କର୍ଲାମୁଣ୍ଡା, ୫/୯ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସାର ସଙ୍କଟ। ୟୁରିଆ ନେଇ ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼। କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହ ମାନଙ୍କରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚାଷୀମାନେ ସାର ନପାଇ ହନ୍ତସନ୍ତ ହୋଇ ଫେରି ଯାଉଛନ୍ତି। 

ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ ଥିବା ବେଳେ ୧୪ ଶହରୁ ଉର୍ଦ୍ଧ୍ବ ଚାଷୀ ଧାଡିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ସରପଞ୍ଚ ତଥା ଚାଷୀମାନଙ୍କ ଆପୋଷ ବୁଝାମଣାରେ ସାପଲହରା ପଞ୍ଚାୟତ, ରେଗଡା ପଞ୍ଚାୟତର ଚାଷୀମାନଙ୍କୁ ସାର ଦିଆଯାଉ ଥିବା ସମବାୟ ସମିତିର ସଭାପତି ଦେବରାଜ ରଣା ସୂଚନା ଦେଇଛନ୍ତି। ଠିକ୍ ସେହିପରି କର୍ଲାମୁଣ୍ଡା ସାର ଗୋଦାମ ଠାରେ ଏକ ହଜାର ସାର ବସ୍ତାକୁ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ ଲମ୍ବା ଧାଡିରେ ଅପେକ୍ଷାରେ ଅଛନ୍ତି। ଚାଷୀଙ୍କ ସଂଖ୍ୟା ଅନୁସାରେ ସାର ମହଜୁଦ ନଥିବା ଅଭିଯୋଗ ହୋଇଛି। ସେହିପରି ରିଷିଡା ପେକ୍ସରେ ୯୧୮ ବସ୍ତା ସାର ଥିବାବେଳେ ୪ଟି ପଞ୍ଚାୟତର ହଜାରେରୁ ଅଧିକ ଚାଷୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। 

ଏନେଇ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ସରିଛି। ଯଥା ଶୀଘ୍ର ଆହୁରି ସାର ଆସିବ। ଚାଷୀ ଅଧିକ ରହୁଛନ୍ତି ଓ ପର୍ଯ୍ୟାୟ କ୍ରମେ ସାର ଆସୁଛି। ଏଣୁ ସବୁ ଚାଷୀଙ୍କୁ ଏକା ସଙ୍ଗେ ୟୁରିଆ ସାର ଯୋଗାଇକୁ ମୁସ୍କିଲ ହେଉଛି। ବର୍ତ୍ତମାନ ପୁଲିସ ପ୍ରଶାସନ, ରାଜସ୍ୱ ବିଭାଗ, କୃଷି ବିଭାଗର କର୍ମଚାରୀମାନଙ୍କ ଉପସ୍ଥିତିରେ ଚାଷୀମାନଙ୍କୁ ଧାଡିରେ ଆଧାର କାର୍ଡ ପ୍ରତି ଏକ ବସ୍ତା ୟୁରିଆ ସାର ଦିଆଯାଉଥିବା ସୂଚନା ମିଳିଛି।