ନୂଆଦିଲ୍ଲୀ,୦୮/୧୦: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ, କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂହ ଧୋନୀ ଏବେ ଡ୍ରୋନ୍ ଉଡାଇବେ । ଏମ୍‌ଏସଡିଙ୍କ ବାଇକ୍‌-କାର୍‌ ସଉକ ଥିବା ସମସ୍ତ ଜାଣିଛନ୍ତି । ରାଞ୍ଚିସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ଏକାଧିକ ଦାମୀ କାର୍ ଓ ବାଇକ୍ ମଧ୍ୟ ରହିଛି । କିନ୍ତୁ ଏବେ ଡ୍ରୋନ୍ ପଛରେ ପଡିଛନ୍ତି କ୍ୟାପ୍ଟେନ୍ କୁଲ୍ । ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କଠାରୁ ଡ୍ରୋନ୍‌ ଉଡାଇବାର ଲାଇସେନ୍ସ ପ୍ରାପ୍ତ କରିଛନ୍ତି । ଏ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ମହେନ୍ଦ୍ର ସିଂହ  ।​​​​​​​

ଧୋନୀ ଡିଜିସିଏଙ୍କ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗରୁଡ଼ ଏରୋସ୍ପେସ୍‌ରୁ ଡ୍ରୋନ୍ ଉଡାଇବାର ତାଲିମ ନେଇଛନ୍ତି । ପୂର୍ବରୁ ସେ ଆଞ୍ଚଳିକ ସେନାର ସମ୍ମାନସୂଚକ କର୍ଣ୍ଣେଲ ପଦରେ ମଧ୍ୟ ଅବସ୍ଥାପିତ ହୋଇ ସାରିଛନ୍ତି । 'ଅପରେସନ୍ ସିନ୍ଦୂର'ରେ ଭାରତ-ପାକିସ୍ତାନ ୪ ଦିନିଆ ଯୁଦ୍ଧରେ ଉଭୟ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ ହୋଇଥିଲ । ଏଭଳି ସ୍ଥିତିରେ ଧୋନୀ ନିଜ ତରଫରୁ ଡ୍ରୋନ୍ ଉଡାଇବା ଲାଇସେନ୍ସ ହାସଲ କରି ପ୍ରଶଂସକଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ ଥିବା ନେଇ ସଙ୍କେତ ଦେଇଛନ୍ତି ।

୪୪ ବର୍ଷୀୟ ଧୋନୀ ବର୍ତ୍ତମାନ ଭାରତର ପ୍ରମୁଖ ଡ୍ରୋନ୍ ନିର୍ମାତା କମ୍ପାନୀ ଗରୁଡ଼ ଏରୋସ୍ପେସ୍‌ର ବ୍ରାଣ୍ଡ ଆମ୍ବାସାଡ଼ର ରହିଛନ୍ତି । କମ୍ପାନୀର ଏକ ଡ୍ରୋନ୍ ପାଇଲଟ୍ ତାଲିମ କାର୍ଯ୍ୟକ୍ରମ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା । ଡିଜିସିଏ ଅନୁମୋଦିତ ଏହି ରିମୋଟ ପାଇଲଟ୍ ତାଲିମରେ ଧୋନୀ ବ୍ୟକ୍ତିଗତ ଭାବେ ସାମିଲ ହୋଇଥିଲେ । ଫଳରେ ସେ ପାଇଲଟ୍ ଭାବରେ ପ୍ରମାଣପତ୍ର ପାଇଥିବା ଗରୁଡ ଏରୋସ୍ପେସ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି । ଧୋନୀ କ୍ରିକେଟ ସହ ଏକାଧିକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଲେପ୍ଟନାଣ୍ଟ କର୍ଣ୍ଣେଲ ହେବା ସହ ପାରାଚୁଟର୍ ଭାବେ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି ।