ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି) ପକ୍ଷରୁ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ‘(LeaDHer)ଲିଡ଼ହର ୨୦୨୫’ ନାମକ ଏକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏକ ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତି (ଡିଇଆଇ) ଆଧାରିତ ମହିଳା ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଅଟେ। ଓଏମସି ଏହାର ଉଦ୍ଘାଟନୀ ଅଧିବେଶନ ସଫଳତାର ସହ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ଓଏମସିର ବିଭିନ୍ନ ବିଭାଗରୁ ପ୍ରାୟ ୧୩୭ ଜଣ ମହିଳା କର୍ମଚାରୀ ଅଂଶଗ୍ରହଣ କରି ନେତୃତ୍ୱ ଦକ୍ଷତା ବୃଦ୍ଧି, ଅନ୍ତର୍ଭୁକ୍ତି ବୃଦ୍ଧି ଏବଂ ସଂଗଠନ ଭିତରେ ବଡ଼ ଭୂମିକା ଗ୍ରହଣ ପାଇଁ ପ୍ରସ୍ତୁତି କରିଛନ୍ତି।
ଉଦ୍ଘାଟନୀ ଅଧିବେଶନରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଅଲୋକ କୁମାର ପାଳ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପି ଆଣ୍ଡ ଏ) ତଲତ ଆଫ୍ରିନ, ଓଏଏସ (ଏସଏଜି) ଏବଂ ମହାପ୍ରବନ୍ଧକ (କାର୍ମିକ) ମଳୟ ରଞ୍ଜନ କର ଉପସ୍ଥିତ ଥିଲେ। ସେମାନେ ଏହି ଉଦ୍ୟମକୁ ପ୍ରଶଂସା କରି ଅଂଶଗ୍ରହଣକାରୀମାନଙ୍କୁ ବ୍ୟକ୍ତିଗତ ବିକାଶ ଏବଂ ସଂଗଠନର ଉତ୍କର୍ଷ ପାଇଁ କାର୍ଯ୍ୟକ୍ରମର ଶିକ୍ଷଣୀୟ ଦିଗଗୁଡ଼ିକୁ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ।
‘ଲିଡ଼ହର’ କାର୍ଯ୍ୟକ୍ରମ ପ୍ରଥମେ ୨୦୨୪ ମସିହାରେ ଓଏମସିର ମହିଳା ସ୍ୱାସ୍ଥ୍ୟ ଓ ଡିଇଆଇ ଫ୍ରେମୱାର୍କ ଅଧୀନରେ ଏକ ସ୍ୱାସ୍ଥ୍ୟ-କେନ୍ଦ୍ରୀୟ ଉଦ୍ୟମ ଭାବେ ଆରମ୍ଭ ହୋଇଥିଲା। ଏହାର ସଫଳତାକୁ ଆଧାର କରି, ୨୦୨୫ ସଂସ୍କରଣକୁ ନେତୃତ୍ୱ ଶିକ୍ଷଣ ଓ ବିକାଶ ଉପରେ କେନ୍ଦ୍ରୀତ କରାଯାଇ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ଯାହା ଓଏମସିର ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତି ଆଗକୁ ବଢ଼ାଇବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଏକ ଦିନିଆ ଏହି ଗହନ କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ କର୍ମଶାଳା, ଇଣ୍ଟରାକ୍ଟିଭ ଆଲୋଚନା ଏବଂ ସହକର୍ମୀଙ୍କ ମଧ୍ୟରେ ଶିକ୍ଷଣ ଅନ୍ତର୍ଭୁକ୍ତ ଥିଲା। ଏହା ନେତୃତ୍ୱର ମୁଖ୍ୟ ଦିଗଗୁଡ଼ିକୁ ଯଥା କାର୍ଯ୍ୟନିର୍ବାହୀ ଉପସ୍ଥିତି, ଅଧିକାର ବିନା ପ୍ରଭାବ, ରଣନୀତିକ ଯୋଗାଯୋଗ, ଜଟିଳ ପରିବେଶରେ ନିଷ୍ପତ୍ତି ଗ୍ରହଣ, ସ୍ଥିତିସ୍ଥାପକତା, ଆବେଗୀୟ ବୁଦ୍ଧିମତ୍ତା ଏବଂ ଦଳୀୟ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲା।
‘ଲିଡ଼ହର’କୁ ଏକ ସଂରଚିତ ନେତୃତ୍ୱ ବିକାଶ ପ୍ଲାଟଫର୍ମରେ ରୂପାନ୍ତର କରି ଓଏମସି ଏକ ପ୍ରଗତିଶୀଳ ଓ ଭବିଷ୍ୟତ-ପ୍ରସ୍ତୁତ କାର୍ଯ୍ୟକ୍ଷେତ୍ର ଗଢ଼ିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ନିଶ୍ଚିତ କରିଛି। ଯେଉଁଠାରେ ମହିଳା ପେସାଦାରମାନେ ଆତ୍ମବିଶ୍ୱାସର ସହ ନେତୃତ୍ୱ ନେଇପାରିବେ। ମୁଖ୍ୟ କାର୍ଯ୍ୟାଳୟରେ ସଫଳ ଉଦ୍ଘାଟନ ପରେ, ଡିଇଆଇ ଉଦ୍ୟମ ଅଧୀନରେ ଓଏମସିର ଖଣି ଅଞ୍ଚଳଗୁଡ଼ିକରେ ଏହିପରି ଅଧିବେଶନ ଆୟୋଜନ କରାଯିବ। ଯାହା ସମସ୍ତ କାର୍ଯ୍ୟକାରୀ ସ୍ତରରେ ବ୍ୟାପକ ପ୍ରଭାବ ସୃଷ୍ଟି କରିବ।