ନୂଆଦିଲ୍ଲୀ: ସତ ଓଗାଳୁଛନ୍ତି ପାକିସ୍ତାନର ପୋଷା ଆତଙ୍କୀ। ଗତକାଲି ଅପରେସନ ସିନ୍ଦୁରକୁ ନେଇ ସତ କହିବା ପରେ ବୁଧବାର ଭାରତରେ ହୋଇଥିବା ବିଭିନ୍ନ ଆତଙ୍କୀ ଆକ୍ରମଣକୁ ନେଇ ବଡଧରଣର ଖୁଲାସା କରିଛନ୍ତି ଜଣେ ଆତଙ୍କବାଦୀ। ଯାହା ପାକିସ୍ତାନକୁ ଅକଳରେ ପକାଇ ଦେଇଛି। ଗୋଟିଏପଟେ ଭାରତର ସମସ୍ତ ଦାବି ସତ ଆଡକୁ ଇସାରା କରୁଥିବା ବେଳେ ଅନ୍ୟପଟେ ଚିନ୍ତାରେ ପଡିଗଲାଣି ପାକିସ୍ତାନ।
ସୂଚନା ଅନୁସାରେ, ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀ ସଂଗଠନର ଜଣେ ଉଚ୍ଚ ଅଧିକାରୀ ମସୁଦ ଇଲ୍ୟାସ କାଶ୍ମୀରୀ ବୁଧବାର ବିସ୍ପୋରକ ବୟାନ ଦେଇଛନ୍ତି। ଯେଉଁଠି ସେ ଏକ ଭିଡିଓରେ ସଂଗଠନର ପ୍ରତିଷ୍ଠାତା ମସୁଦ ଅଜହର ଭାରତର ଦିଲ୍ଲୀ ଏବଂ ମୁମ୍ବାଇ ଆକ୍ରମଣର ଯୋଜନା କରିବା ସହ ଏହାକୁ କାର୍ଯ୍ୟକାରୀ କରିଥିବା ନେଇ ନିଜେ ସ୍ୱୀକାର କରି କରିଛି। ଏହା ପାକିସ୍ତାନର ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେବାରେ ନିଷେଧାଜ୍ଞା କରୁଥିବା ବାରମ୍ବାର ଘୋଷଣାକୁ ଚ୍ୟାଲେଞ୍ଜ କରୁଛି। ଏହା ଜେଏମର ଦ୍ୱିତୀୟ ବଡ ଧରଣର ସ୍ୱୀକାରୋକ୍ତି, ଯେଉଁଥିପାଇଁ ଆଗକୁ ପାକିସ୍ତାନ ଉପରେ ବଡଧରଣର ଆନ୍ତର୍ଜାତିକ ଚାପର ସାମ୍ନା କରିବାକୁ ପଡିପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ, ମସୁଦ ଅଜହର ହେଉଛି ଜୈଶ-ଏ-ମୋହମ୍ମଦର ପ୍ରତିଷ୍ଠାତା ଏବଂ ଏହାର ପ୍ରମୁଖ ନେତା। ତେବେ ଏହି ଦଳକୁ ଆମେରିକା ଏବଂ ଭାରତ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ଅଜହର ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଅପହରଣ କରି ଜେଲରୁ ମୁକ୍ତି ପାଇଥିଲେ। ଜେଏମ ପାକିସ୍ତାନରେ ଆଧାରିତ ଏକ ଆତଙ୍କବାଦୀ ଗ୍ରୁପ, ଯାହା ଦୀର୍ଘ ଦଶନ୍ଧି ଧରି ଭାରତର ବିରୋଧରେ ବିଭିନ୍ନ ଆକ୍ରମଣରେ ସମ୍ପୃକ୍ତ ରିହଛି। ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ପାକିସ୍ତାନରେ ଅବସ୍ଥିତ ବାଲାକୋଟରେ ରହିଥିଲା। ତେବେ ୨୦୧୯ ମସିହାରେ ଭାରତୀୟ ବାୟୁସେନାର ଆକ୍ରମଣରେ ଏହି ଶିବିର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା।
ଆକ୍ରମଣର ବିବରଣୀ:
ସଂସଦ ଭବନ ଆକ୍ରମଣ: କାଶ୍ମୀରୀର ସ୍ୱୀକାରୋକ୍ତି ଅନୁସାରେ, ମସୁଦ ଅଜହର ଦିଲ୍ଲୀରେ ଆକ୍ରମଣ ଯୋଜନା କରିଥିଲା। ଭାରତର ରାଜଧାନୀରେ ବଡ଼ ଧରଣର ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବାର ଯୋଜନା ଥିଲା। ଯେଉଁଥିପାଇଁ ସେ ସଂସଦ ଭବନକୁ ଟାର୍ଗେଟ କରିତିଲା।
ମୁମ୍ବାଇ ୨୬/୧୧ ଆକ୍ରମଣ: ୨୦୦୮ ମସିହାର ମୁମ୍ବାଇ ଆକ୍ରମଣ (୨୬/୧୧) ପରେ ଅଜହରର ଭୂମିକା ସ୍ପଷ୍ଟ ହୋଇଛି। ଏହି ଆକ୍ରମଣରେ ୧୬୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା, ଏବଂ ଏହି ଆକ୍ରଣଣରେ ଜେଏମର ସମ୍ପୃକ୍ତତା ଆନ୍ତର୍ଜାତିକ ତଦନ୍ତରେ ପ୍ରମାଣିତ ହୋଇଥିଲା।
ପୁଲୱାମା ଆକ୍ରମଣ: ଏହି ଆତଙ୍କୀ ସଂଗଠନର ନାମ ପୁଲୱାମା ଆକ୍ରମଣ (୨୦୧୯) ସହ ମଧ୍ୟ ଯୋଡି ହୋଇ ରହିଛି। ଯେଉଁଥିରେ ୪୦ ଜଣ ଅର୍ଦ୍ଧ-ସାମରିକ କର୍ମି ବିରଗତି ପ୍ରାପ୍ତ ହୋଇଥିଲେ।
ତେବେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ଥିବା ଜେଏମର ମୁଖ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ବାୟୁସେନାର ଭୟଙ୍କର ଆକ୍ରମଣରେ ଏହି ମୁଖ୍ୟାଳୟ ଧ୍ୱଂସ ହୋଇଯାଇଥିଲା। ଏହି ଆକ୍ରମଣ ପୁଲୱାମା ଆକ୍ରମଣର ପ୍ରତିଶୋଧରେ କରାଯାଇଥିଲା। ତେବେ କାଶ୍ମୀରୀର ସ୍ୱୀକାରୋକ୍ତି ଅନୁସାରେ, ଅଜହର ଏହି ବେସ୍ରୁ ଆକ୍ରମଣ ସମ୍ପର୍କିତ ଯୋଜନା କରୁଥିଲା, ଯାହା ପାକିସ୍ତାନର ଆତଙ୍କବାଦୀ ସହାୟତାକୁ ପଦାରେ ପକାଇଛି।
ଏହି ସ୍ୱୀକାରୋକ୍ତି ପାକିସ୍ତାନକୁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାରେ ଅଭିଯୋଗରେ କରି ଆନ୍ତର୍ଜାତିକ ନିଷେଧାଜ୍ଞା ଓ ଚାପ ବଢ଼ାଇବ। ଭାରତ ପକ୍ଷରୁ ଏହା ଆତଙ୍କବାଦ ବିରୋଧୀ ଅଭିଯାନକୁ ମଜବୁତ କରିବ, ଏବଂ UN ସଂସ୍ଥାଗୁଡ଼ିକର ଧ୍ୟାନ ଆକର୍ଷଣ କରିବାରେ ସହାୟକ ହେବ। ତେବେ ଏଭଳି ଖବର ସାମ୍ନାକୁ ଆସିବା ପରେ ଆଗକୁ ଭାରତ-ପାକିସ୍ତାନ ସମ୍ପର୍କ ଆହୁରି ଖରାପ ସ୍ତରକୁ ଯାଇପାରେ ବୋଲି ଅନୁାମନ କରାଯାଉଛି।