ନୂଆଦିଲ୍ଲୀ,୨୯/୦୯: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ୧୦ ବର୍ଷ ପୂରଣ କରିଛି । ନିୟମ ମୁତାବକ, ଆକାଉଣ୍ଟ ଖୋଲିବାର ୧୦ ବର୍ଷ ପରେ କେୱାଇସି(ନୋ ୟୋର କଷ୍ଟମର) ଅପ୍ଡେଟ କରିବା ଜରୁରୀ । ସରକାର ୩୦ ସେପ୍ଟେମ୍ବର ଯାଏ ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟ ଗୁଡ଼ିକର ପୁଣି ଥରେ କେୱାଇସି କରାଇବା ଲାଗି କହିଛନ୍ତି । କେୱାଇସି କରାଇ ନ ଥିବା ବ୍ୟକ୍ତି ବିଶେଷ ଏହି ଅବଧିରେ ବ୍ୟାଙ୍କକୁ ଯାଇ ନିଜ ଆକାଉଣ୍ଟର କେୱାଇସି କରାଇନେବା ଜରୁରୀ । ଏହା ନ ହେଲେ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ନିଷ୍କ୍ରିୟ କରିଦେବେ ।
ଗ୍ରାହକ ବ୍ୟାଙ୍କ ଯାଇ ନିଜ ନାମ, ଠିକଣା ଏବଂ ଫଟୋକୁ ଅପ୍ଡେଟ୍ କରାଇବାକୁ ହେବ । ଠକେଇ ରୋକିବା ଏବଂ ବ୍ୟାଙ୍କ ସେବା ଠିକ୍ ଭାବେ ଲାଭ କରିବାରେ ଏହା ସହାୟତା କରିଥାଏ । ଗତ ୧୦ ବର୍ଷରେ ଜନଧନ ଆକାଉଣ୍ଟ ୪ ଗୁଣ ହୋଇଛି । ୨୦୨୫ରେ ଦେଶରେ ୫୬.୧୬ କୋଟି ଜନଧନ ଆକାଉଣ୍ଟ ରହିଛି । ଲୋକଙ୍କୁ ସୁବିଧା ପ୍ରଦାନ କରିବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ଯାଏ ଯାଏ ସାରା ଦେଶରେ ପଞ୍ଚାୟତ ସ୍ତରରେ ଶିବିର ଆୟୋଜନ କରୁଛନ୍ତି । ଏଠାରେ ଲୋକଙ୍କ ଖାତାକୁ ପୁନଃ କେୱାଇସି କରାଯାଉଛି । ୧ ଲକ୍ଷ ପଞ୍ଚାୟତରେ ଏଭଳି ଶିବିର ଆୟୋଜନ କରାଯାଇଛି ।