ଭବାନୀପାଟଣା,୦୧/୧୦: ଆଶ୍ୱିନ ମାସ କୃଷ୍ଣପକ୍ଷ ମହାନବମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ମଙ୍ଗଳବାର ପ୍ରତ୍ୟୁଷରେ ଜେନାଖାଲରେ ସମ୍ପୂର୍ଣ୍ଣ ଗୁପ୍ତ ବିଧିରେ ପୂଜାର୍ଚ୍ଚନା ସାରି ପୂଜାରୀ, ବାହୁକ,ମୁଣ୍ଡଛିନା ଆଦି ମାଆଙ୍କର ଛତର(ଛତ୍ର)କୁ ଧରି ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଜନସମୁଦ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମା'ଙ୍କଦର୍ଶନ କରିଥିଲେ । କିଛି ମାନସିକ ଧାରୀ ଶାନ୍ତିର ପ୍ରତୀକ ଶହଶହ ପାରା ଉଡ଼ାଇଥିଲେ । ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମନ୍ଦିରର ସିଂହଦ୍ୱାରଠାରୁ ମା’ଙ୍କର ଛତରଙ୍କୁ ସ୍ୱାଗତ କରି ବନ୍ଦାପନା କରିଥିଲେ । 

ନିଜେ ଛତର ଧରି ମନ୍ଦିର ଭିତରକୁ ମା'ଙ୍କୁ ପାଛୋଟି ନେଇଥିଲେ । ସକାଳ ୫ଟା ୧୦ମିନିଟ ମଧ୍ୟରେ ମା' ମାଣିକେଶ୍ୱରୀଙ୍କ ବିଜୟ ଛତର ଯାତ୍ରା ପାରମ୍ପାରିକ ବାଦ୍ୟ ଓ ଘୁମୁରା ସହ ୨୨ ଟି ସାଂସ୍କୃତିକ ଦଳର ଜୟ ଧ୍ୱନିରେ ମନ୍ଦିର ଅଭିମୁଖେ ବାହାରିଥିଲେ । ପୂର୍ବାହ୍ନ୧୧ଟା ୪୫ମିନିଟରେ ମନ୍ଦିରରେ ମା'ଙ୍କ ଛତର ପହଞ୍ଚିଥିଲେ । ଉପସ୍ଥିତ ଲକ୍ଷାଧିକ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇ ମା'ଙ୍କ ଛତର ଦର୍ଶନ କରିଥିଲେ । ମାନସିକଧାରୀମା'ଙ୍କ ଛତର ବାଦ୍ୟ ଶୁଣିବା କ୍ଷଣି ଶହଶହ ସଂଖ୍ୟାରେ ବଳି ଦେଇଥିଲେ ।ପୁଣିଥରେ ରାଜ୍ୟର ଏହି ବୃହତ୍‌ ଯାତ୍ରାରେ ରାଜପଥ ରକ୍ତରଞ୍ଜିତ ହୋଇଥିଲା । ଚଳିତ ବର୍ଷ ଛତର ଯାତ୍ରାରେ ପାଞ୍ଚଲକ୍ଷରୁ ଊଦ୍ଧ୍ୱର୍ ଭକ୍ତ ଓ ମାନସିକଧାରୀଙ୍କ ସମାଗମ ହୋଇଥିଲା । ଜେନାଖାଲଠାରୁ ମନ୍ଦିର ଯାଏଁ ମୁଖ୍ୟରାସ୍ତାରେ ଜନସମୁଦ୍ର ଦେଖାଯାଇଥିଲା । ଦାୟିତ୍ୱରେ ଥିବା ପୂଜକମାନେ ମା'ଙ୍କ ଛତର ନେଇ ଯାତ୍ରା କରିଥିଲେ ଓ ତାଙ୍କ ସହ ଜେନାବାଦ୍ୟ ଓ ଘୁମୁରା ସମେତ ନିଶାନ ଓ ୨୨ରୁ ଅଧିକ ବାଦ୍ୟ ଦଳର ବିରାଟ ବିଜୟଛତର ଯାତ୍ରା ବାହାରିଥିଲା । 

ରାସ୍ତାର ଉଭୟ ପାଶ୍ୱର୍ ଓ ବିଭିନ୍ନ କୋଠାର ଛାତରେ ଶହଶହ ଭକ୍ତ ଠୁଳ ହୋଇ ମା'ଙ୍କ ଛତର ଦର୍ଶନ କରିଥିଲେ । ଛତର ବାଦ୍ୟ ଓ ଘୁମୁରା ବାଦ୍ୟଶୁଣିବା ମାତ୍ରେ ମାନସିକ କରିଥିବା ଭକ୍ତମାନେ ସହର ବିଭିନ୍ନ ଛକ ଓ ରାସ୍ତା ପାଶ୍ୱର୍ରେ ବୋଦା,ଗଡ଼ରା, କୁକୁଡ଼ା ବଳି ଦେବା ସହିତ ଶହଶହପାରା ଉଡ଼ାଇଥିଲେ । ସ୍ଥାନୀୟ ଷ୍ଟେଚ୍ୟୁଛକ, ଘୋଡ଼ାଘାଟ ଛକ, ଜେଲ ଛକ ପ୍ରମୁଖ ସ୍ଥାନରେ ମାନସିକଧାରୀ ବଳି ଦେଇଥିଲେ । ସେହିପରି ଭବାନୀପାଟଣା ସହର ବାହାରେ ମଧ୍ୟ ରାସ୍ତା ପାଶ୍ୱର୍ ଗୁଡ଼ିକରେ ପୂଜାର୍ଚ୍ଚନା ଓ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ବଳିପ୍ରଥାକୁ ବନ୍ଦ କରାଯିବା ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ବିଶ୍ୱାସ ଓ ଶ୍ରଦ୍ଧାର ପରମ୍ପରା ଏଥର ମଧ୍ୟ ଦେଖିବାକୁ ମିଳିଥିଲା । ଛତର ଯାତ୍ରା ପାଇଁ କଳାହାଣ୍ଡି ଏସ୍‌ପି ନାଗରାଜୁ ଦେବରକୋଣ୍ଡାଙ୍କ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍‌ପି,୧୦ଜଣ ଡିଏସ୍‌ପି, ୨୦ଜଣ ଇନ୍ସପେକ୍ଟର,୩୬ଜଣ ସବ-ଇନ୍ସପେକ୍ଟର, ୪୮ ଜଣ ଏଏସ୍‌ଆଇ ସମେତ ୧୩ ପ୍ଲାଟୁନ ପୁଲିସ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟଦରୱାନଙ୍କ ସମେତ ବରିଷ୍ଠ ପ୍ରଶାସନିକଅଧିକାରୀ ଶାନ୍ତି ଶୃଙ୍ଖଳା ତଦାରଖ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗରସମନ୍ୱୟରେ ଗଣମାଧ୍ୟମ ଓ ସାମାଜିକଗଣମାଧ୍ୟମରେ ଚଳିତବର୍ଷ ମା'ମାଣିକେଶ୍ୱରୀଙ୍କ ଛତର ଯାତ୍ରାର ସିଧାପ୍ରସାରଣ ହୋଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରାବିବରଣୀ ପ୍ରଦାନ କରାଯାଇଥିଲା ।