ଭୁବନେଶ୍ୱର,୧୨/୧୦: ମହାକାର୍ତ୍ତିକରେ ଏକାମ୍ର କ୍ଷେତ୍ରର ମହାମୁନୀ କପିଳେଶ୍ୱରଙ୍କ ଶନିବାର ବେଢ଼ା ନୀତିର ପହିଲି ପାଳି ଶନିବାର ମହାସମାରୋହରେ ପାଳିତ ହୋଇଛି । ଦ୍ୱିପ୍ରହର ଧୂପ ବଢ଼ିବା ପରେ ଶ୍ରୀଜିଉ ଏକ ସୁସଜ୍ଜିତ ବିମାନରେ ବିଜେ କରି ପ୍ରଥମେ ମନ୍ଦିର ପ୍ରାଙ୍ଗଣରେ ଥିବା ଶନି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ପରେ ବେଢ଼ା ପରିକ୍ରମା କରିଥିଲେ ।
ପରିକ୍ରମା ସମୟରେ ଆପଟିଆମାନେ କିଛି କ୍ଷଣ ପାଇଁ ବିମାନକୁ ସିଦେ୍ଧଶ୍ୱର, ମା’ପାର୍ବତୀ ଏବଂ ଯଜ୍ଞକୁଣ୍ଡ ଆଦି ସ୍ଥାନରେ ଅଟକାଇ ରଖିବା ସହ ଦେବ ନୀତି ମୁତାବକ ପୂଜାର୍ଚ୍ଚନା ହୋଇଥିଲା । ପରିକ୍ରମାରେ ନାନା ପାରମ୍ପରିକ ବାଦ୍ୟ ସାଙ୍ଗକୁ ପୂର୍ବତନ ମ୍ୟାନେଜିଂ ଟ୍ରଷ୍ଟି ହରିହର ମଲିଆ ଏବଂ ରୋହିତ ପଣ୍ଡାଙ୍କ ସହଯୋଗରେ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା । ଏଥରର ଏହି ଯାତ୍ରା ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି ବୋଲି ବରିଷ୍ଠ ଆପଟିଆ ସେବାୟତ ପ୍ରଭାତ କୁମାର ମହାନ୍ତି, ପ୍ରତାପ ମଲିଆ, ରାମଚନ୍ଦ୍ର ମଲିଆ, ସୂର୍ଯ୍ୟଭାନୁ ମହାପାତ୍ର ଓ ମନ୍ଦିର ପରିଚାଳକ ଅରବିନ୍ଦ ମଲିଆ କହିଛନ୍ତି । ଠାକୁରଙ୍କ ଏହି ପରିକ୍ରମା ଯାତ୍ରାକୁ ସାଂକେତିକ ଭାବେ ରାଜ୍ୟ ପରିଚାଳନା ଓ ପ୍ରଜାଙ୍କ ଭଲମନ୍ଦ ବୁଝିବା କାର୍ଯ୍ୟ ସହ ତୁଳନା କରାଯାଉଛି ।