ରାୟଗଡ଼ା,୬/୧୧ :  ଉତ୍ତରାଖଣ୍ଡଠାରେ ରାୟଗଡ଼ା ଜିଲ୍ଲାର ଯୁବତୀଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଫିଙ୍ଗି ଦିଆଯାଇଥିବାବେଳେ ଏବେ ପୁଲିସ ଏହାର ଖୁଲାସା କରିଛି । ପାଠ ପଢ଼ିବା ପରେ ପରିବାର ପାଇଁ କିଛି କରିବାର ସ୍ବପ୍ନ ନେଇ ସୁଦୂର ଉତ୍ତରାଖଣ୍ଡ ଯାଇଥିବା ଯୁବତୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଯୁବତୀଙ୍କ ମୃତଦେହକୁ ଫିଙ୍ଗି ଦିଆଯାଇଥିବାବେଳେ ପୁଲିସ ଏହାର ଖୁଲାସା କରିଛି ।

ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ସୃଷ୍ଟି ଶର୍ମା ଉତ୍ତରାଖଣ୍ଡର ଲାଲପୁରସ୍ଥିତ ଏକ କମ୍ପାନୀରେ ତାଙ୍କର ଇଣ୍ଟର୍ନସିପ୍ ଟ୍ରେନିଂ କରିବାକୁ ଯାଇଥିଲେ । ୨୩ ବର୍ଷୀୟା ସୃଷ୍ଟି ଗତ ୬ମାସ ଧରି ଲାଲପୁରଠାରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଟ୍ରାକ୍ଟରରେ ଇଣ୍ଟର୍ନସିପ୍ କରୁଥିଲେ। ସେ ଲାଲପୁରର ଭାରତୀୟମ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପଛରେ କାମେଶ୍ୱର ସିଂହଙ୍କ ଘରେ ଏକ ଘରେ ଭଡ଼ା ନେଇ ରହୁଥିଲେ । ମଙ୍ଗଳବାର ଅପରାହ୍ନରୁ ସୃଷ୍ଟିଙ୍କ ଫୋନ ବନ୍ଦ ଥିବାବେଳେ ଜେକେପୁରଠାରେ ଥିବା ତାଙ୍କ ପରିବାର ଯେତେ ଚେଷ୍ଟା କରିଥିଲେ ବି ସୃଷ୍ଟିଙ୍କ ସହ ଫୋନ୍‌ରେ ଯୋଗାଯୋଗ ହୋଇପାରିନଥିଲା। ଯେତେବେଳେ ସୃଷ୍ଟିଙ୍କ ପରିବାର ଲୋକ ଘର ମାଲିକ କାମେଶ୍ୱର ସିଂହଙ୍କୁ ଯୋଗାଯୋଗ କଲେ, ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ସରୋଜଙ୍କ ରୁଦ୍ରପୁରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି । ତା’ପରେ ଘର ମାଲିକଙ୍କ ପୁଅ ଅମିତଙ୍କୁ ଯୋଗାଯୋଗ କଲେ। କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ।

ଏହାପରେ ସୃଷ୍ଟି ଶର୍ମାଙ୍କ ସମ୍ପର୍କୀୟ ଭାଇ ଅମୃତ କୁମାର ତାଙ୍କ ବନ୍ଧୁ ସୁରଜ ଏବଂ ମନୀଷଙ୍କ ସହିତ ଲାଲପୁରଠାରେ ପହଞ୍ଚିଥିଲେ। ସେ ଲାଲପୁର ପୁଲିସ ଷ୍ଟେସନରେ ସୃଷ୍ଟିଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନ କରି, ସେମାନେ କାମେଶ୍ୱର ସିଂହଙ୍କ ଘର ବିପରୀତରେ ଥିବା ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ରଞ୍ଜିତ ସିଂହଙ୍କ ଘରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେମାନଙ୍କର ସନ୍ଦେହ ନେଇ ପୁଲିସକୁ କହିଥିଲେ । ଏହାପରେ ପୁଲିସ ଘର ମାଲିକଙ୍କ ପୁଅକୁ ପଚରାଉଚରା କରିବା ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠିଥିଲା । ପୁଲିସ ଅମିତଙ୍କୁ ପଚରାଉଚରା ପରେ ସେ ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ସେ ସୃଷ୍ଟିଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଇଟା ଏବଂ ପଥର ବାନ୍ଧି ଲାଲପୁର ମନ୍ଦିର ପଛପଟେ ଶ୍ରୀପୁର-ମହାରାଜପୁର ରାସ୍ତା ନିକଟରେ ବାଡୋର ନଦୀରେ ଫିଙ୍ଗି ଦେଇଥିବା କହିଥିଲେ।

ଏହି ସୂଚନା ପାଇବା ପରେ ପୁଲିସ ଆଜି ଅପରାହ୍ନରେ ନଦୀରୁ ମୃତଦେହ ଉଦ୍ଧାର କରିଛି। ପୁଲିସ ଅମିତ ସିଂହଙ୍କୁ ଗିରଫ କରିଛି ଏବଂ ହତ୍ୟାରେ ସହାୟତା କରିଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଛି। ତେବେ ଏହି ହତ୍ୟା ପଛର କାରଣ କ’ଣ ଜଣାପଡ଼ିନଥିବାବେଳେ ଏବେ ସୃଷ୍ଟିଙ୍କ ମୃତଦେହ ବ୍ୟବଛେଦ ପାଇଁ ରୁଦ୍ରପୁର ମେଡ଼ିକାଲକୁ ପଠାଯାଇଛି।