ମାଲକାନଗିରି, ୨/୧୧(ଆପ୍ର ) : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରଚାଲାଣର ଅଭିନବ ଉପାୟ ଆରମ୍ଭ କରିଛନ୍ତି ଗଞ୍ଜେଇ ମାଫିଆ। ଗଞ୍ଜେଇ ତରଳ କରି କରୁଥିଲେ ଚାଲାଣ। ଓଡିଶାରେ ପ୍ରଥମ ଥର ପାଇଁ ୮କୋଟି ଟଙ୍କାର ତରଳ ଗଞ୍ଜେଇ ବୋତଲ ପୁଲିସ ଜବତ କରିଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସ.ଆର ଛକ ନିକଟରେ ପୁଲିସ ଏହି ତରଳ ଗଞ୍ଜେଇ ଜବତ କରିଛି। ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଏ ନେଇ ସୂଚନା ଦେଇଛନ୍ତି।
ଚିତ୍ରକୋଣ୍ଡା ଅଞ୍ଚଳର ଏକ ଜଙ୍ଗଲରେ ଗଞ୍ଜେଇ କଲିକୁ ତରଳ କରି ବୋତଲରେ ପ୍ୟାକିଂ କରାଯାଇଥିଲା । ତରଳ ଗଞ୍ଜେଇକୁ ବାଇକରେ ଚୋରା ଚାଲାଣ କରାଯାଉଥିଲା। ଆଠ ଜଣ ବ୍ୟକ୍ତି ମୋଟର ସାଇକେଲ ସହିତ ଏସାର ଛକରେ ଏକତ୍ରିତ ହୋଇ ଆନ୍ଧ୍ର ପ୍ରଦେଶର ଜଣେ ମାଫିଆଙ୍କୁ ଏହି ଚୋରା ତରଳ ଗଞ୍ଜେଇ ଚାଳାଣ କରିବା ଅପେକ୍ଷା କରିଥିଲେ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ପୁଲିସ ଏ ନେଇ ଖବର ପାଇ ମାଡି ବସିଥିଲା। ପୁଲିସକୁ ଦେଖି ଚାଲାଣକାରୀ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ଘଟଣା ସ୍ଥଳରୁ ୮ ଟି ମୋଟର ସାଇକେଲ ସହିତ ୬୦ ଲିଟର ମୂଲ୍ୟବାନ ତରଳ ଗଞ୍ଜେଇ ବୋତଲ ଜବତ କରିଛି ପୁଲିସ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରୁ ତରଳ ଗଞ୍ଜେଇର ଚୋରା ଚାଲାଣ କରାଯାଉଥିଲା । ୬୦କିଲୋଗ୍ରାମ ତରଳ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି । ଓଡିଶା ପୋଲିସ ହାତରେ ପ୍ରଥମ ଥର ପାଇଁ ଏହି ତରଳ ଗଞ୍ଜେଇ ଧରା ପଡିଛି ।