ନୂଆଦିଲ୍ଲୀ ୨୧/୦୯: ଶାହରୁଖ୍ଙ୍କ ଅପ୍କମିଙ୍ଗ ଫିଲ୍ମ ‘କିଙ୍ଗ୍’ରେ ଆସିବେ ଦୀପିକା ପାଦୁକୋନ । ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ ଶେୟାର କରି ସେ ଏହା ସ୍ପଷ୍ଟ କରିଛନ୍ତି । ଫିଲ୍ମର ସୁଟିଂ ବି ଆରମ୍ଭ କରିଛନ୍ତି । ଶନିବାର ଶେୟାର କରିଥିବା ପୋଷ୍ଟ୍ରେ ଦୀପିକା ଶାହରୁଖ୍ଙ୍କ ହାତ ଧରି ଫଟୋ ଶେୟାର କରିଛନ୍ତି ଏବଂ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ‘୧୮ ବର୍ଷ ତଳେ ‘ଓମ୍ ଶାନ୍ତି ଓମ୍’ର ସୁଟିଂ ସମୟରେ ଶାହରୁଖ୍ ମୋତେ ଯେଉଁ ପ୍ରଥମ ଶିକ୍ଷା ଦେଇଥିଲେ, ତାହା ଥିଲା ଫିଲ୍ମ ନିର୍ମାଣ ଏବଂ ଏଥିରେ କାମ କରୁଥିବା ଲୋକେ ଫିଲ୍ମର ସଫଳତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ମୁଁ ସମ୍ପୂର୍ଣ୍ଣ ସହମତ ଏବଂ ଏହି ଶିକ୍ଷାକୁ ନିଜର ପ୍ରତ୍ୟେକ ନିଷ୍ପତ୍ତିରେ ଲାଗୁ କରିଛି । ବୋଧହୁଏ ଏଥିପାଇଁ ଆମେ ଏବେ ୬ଷ୍ଠ ଫିଲ୍ମରେ ଏକାଠି କାମ କରୁଛୁ ।’
ଦୀପିକାଙ୍କ ପୋଷ୍ଟ୍ର ପ୍ରତିକ୍ରିୟାରେ ସ୍ୱାମୀ ରଣବୀର ସିଂହ ଲେଖିଛନ୍ତି ‘ସବୁଠୁ ଭଲ ବନ୍ଧୁ!’ ଶାହରୁଖ୍-ଦୀପିକା ପ୍ରଥମେ ‘ଓମ୍ ଶାନ୍ତି ଓମ୍’ରେ ଏକାଠି କାମ କରିଥିଲେ । ତା’ପରେ ‘ଚେନ୍ନାଇ ଏକ୍ସପ୍ରେସ୍’, ‘ହାପ୍ପି ନ୍ୟୁ ଇୟର’, ‘ପଠାନ୍’ ଓ ‘ଯବାନ୍’ ଭଳି ଫିଲ୍ମରେ ଆସିଛନ୍ତି । ‘କିଙ୍ଗ୍’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ । ସୁହାନା ଖାନ୍, ଜ୍ୟାକି ଶ୍ରଫ୍, ଅନିଲ କପୁର, ଅରଶଦ ୱାରସୀ, ରାନୀ ମୁଖାର୍ଜୀ, ଅଭିଷେକ ବଚ୍ଚନ, ଜୟଦୀପ ଅହଲାୱତ ଓ ଅଭୟ ବର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ନିର୍ମାତା ଦୀପିକାଙ୍କୁ ଏହାର ସିକ୍ୱେଲରୁ ବାହାର କରିଦେଇଛନ୍ତି । ଗତ ଗୁରୁବାର ପ୍ରଡକ୍ସନ୍ ହାଉସ୍ ଏକ ପୋଷ୍ଟ୍ ଜରିଆରେ ଏହି ସୂଚନା ଦର୍ଶକଙ୍କୁ ଦେଇଥିଲା । ନାଗ ଅଶ୍ୱିନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସ ଓ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଦୀପିକାଙ୍କ ସ୍ଥାନରେ ଖୁବ୍ଶୀଘ୍ର ଆଉ ଜଣେ ନାୟିକାଙ୍କ ନାଁ ଘୋଷଣା ହେବ ।