ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଲୋକର ପର୍ବ ଦୀପାବଳି ପାଳନ କରି ଲୋକମାନେ ଉତ୍ସବ ମନାଉଥିବା ବେଳେ, ସୀମା ଆରପାରିରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହୋଇଛି। ଖବର ମୁତାବକ ପାକିସ୍ତାନରେ ଗତକାଲି ରାତିଠୁ ଘନ କୁହୁଡ଼ି ସୃଷ୍ଟି ହୋଇ ସମ୍ପୂର୍ଣ୍ଣ ଆକାଶକୁ ଢାଙ୍କି ରଖିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ, ବିଶେଷକରି ରାଜଧାନୀ ଲାହୋରରେ, ବାୟୁ ଗୁଣବତ୍ତା ଦ୍ରୁତ ଭାବରେ ହ୍ରାସ ପାଇଛି। ଯେଉଁଥିପାଇଁ ମରିୟମ ନୱାଜଙ୍କ ନେତୃତ୍ୱାଧୀନ ପ୍ରାନ୍ତୀୟ ସରକାରଙ୍କ ପକ୍ଷରୁ ଚିନ୍ତା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପଦକ୍ଷେପ ଗ୍ରହଣ କରାଯାଇଛି। ପାକିସ୍ତାନର ଗଣମାଧ୍ୟମ ଡନ୍ ଏନେଇ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନର ଅଧିକାରୀମାନେ ଦୀପାବଳି ଆତସବାଜି ଏବଂ କମ୍ ଗତିରେ ବହୁଥିବା ପବନ ଦ୍ୱାରା ଭାରତରୁ ଆସୁଥିବା ସ୍ଥାନୀୟ ନିର୍ଗମନ ଏବଂ ପ୍ରଦୂଷଣର ମିଶ୍ରଣକୁ ଦାୟୀ କରିଛନ୍ତି।
ପାକିସ୍ତାନର ପଞ୍ଜାବ ପରିବେଶ ସୁରକ୍ଷା ବିଭାଗ (EPD) ଅନୁଯାୟୀ, ନୂଆଦିଲ୍ଲୀ ଏବଂ ଅନ୍ୟାନ୍ୟ ଉତ୍ତର ଭାରତୀୟ ସହରରୁ ପ୍ରଦୂଷକ ବହନ କରୁଥିବା ପବନ ପାକିସ୍ତାନର ପଞ୍ଜାବରେ ବାୟୁ ମାନକୁ ଖରାପ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମଙ୍ଗଳବାର ସକାଳ ସୁଦ୍ଧା, ଲାହୋରର AQI ୨୬୬ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଯାହା ଫଳରେ ଲାହୋର ବୈଶ୍ୱିକ ସ୍ତରରେ ନୂଆଦିଲ୍ଲୀ ପରେ, ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହେଉଛି। ସେହିଭଳି ମଙ୍ଗଳବାର ଦିନ ଅଧିକାଂଶ ପ୍ରଦୂଷଣ-ନିରୀକ୍ଷଣ ଷ୍ଟେସନରେ ନୂଆଦିଲ୍ଲୀର AQI ୩୦୦ ରୁ ଅଧିକ ରହିଥିଲା।
پنجاب حکومت نے دیوالی کے دوران فضائی آلودگی سے نمٹنے کے لئے جامع پلان پر عملدرآمد شروع کر دیا امرتسر، لدھیانہ اور ہریانہ سے آنے والی ہوائیں فضا میں آلودگی لائیں گی، لاہور کا AQI 210 سے 230 تک رہنے کا امکان، آلودہ ہاٹ اسپاٹس پر اینٹی سموگ گنز اور پانی کے چھڑکاؤ کا آپریشن رات سے… pic.twitter.com/IkqtTdyTkJ
— Marriyum Aurangzeb (@Marriyum_A) October 20, 2025
ଏହାର ମୁକାବିଲା ପାଇଁ, ପାକିସ୍ତାନର ପଞ୍ଜାବ ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁଥିରେ ଲାହୋରର ପ୍ରମୁଖ ରାସ୍ତାରେ କୁହୁଡି ହଟାଇବା ପାଇଁ ବ୍ୟବହୃତ ଯନ୍ତ୍ର ବା ଆଣ୍ଟି ସ୍ମଗ ଗନ ଏବଂ ପାଣି ସିଞ୍ଚନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ପାଇଁ ଅତି କମରେ ନଅଟି ବିଭାଗକୁ ନିୟୋଜିତ କରାଯାଇଛି। ପ୍ରାଦେଶିକ ସରକାର ମଧ୍ୟ ସ୍ମଗ ରେସପନ୍ସ ଦଳ ଗଠନ କରିଛନ୍ତି ଯେଉଁମାନେ ବାୟୁ ପ୍ରଦୂଷିତ କରୁଥିବା ଅଭିଯୋଗରେ ପ୍ରତିଷ୍ଠାନ ଏବଂ ଲୋକଙ୍କ ଉପରେ ଚଢାଉ ଜାରି ରଖିଛନ୍ତି।
ସେହିଭଳି, ସୀମାନ୍ତ ଅଞ୍ଚଳରେ ଘଣ୍ଟା ପ୍ରତି ୪ ରୁ ୭ କିମି ବେଗରେ ପବନ ବହିବା ଯୋଗୁଁ ବାୟୁମଣ୍ଡଳୀୟ କଣିକା ସୀମା ପାର ହୋଇ ଲାହୋର, ଫୈସଲାବାଦ, ଗୁଜରାନୱାଲା, ସାହିୱାଲ ଏବଂ ମୁଲତାନ ଭଳି ପାକିସ୍ତାନୀ ସହରଗୁଡ଼ିକୁ ପ୍ରଭାବିତ କରିଛି।
ସୋମବାର ସନ୍ଧ୍ୟାରେ, ଲାହୋର ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନ ପାଇଥିଲା। ଯାହାର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୮୨ (ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ସ୍ତର) ଥିଲା। ଏହା ପୂର୍ବରୁ କୋଲକାତା (୨୦୩) ଏବଂ ନୂଆଦିଲ୍ଲୀ (୨୧୩) ପ୍ରଥମ ଓ ଦ୍ୱୀତିୁୟ ସ୍ଥାନ ଅଧିଗ୍ରହଣ କରିଥିଲେ। ଉଭୟ ସହରରେ ଦୀପାବଳି ଯୋଗୁଁ ପ୍ରଦୂଷଣ ଭୟଙ୍କର ଭାବେ ବୃଦ୍ଧି ପାଇଥିଲା। ମଙ୍ଗଳବାର ସକାଳ ସୁଦ୍ଧା, ଲାହୋରର AQI ୨୬୬ ରେ ପହଞ୍ଚିଥିଲା, ଯାହା ଏହି ସହରକୁ ବୈଶ୍ୱିକ ସ୍ତରରେ ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବେ ସାମ୍ନାକୁ ଆଣିଥିଲା। ସ୍ୱିସ୍ ବାୟୁ ଗୁଣବତ୍ତା ମନିଟରିଂ ଗ୍ରୁପ୍ IQAir ମଧ୍ୟ ଲାହୋରରେ PM୨.୫ ସାନ୍ଦ୍ରତା ୧୮୭ ଗ୍ରାମ/ମିଟର ରିପୋର୍ଟ କରିଥିଲା। ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସୁପାରିଶ କରାଯାଇଥିବା ସୁରକ୍ଷିତ ବାୟୁ ସୀମା ଅପେକ୍ଷା ପ୍ରାୟ ୩୭ ଗୁଣ ଅଧିକ ଥିଲା।
ଲାହୋର ପୋଲିସ ଆଣ୍ଟି ସ୍ମଗ ଅଭିଯାନରେ ୮୩ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ କାରଖାନାରୁ ନିର୍ଗମନ ଏବଂ ଟାୟାର ଏବଂ ଅଳିଆ ପୋଡ଼ିବା ପାଇଁ ଦାୟୀ ବ୍ୟକ୍ତିମାନେ ମଧ୍ୟ ସାମିଲ ରହିଛନ୍ତି। ସେହିଭଳି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଅଧିକାଂଶ ଅଞ୍ଚଳରେ PM୨.୫ ସାନ୍ଦ୍ରତା ୨୪୮ ଗ୍ରାମ/ମି ଅତିକ୍ରମ କରିଛି। ଦିଲ୍ଲୀରେ ପାଳନ ହେବାକୁ ଥିବା ଆତସବାଜିକୁ "ଗ୍ରୀନ କ୍ରାକର" ପର୍ଯ୍ୟନ୍ତ ସୀମିତ ରଖିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ଏହାର ଅନୁପାଳନ କମ୍ ଥିଲା। ଲୋକମାନେ ସବୁଜ ବାଣ ଅପେକ୍ଷା ସାଧାରଣ ଭାବେ ବଜାରରେ ଉପଲବ୍ଧ ବାଣର ବ୍ୟାପକ ଭାବରେ ବ୍ୟବହାର କରିଥିଲେ।
ବର୍ତ୍ତମାନ ପାଇଁ, ଦୀପାବଳି ଆଲୋକ ଫିକା ପଡ଼ିଯାଇଛି ସତ, କିନ୍ତୁ ସୀମାର ଉଭୟ ପାର୍ଶ୍ୱରେ ଏକ ଘନ, ସ୍ଥାୟୀ କୁହୁଡ଼ିର ବଳୟ ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି।