ଭୁବନେଶ୍ୱର,୦୫/୧୧: ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ୱାର୍ଡ ଅଂଚଳରେ ଥିବା ପୁରାତନ ନାଳ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୂର୍ବରୁ ସେ ସବୁର ରକ୍ଷଣାବେକ୍ଷଣ ଜଳସଂପଦ ବିଭାଗ ହାତରେ ନ୍ୟସ୍ତ ଥିବା ବେଳେ ତ୍ୱରାନ୍ୱିତ ପଦକ୍ଷେପ ପାଇଁ ନଗର ଉନ୍ନୟନ ବିଭାଗ ବିଏମସିକୁ ଦାୟିତ୍ୱ ଦେଇଛି । କିନ୍ତୁ ଅନେକ ଦିନରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ନିଗମ ଏ ଦିଗରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରୁନି । ଫଳରେ ଅଧିକାଶ ନାଳ ପରିତ୍ୟକ୍ତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବିଏମସି ୧୮ନଂ ୱାର୍ଡ ମଧ୍ୟରେ ପ୍ରବାହିତ ହେଉଥିବା କିମ୍ଭିରିଆ ନାଳ କ୍ଷେତ୍ରରେ ।
ରସୁଲଗଡ ଜିଜିପି କଲୋନୀ- ପାଣ୍ଡରା ଛକ ରାସ୍ତାରେ ଏହାର ଅବସ୍ଥିତି । ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ସପ୍ତସତୀ ମନ୍ଦିର ନିକଟରୁ ଲମ୍ବିଥିବା ଏହି ନାଳ ଗଂଗୁଆ ସହ ମିଶିଛି । ଏହାର ପାଶ୍ୱବର୍ତ୍ତି ଅଂଚଳରେ ଏବେ ଏକାଧିକ କଲୋନୀ ବୃଦ୍ଧି ପାଇଥିବା ବେଳେ ଜନସଂଖ୍ୟା ଅହେତୁକ ବଢିଛି । କିନ୍ତୁ ବହୁବର୍ଷ ହେବ ଏହି ନାଳ ସଫେଇ ବାବଦରେ ବିଏମସି ଅବହେଳାର ଅସନ୍ତୋଷର କାରଣ ହୋଇଛି ା ଅଳିଆ ଆର୍ବଜନାରେ କିମ୍ଭିରିଆ ନାଳ କ୍ରମେ ପୋତି ହେବା ଯୋଗୁ ମଶା ଦାଉ ଲୋକଙ୍କୁ ଅତିଷ୍ଠ କଲାଣି ା ଅନ୍ୟପକ୍ଷରେ ଏଥିମଧ୍ୟରେ ଦଳ ଓ ଅନାବନା ଗଛ ଭର୍ତ୍ତି ହେବା ନେଇ ଏକ ଜଂଗଲ ଭ୍ରମ ସୃଷ୍ଟି କରିଛି । କିନ୍ତୁ ଏ ବାବଦରେ ବିଏମସି କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ ଫଳ ଶୁନ ବୋଲି କହିଛନ୍ତି ୱାର୍ଡର ଅନେକ ବାସିନ୍ଦା ।
ଗତ ୨ବର୍ଷ ପୂର୍ବେ ଏହି ନାଳର ପୁନରୁଦ୍ଧାର ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ୨,୫କୋଟି ଅର୍ଥ ବ୍ୟୟ ଧାର୍ଯ୍ୟ ହେବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଚୁଡାନ୍ତ କରାଯାଇଥିଲା । କିନ୍ତୁ ଜବରଦଖଲ ହଠାଇବା ସହଜ ନ ନେବାରେ ଯୋଜନା ଆଗେଇ ପାରିନଥିଲା । ପୁର୍ନବାର ନାଳ ମଧ୍ୟରେ ପୁରୀ ବାଇପାସ ରାଜପଥ ସହ କିଛି ଅଂଶ ସଂଯୋଗ କ୍ଷେତ୍ରରେ ଏକ ବ୍ରିଜ ନିର୍ମାଣ ପାଇଁ ୭ ମାସ ପୂର୍ବେ ୩.୫ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ା କିନ୍ତୁ ଜବରଦଖଲ ହଟିବାରେ ବିଳମ୍ବ ଯୋଗୁ ପ୍ରକଳ୍ପ ଆରମ୍ଭ ହୋଇପାରୁନି ବୋଲି ସ୍ଥାନୀୟ କର୍ପୋରେଟର ବିପ୍ଲବ ବେହେରା କହିଛନ୍ତି । ଏ ନେଇ ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ କୁହନ୍ତି ୪୫ ମିଟର ଲମ୍ବା ଓ ୧୨ ମିଟର ଓସାର ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ଆପାତତଃ ଶେଷ ହୋଇଛି । ଠିକାଦାରଙ୍କ ସହ ଚୁକ୍ତିପତ୍ର ମଧ୍ୟ କରାଯାଇଛି । ନାଳ କଡରୁ ଖୁଣ୍ଟ ହଟାଇବା ପାଇଁ ବିଦ୍ୟୁତ୍ ବିଭାଗକୁ ୧୦ଲକ୍ଷ ଟଙ୍କା ପଇଠ ହୋଇଛି ା ସେଠାରେ ଥିବା ପାନୀୟ ଜଳ ଓ କେବୁଲ ସଂଯୋଗ ହଟାଇବା ବାବଦରେ ବିଏସସିଏଲ (ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ) ଓ ୱାଟକୋ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ତେଣୁ ଶୀଘ୍ର ଜବରଦଖଲ ହଟାଇବା ପାଇଁ ବିଏମସି ଦକ୍ଷିଣ- ପୂର୍ବ ଜୋନ ଅଧିକାରୀଙ୍କୁ ବାରମ୍ବାର ଜଣାଉଛୁ ।