ମୋହନା, ୨୯/୧୦ : ପ୍ରବଳ ବର୍ଷା ଯୋଗୁଁ ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବର୍ଷା ପ୍ରଭାବରେ ଗଜପତି ଜିଲ୍ଲାରେ ସୋମବାରଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଯାଏଁ ତାହା ଜାରି ରହିଛି । ମହେନ୍ଦ୍ରତନୟା ନଦୀ ଫୁଲୁଥିବାରୁ ଗୋଷାଣୀ ବ୍ଲକ ଶରଧାପୁର ପୋଲ ଉପରେ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି । ହଟିଛି ବାତ୍ଯା ବିପଦ । କିନ୍ତୁ ବାତ୍ୟାର ପ୍ରଭାବରେ ତୁହାକୁ ତୁହା ବର୍ଷା ଗଜପତି ଜିଲ୍ଲାର ସ୍ଥିତିକୁ ସଂଗୀନ କରିଛି। ଯଦିଓ ଆକଳନ ଅନୁସାରେ କ୍ଷୟକ୍ଷତି ହୋଇ ନାହିଁ, ତଥାପି ଯେତିକି ବି ହୋଇଛି ସେଥିରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନର ପୂର୍ବ ପ୍ରସ୍ତୁତି ଏବଂ ସେହି ଅନୁସାରେ କାର୍ଯ୍ୟ ଯୋଗୁଁ ଜିଲ୍ଲାରେ ସେମିତି ଧନଜୀବନ କ୍ଷତି ହୋଇନାହିଁ । ତେବେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ବାତ୍ୟା ଗଛ ଭାଙ୍ଗି ପଡ଼ିବାରୁ ଲୋକେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ଭୂସ୍ଖଳ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଅତିଶୀଘ୍ର କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସାମୁଦ୍ରିକ ଝଡ଼ ଆନ୍ଧ୍ରପ୍ରଦେଶରେ ମାଡ଼ ହୋଇଥିଲେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ଗଜପତି ଜିଲ୍ଲାରେ ପଡ଼ିଛି  । ଗତକାଲି ବିଳମ୍ବିତ ରାତିରେ ବାତ୍ୟା ସ୍ଥଳ ଭାଗ ଛୁଇଁ ଛତିଗଡ଼ ଆଡ଼କୁ ମୁହାଁଇଛି । ତେଣୁ ବାତ୍ୟା ଆଶଙ୍କା ଟଳିଯାଇଛି । ତେବେ ଗତ ୨୭ତାରିଖଠାରୁ ଗଜପତି ଜିଲ୍ଲାରେ ଏହାର ପ୍ରଭାବ ପରିଲିକ୍ଷିତ ହୋଇଛି । ପାହାଡ଼ିଆ ଭୂସ୍ଖଳନ ହେବା ସହ ଗମନାଗମନରେ ବାଧା ସୃଷ୍ଟି ହୋଇଛି । ଜିଲ୍ଲାର କାଶୀନଗର ବ୍ଲକର ଲିଙ୍ଗା, ରାୟଗଡ଼ ବ୍ଲକ ଏସ.କରଡାସିଂ ପଞ୍ଚାୟତର ବଣ୍ଡା, ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚାୟତ ବଡଗାଁ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ କିଛି ସ୍ଥାନରେ ରାସ୍ତା ମଧ୍ଯ ଧୋଇ ହୋଇଯାଇଛି । ତେବେ ପ୍ରଶାସନର ପୂର୍ବ ପ୍ରସ୍ତୁତି ସହ ସେହି ଅନୁସାରେ କାର୍ଯ୍ୟ ଯୋଗୁଁ ଅନେକ ଅବରୋଧ ହଟାଇ ରାସ୍ତା ସ୍ବାଭାବିକ କରାଯାଇ ପାରିଛି । ତଥାପି ଏବେ ବି କିଛି ଅଞ୍ଚଳର ସ୍ଥିତି ସ୍ବାଭାବିକ ହୋଇପାରିନାହିଁ । ପାହାଡ଼ରୁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥିବାରୁ ବିଭିନ୍ନ ଗାଁର ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଯିବା ସମ୍ଭବ ହେଉନଥିବା କହିଛନ୍ତି । ଗୋଟିଏ ସ୍ଥାନରେ ରାସ୍ତା ସଫେଇ କଲା ବେଳେ ଆଉ ଗୋଟିଏ ସ୍ଥାନରେ ମାଟି ଅତଡ଼ା ଧସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କେବଳ ମାଟି ଅତଡ଼ା ଧସିଛି ତାହା ନୁହେଁ, ପ୍ରବଳ ବର୍ଷା ଯୋଗୁଁ ମହେନ୍ଦ୍ରତନୟା ନଦୀ ମଧ୍ୟ ଫୁଲିବାରେ ଲାଗିଛି । ପୋଲ ଉପରେ ପ୍ରାୟ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଛି । ଫଳରେ ଶରଧାପୁର, ଭିନ୍ନଳା, ବାପୁଜୀ ପେଣ୍ଠ ଗାଁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ସେପଟେ ରାସ୍ତା ଅବରୋଧ ହଟାଇବା ପାଇଁ ସଫେଇ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ବାରମ୍ବାର ବର୍ଷା ଏବଂ ହାଲୁକା ମାଟି ଯୋଗୁଁ ସଫେଇ ସମୟରେ ମାଟି ଅତଡ଼ା ପୁଣି ଧସୁଥିବାରୁ ସମସ୍ୟା ଉପୁଜିଥିବା କହିଛନ୍ତି କାର୍ଯ୍ୟରତ ଗଜପତି ଜିଲ୍ଲାରେ ବାତ୍ୟାର ପ୍ରଭାବ ଯଥେଷ୍ଟ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା ।

ତେଣୁ ଏହାକୁ ଦୃଷ୍ଟିରେ ରଖି ୨୮୭ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ଯେଉଁଠାରେ ୧୦ହଜାର ଲୋକଙ୍କୁ ରଖାଯାଇଛି । ବାତ୍ୟା ମୋନଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଦିନ ଧରି ବର୍ଷା ଲାଗି ରହିଛି। ତେଣୁ କିଛି ସ୍ଥାନରେ ମାଟି ଅତଡ଼ା ଧସିଥିବାବେଳେ କିଛି ଲୋକଙ୍କ ଘର ଭାଙ୍ଗିଛି । ସେଗୁଡ଼ିକ ସଫା କରି ସ୍ଥିତି ସ୍ବାଭାବିକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅତିଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କ୍ଷତିପୁରଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିରୋ କାଜୁଆଲିଟି ଉପରେ ସରକାର ଯେଉଁ ଫୋକସ କରିଥିଲେ ତାହା ବର୍ତ୍ତମାନ ଯାଏଁ ଗଜପତି ଜିଲ୍ଲାରେ ସଫଳ ହୋଇଛି l