କୋଲକାତା: ପ୍ରକୃତିର ତାଣ୍ଡବରେ କୋଲକାତାର ହାଲ ବେହାଲ। ମଙ୍ଗଳବାର ରାତିସାରା ବାଦଲଫଟା ବର୍ଷା ହେବାଯୋଗୁଁ କୋଲକାତାରେ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିବା ସହିତ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଯାତାୟାତ ଠପ୍ ହୋଇପଡିଛି। ପଶ୍ଚିମବଙ୍ଗର ଗଣପର୍ବ ଦୁର୍ଗା ପୂଜା ଉତ୍ସବ ସମୟରେ ହୋଇଥିବା ଏହି ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କୋଲକାତା ବିମାନବନ୍ଦରର ରନୱେରେ ପାଣି ଠିଆ ହେବା ଯୋଗୁଁ ୩୦ ଟି ବିମାନ ବାତିଲ କରାଯାଇଥିବା ବେଳେ ୫୦ ରୁ ଅଧିକ ବିମାନ ପ୍ରଭାବିତ ହୋଇଛି।
ପାଣିପାଗ ବିଭାଗ ଅନୁଯାୟୀ, ସହରରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ବିଗତ ଦଶନ୍ଧି ମଧ୍ୟରେ ସର୍ବାଧିକ। କୋଲକାତାରେ ଥିବା ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇ କହିଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ତେବେ ସବୁଠୁ ବଡ କଥା ହେଉଛି ଏହି ଲଘୁଚାପ ଧିରେଧିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବାରେ ଲାଗିଛି।
ସେହିଭଳି ପଶ୍ଚିମବଙ୍ଗ ଅନ୍ତର୍ଗତ ଆଲିପୁରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୪୭.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯେଉଁଥିପାଇଁ ସ୍ଥାନିୟ ଅଞ୍ଚଳରେ ଥିବା ରାସ୍ତା, ଘର ଏବଂ ବଜାର ଆଦି ସ୍ଥାନରେ ପାଣି ଜମା ହୋଇ ରହିଛି। ଏହି ବର୍ଷା ରେଳ ଏବଂ ମେଟ୍ରୋ ସେବାକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଅନେକ ଦୂରଗାମୀ ଟ୍ରେନକୁ ବାତିଲ କରାଯାଇଛି। ଯେଉଁଥିପାଇଁ ପାର୍ବଣ ଜନିତ ଉତ୍ସବ ପ୍ରସ୍ତୁତି ଫିକା ପଡିଯାଇଛି।
କୋଲକାତାର ବିଭିନ୍ନ ଦୁର୍ଗାମଣ୍ଡପରେ ପାଣି ଜମି ରହିବା ଯୋଗୁଁ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିର୍ଦ୍ଧାରିତ ଦୁର୍ଗା ପୂଜା ଉଦଘାଟନୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଏହାସହ ସେ ତାଙ୍କର ସମସ୍ତ ବୈଠକ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଥିବା ସୂଚନା ମିଳିଛି।
କୋଲକାତାରେ ହୋଇଥିବା ଭାରି ଭାରି ବୃଷ୍ଟିପାତ କାରଣରୁ ବିମାନ କମ୍ପାନୀଗୁଡ଼ିକ ଏକ ଯାତ୍ରା ପରାମର୍ଶ ଜାରି କରି ଯାତ୍ରୀମାନଙ୍କୁ ସତର୍କତାର ସହ ଯାତ୍ରା ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଅନେକ ରାସ୍ତା ଅବରୋଧ ହୋଇଥିବା ବେଳେ ଅନେକ ରାସ୍ତା ଧୀର ଗତିରେ କାର୍ଯ୍ୟକ୍ଷମ ହେଉଛି। ଯାହା ଫଳରେ ବିମାନବନ୍ଦରକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ବିଳମ୍ବ ହେବାର ସମ୍ଭାବନା ରହିଛି।
ଲଘୁଚାପ ଯୋଗୁଁ ଦକ୍ଷିଣ ବଙ୍ଗ ଜିଲ୍ଲା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଦକ୍ଷିଣ ୨୪ ପରଗନା, ଝାରଗ୍ରାମ ଏବଂ ବାଙ୍କୁରାରେ ଆହୁରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଚେତାବନି ଜାରି କରିଛି। ତେବେ ଆସନ୍ତା ସେପ୍ଟେମ୍ବର 25 ତାରିଖ ସୁଧା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।