କୋଣାର୍କ,୧୯।୧୦ ଆସନ୍ତା ଡ଼ିସେମ୍ବର ୧୩ରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରିଟ୍ରିଟର ସପ୍ତମ ସଂସ୍କରଣ ଆରମ୍ଭ ହେବ। ଏନେଇ ରବିବାର ଅପରାହ୍ନରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ରାମଚଣ୍ଡୀ ମୁହାଣ ନିକଟରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।
ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଚଳିତ ବର୍ଷ ୭୦ ତମ୍ବୁଘର ସହିତ ଫୁଡ଼ପ୍ଲାଜ଼ା ,ସ୍ପା ନିର୍ମାଣ ହେବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଭୋଇ ଉପସ୍ଥିତ ଥିବା ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଇକୋ ରିଟ୍ରିଟ ପାଇଁ ହେବାକୁ ଥିବା ସମସ୍ତ କାର୍ଯ୍ୟ ବିଷୟରେ ଟିକିନିଖି ପଚାରି ବୁଝିଥିଲେ। ପାନୀୟ ଜଳ ଯୋଗାଣ,ବିଦ୍ୟୁତ ଯୋଗାଣ, ଫାୟାର ସେଫଟି, ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସଠିକ ସମୟରେ ସମସ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଚଳିତ ବର୍ଷ ଇକୋ ରିଟ୍ରିଟ ଡିସେମ୍ବର ୧୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ ମାସରୁ ଉର୍ଦ୍ଧ୍ବ ଦିନ ଚାଲିବା ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ,ଓ୍ବାଟକୋ ଏସଡିଓ ପ୍ରଫୁଲ୍ଲ ବେହାରା, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।