ନୂଆଦିଲ୍ଲୀ, ୨୭/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ଗଭାଇ। ନଭେମ୍ବର ୨୪ରେ ସେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ହେବେ।  ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ। ସେ ୨୦୨୭ ଫେବୃଆରୀ ୯ରେ ଅବସର ନେବେ । ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି । ପାରମ୍ପରିକ ଭାବରେ CJI ଅବସର ନେବାର ପ୍ରାୟ ଏକ ମାସ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ୍ କରିବାକୁ ଅନୁରୋଧ କରିଥିଲେ। CJI ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ସୁପାରିସ୍ କରିଛନ୍ତି। 

ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିୟାଣାର ହିସାରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଶିକ୍ଷକ ଥିଲେ। ସେ ଗାଁ ସ୍କୁଲରେ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ। ୧୯୮୧ ରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୮୪ରେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକରୁ ଲ’ ଡିଗ୍ରୀ ଶେଷ କରିଥିଲା। ୨୦୦୦ ମସିହା ଜୁଲାଇ ୭ରେ ସେ ହରିୟାଣାର ସର୍ବ କନିଷ୍ଠ  ଆଡଭୁକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପର ବର୍ଷ ତାଙ୍କୁ ସିନିଅର ଆଡଭୁକେଟ୍ ପଦ ମିଳିଥିଲା। ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ। ପରେ ୨୦୧୮ ଅକ୍ଟୋବର ୮ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏବେ ୨୪ ନଭେମ୍ବରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଗାମୀ ସିଜେଆଇ ହେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। 

ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନ୍ୟାୟିକ ଯାତ୍ରା ସାମାଜିକ ପ୍ରସଙ୍ଗ ସହ ଜଡ଼ିତ। ସେ ସାର୍ବଜନିକ ସମ୍ପତ୍ତିର ସଂରକ୍ଷଣ, ଭୂମି ଅଧିଗ୍ରହଣ, କ୍ଷତିପୂରଣ, ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ, ଆରକ୍ଷଣ ଓ ସାମ୍ବିଧାନିକ ସନ୍ତୁଳନ ବିଷୟରେ ସମ୍ଵେଦନଶୀଳ ଦୃଷ୍ଟିକୋଣ ରଖନ୍ତି। ସାମାଜିକ ନ୍ୟାୟ, ସାମ୍ବିଧାନିକ ମର୍ଯ୍ୟଦା ଓ ନାଗରିକଙ୍କ ଅଧିକାର ଦିଗରେ ସେ ସର୍ବଦା ନିଷ୍ପତ୍ତି ଶୁଣାନ୍ତି।