ନୂଆଦିଲ୍ଲୀ,୨୮/୦୯: ତାମିଲନାଡୁର କରୁର୍ରେ ଅଭିନେତା ତଥା ଟିଭିକେ (ତାମିଲଗା ଭେଟ୍ରି କାଝଗମ) ଦଳର ମୁଖ୍ୟ ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳାଚକଟା ଦେଶକୁ ଦୋହଲାଇ ଦେଇଛି । ଏଥିରେ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି । ଆହୁରି ବଢିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୯ ଶିଶୁ ୧୨ ଜଣ ମହିଳା ରହିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ୨ଜଣ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଅଘଟଣରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟିଭିକେର ଦୁଇ ନେତାଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି । ସେପଟେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ସହୟତା ଦେବାକୁ ଘୋଷଣା କରିଛନ୍ତି ବିଜୟ ।
ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟଙ୍କ ଦଲ ଟିଭିକେର ଆନନ୍ଦ ଓ ବିମଳ କୁମାରଙ୍କ ବିରୋଧରେ ଏଫଆଇଆର ଦାୟର କରିଛି । ତାମିଲନାଡୁର କରୁର୍ରେ ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ବିଜୟ ଶନିବାର ଏକ ରାଜନୈତିକ ରାଲି କରିଥିଲେ । ଏଥିରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ । ବିଜୟ ମଞ୍ଚ ଉପରେ ଭାଷଣ ଦେଉଥିଲେ । ଏହାରି ଭିତରେ ଘଟିଥିଲା ଅଘଟଣ । ଭିଡ ଭିତରେ ଆରମ୍ଭ ହୁଏ ଠେଲାପେଲା । ଆଉ ଭୟଙ୍କର ଦଳାଚକଟାରେ ଚାପି ହୋଇଯାଏ ଜୀବନ । ଅସମ୍ଭାଳ ଭିଡ ଭିତରେ ଆର୍ତ୍ତ ଚିତ୍କାର ଶୁଭିଥିଲା । ଏଥିରେ ୩୯ ଜଣଙ୍କର ଜୀବନ ଯାଇଛି । ୫୦ରୁ ଅଧିକ ଆହତ । ରାଲି ଅପରାହ୍ନ ୩ଟାରୁ ଆରମ୍ଭ ହେବାର ଥିଲା । ଲୋକମାନେ ପୂର୍ବାହ୍ନ ୧୧ଟାରୁ ଭିଡ ଜମାଇଥିଲେ । ଅଖିଆ-ଅପିଆ ବିଜୟଙ୍କ ରାଲିକୁ ଅପେକ୍ଷା କରିଥିଲେ । ସଭା ବିଳମ୍ବରେ ଆରମ୍ଭ ହେଲା । ଲୋକମାନେ ଅସହ୍ୟ ହୋଇପଡିଥିଲେ ।
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠୁ ନେଇ ରାଜନେତା । ତାମିଲନାଡୁ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଦେବାକୁ ଘୋଷଣା ହୋଇଛି । ବିଜୟ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି ।