ଫୁଲବାଣୀ/ ଜି.ଉଦୟଗିରି / ଭଞ୍ଜନଗର,୧୯/୯ : ମଙ୍ଗଳବାର କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ ପରେ ୫୦ ମିଟର ଘାଇ ସୃଷ୍ଟି ହୋଇଛି। ରାସ୍ତା ତଳପଟକୁ ପାଖାପାଖି ୬୦ ଫୁଟ୍‌ ଖସିଯାଇଛି । ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପ୍ରଭାବରୁ ଧସି ପଡ଼ିଥିବା ବଡ଼ବଡ଼ ପଥର ଖଣ୍ଡ ସବୁକୁ ଗୁରୁବାର ସୁଦ୍ଧା ହଟାଇ ଦିଆଯାଇଛି।  ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ୩ଟି ମେସିନ୍‌ରେ ବାହାରୁ ହାଇୱା ଯୋଗେ ପଥର ଅଣାଯାଇ ଘାଇ ପୋତିବାକୁ ଚେଷ୍ଟା ଜାରି ରହିଛି । ଶୀଘ୍ର ପାହାଡ଼ କାଟି ଏକଥାକିଆ ରାସ୍ତା ବାହାର କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜୋରସୋର ଉଦ୍ୟମ କରୁଛନ୍ତି ।  

ଏପଟେ ଭୂସ୍ଖଳନର ୫ ଶହ ମିଟର ତଳକୁ ଆଉ ଏକ ମୋଡ଼ ସ୍ଥାନରେ ଘଟଣା ଦିନ ହିଁ ଭୂସ୍ଖଳନ ଘଟି ରାସ୍ତାର ଅର୍ଦ୍ଧାଧିକ ସ୍ଥାନ ଖାଇ ଯାଇଛି । ଏବେ ଏହି ବୁଲାଣି ରାସ୍ତାର ଅଧା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଉପରେ ରାସ୍ତା ରହିଛି, କିନ୍ତୁ ତଳପଟୁ ବାଲି ପଥର ସବୁ ଖସି ଯାଇଛି । ରାସ୍ତା ଦବିଯିବା କାରଣରୁ ଫାଟି ଆଁ କରି ରହିଛି । ପାଖାପାଖି ୫ ଶହ ମିଟର ଘାଟି ରାସ୍ତାରୁ ପିଚୁ ଉଠିଥିବାବେଳେ କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଗୁରୁବାର ଜାତୀୟ ରାଜପଥ ବିଭାଗ ମୁଖ୍ୟ ଯନ୍ତ୍ରୀ ନାରାୟଣ ପଟେଲ ୭ ଦିନରେ ଯାତାୟାତ ଆରମ୍ଭ କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି । ଶୁକ୍ରବାର ଏକ ବିଶେଷଜ୍ଞ ଦଳ ଏଠାରେ ପହଞ୍ଚିବେ ବୋଲି କୁହାଯାଇଛି ।

ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ସତ୍ୟ ରଞ୍ଜନ ପରିଡ଼ାଙ୍କ ସୂଚନାନୁଯାୟୀ, ଘାଟିର ତଳୁ ହିଁ ସହାୟକ କଂକ୍ରିଟ୍‌ ବାଡ଼ ଦେଇ ପଥର ସବୁକୁ କେଜ୍‌ କରି ବନ୍ଧାଗଲେ ପୁଣି ଥରେ ଘାଟି ରାସ୍ତା ସ୍ୱାଭାବିକ ହୋଇପାରିବ । ନତୁବା ପୁଣି ଥରେ ବଡ଼ଧରଣର ବର୍ଷା ହେଲେ ପକା ଯାଇଥିବା ପଥର ସବୁ ଖସିଯାଇପାରେ । କନ୍ଧମାଳ ଜିଲ୍ଲାପାଳ କହିଛନ୍ତି, ଅନ୍ତତଃ ପକ୍ଷେ ଦଶ ଦିନ ମଧ୍ୟରେ ଗାଡ଼ି ଯିବା ଆସିବା ବ୍ୟବସ୍ଥା ପାଇଁ ଉଦ୍ୟମ କରାଯାଉଛି । ବିକଳ୍ପ ବ୍ୟବସ୍ଥା ଭାବେ ଫୁଲବାଣୀରୁ ଚକାପାଦ ଦେଇ ଏବଂ ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ଦେଇ ଯାନବାହନ ଚଳାଚଳ ବ୍ୟବସ୍ଥା କରାଯାଇଛି । ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର ଏମ୍‌ସ କିମ୍ବା କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଭୁସ୍ଖଳନ ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି । ଘାଟି ରାସ୍ତାର ପୁନଃ ନିର୍ମାଣ ପାଇଁ ୬ ମାସରୁ ଅଧିକ ସମୟ ଲାଗିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ସାହୁ ଘାଟି ରାସ୍ତାକୁ ତରବରିଆ ନ କରିବାକୁ କହିଛନ୍ତି ।