ଜଗତସିଂହପୁର, ୧୧/୧୦ : ଗୋମାଂସ ଚାଲାଣକୁ ନେଇ ଜଗତସିଂହପୁର ସହରରେ ଉତ୍ତେଜନା। ଗୋମାଂସ ନେଇ ଯାଉଥିବା ଏକ ସ୍କୁଟି ସହ ଜଣେ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଘଟଣାର ତଦନ୍ତ ଆରମ୍ଭ କରିଛି ଜଗତସିଂହପୁର ଥାନା ପୁଲିସ।
ସୂଚନାନୁଯାୟୀ, ଜଣେ ଯୁବକ ସ୍କୁଟି ଯୋଗେ ଗୋମାଂସ ନେଇ ଜୋତ ଅଭିମୁଖେ ଯାଉଥିଲେ। ଗାଲୁପଡା ନିକଟରେ କିଛି ସ୍ଥାନୀୟ ଲୋକ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଯୁବକଙ୍କ ଠାରୁ ଗୋମାଂସ ଜବତ କରାଯାଇଛି। ଜଗତସିଂହପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳରେ ବ୍ୟାପକ ଗୋମାଂସ ଚାଲାଣ ହେଉଥିବା ନେଇ ପୂର୍ବରୁ ବଜରଙ୍ଗ ଦଳ ଅଭିଯୋଗ ଆଣିଥିଲା। ଏହାବାଦ୍ ନିକଟରେ ଜଗତସିଂହପୁର, ପାରାଦୀପ ଓ ବିରିଡ଼ିରୁ ଗୋମାଂସ ଓ ଗୋଚମଡ଼ା ଜବତ ହୋଇଥିଲା। ପୁଲିସ ପକ୍ଷରୁ ଏନେଇ ଏକାଧିକ ମାମଲା ବି ରୁଜୁ ହୋଇଛି। ଏବେ ପୁଣି ଥରେ ଗୋମାଂସ ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।