ଫୁଲବାଣୀ,୧୮/୧୦ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆଦି କର୍ମଯୋଗୀ ଅଭିଯାନ ଯୋଜନାରେ ଉଲ୍ଲେଖନୀୟ ସଫଳତା ପାଇଁ କନ୍ଧମାଳ ଜିଲ୍ଲାକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଚଳିତ  ୧୭ ତାରିଖରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପ୍ରତିନିଧି ପି ମୁରଲୀ ମୋହନ, ଦୀପକ କହଁର ଓ ମନୋଜ କହଁର ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି। ସାରା ଦେଶରେ ୩୦ଟି ରାଜ୍ୟରେ ୫୫୦ରୁ ଅଧିକ ଜିଲ୍ଲାର ପ୍ରାୟ ୩୦୦୦ ବ୍ଲକରେ ଯୋଜନା ଲାଗୁ କରାଯାଇ ୧ ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦି କର୍ମଯୋଗୀ  ଚୟନ କରାଯାଇଛି। କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକର ୩୯୫ ଗ୍ରାମରେ ଏହି ଅଭିଯାନ ଚାଲୁଛି। ଏଥିପାଇଁ ପ୍ରତି ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲା ଯାଇ  ଗ୍ରାମର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର  ପ୍ରସ୍ତୁତ କରାଯାଉଛି। ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଏହି କର୍ମଯୋଗୀ ଜନ ଅଭିଯାନରେ ଦେଶରେ ଶ୍ରେଷ୍ଠ ପ୍ରଦର୍ଶନ  ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛି। ଏହି ପୁରସ୍କାରର  ଶ୍ରେୟ ଜିଲ୍ଲାପାଳ ବେଦଭୂଷଣଙ୍କ ସମେତ  ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ପ୍ରଦାନ କରିଛନ୍ତି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ।