଼ାଇବାକୁ ଏବଂ ସେମାନଙ୍କ ପାରିପାର୍ଶ୍ବିକ ଅବସ୍ଥା ବିଷୟରେ ସଚେତନ ରହିବାକୁ ପରାମର୍ଶ ଦେଉଛୁ,"

ଏହି ଘଟମାକୁ ନେଇ ପାକିସ୍ତାନରେ ପରିବେଶ ଉସ୍ମ ରହିଛି। ହଜାର ହଜାର ସଂଖ୍ୟାରେ ଲୋକ ଏହି ବିକ୍ଷୋଭରେ ଅଂଶଗ୍ରହଣ କରୁଛନ୍ତି। ଅଂଶଗ୍ରହଣକାରୀମାନେ କେବଳ ଆମେରିକା ଦୂତାବାସ ନୁହେଁ ପାକିସ୍ତାନ ସରକାରଙ୍କୁ ମଧ୍ୟ ଟାର୍ଗେଟ କରୁଥିବା ଜଣାପଡିଛି।