ନୂଆଦିଲ୍ଲୀ: ଅଶାନ୍ତ ହୋଇଉଠୁଛି ଇଂଲଣ୍ଡ। କେତେବେଳେ କିଏ ଲୋକମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଲାଣି ତ କିଏ ଲୋକଙ୍କ ଉପରେ ଗାଡି ଚଢାଇ ଦେଲାଣି। ଏଇଭଳି ଏକ ସମାନ ଧରଣର ଘଟଣାରେ ଗୁରୁବାର ଇଂଲଣ୍ଡର ମାଞ୍ଚେଷ୍ଟରରେ ଘଟିଛି। ଯେଉଁଠି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଲୋକମାନଙ୍କ ଭିଡ ଉପରେ ନିଜ ଗାଡି ଧସେଇ ପୁରାଇବା ସହ ସେମାନଙ୍କ ଉପରେ ଛୁରାମାଡ କରିଛନ୍ତି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ଅତାତାୟୀ ଜଣଙ୍କୁ ଗୁଳିମାରି ନିହତ କରିଛନ୍ତି।

ଗ୍ରେଟର ମାଞ୍ଚେଷ୍ଟର ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ଟା ୩୦ ସମୟରେ ହିଟୋନ ପାର୍କ ହିବ୍ରୁ ଅଞ୍ଚଳରେ ଜଣେ ଅତାତାୟୀ ପଦଚଲା ରାସ୍ତାକୁ ନିଜ କାର ସହ ଧସେଇ ପଶିଥିଲେ। ଯାହାଫଳରେ ରାସ୍ତାରେ ଯାଉଥିବା ଅନେକ ଲୋକ ଆହତ ହୋଇଥିଲେ। ତେବେ ଅତାତାୟୀ ଜଣଙ୍କ ହଠାତ୍ କାରରୁ ବାହରି ନିକଟରେ ଥିବା ଜଣଙ୍କ ଉପରେ ଛୁରି ଦ୍ୱାରା ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅତିକମରେ ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ନିକଟ ଅଞ୍ଚଳରେ ଉପସ୍ଥିତ ଥିବା ଜଣେ ପୋଲିସ କର୍ମଟଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତାତାୟୀ ଜଣଙ୍କୁ ଗୁଳି କରିଥିଲେ। ଯେଉଁଥିରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କେଇର ଷ୍ଟାଇମର ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି। ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ଏନେଇ ରିପୋର୍ଟ ପ୍ରକାଶ କରିଛି ଯେ ଏହି ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ପୁଲିସ ଛାଉଣୀ ଆରମ୍ଭ ହୋଇଯାଇଥିଲା। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ଡାକ୍ତରଖାନା ନେବାପାଇଁ ଏକାଧିକ ଆମ୍ୱୁଲାନ୍ସ ନିୟୋଜିତ ରହିଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ଅଞ୍ଚଳରେ ବମ ନିଷ୍କ୍ରିୟକାରୀ ଦଳ ମଦ୍ୟ ଉପସ୍ଥିତ ରହିଛନ୍ତି। ଯାହା ଏହି ଆକ୍ରମଣ ଘଟଣାକୁ ଅଧିକ ଗୁରୁତର କରିଛି।  

ଗ୍ରେଟର ମାଞ୍ଚେଷ୍ଟରର ମେୟର ଆଣ୍ଡି ବର୍ଣ୍ଣହାମ ଏହି ଆକ୍ରମଣ ଘଟଣାକୁ ଅତ୍ୟନ୍ତ ଗୁରୁତର ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ଏମିତି ହେବ ବୋଲି କେହି କଳନା ମଧ୍ୟ କରିନଥିଲେ। ତେବେ ଆମ ପୋଲିସ ବିଭାଗ ଏକ ବହୁତ ବଡ ବିପଦରୁ ଆମମାନଙ୍କୁ ରକ୍ଷା କରିଛନ୍ତି। ତେବେ ସାଧାରଣ ଲୋକଙ୍କୁ ଉକ୍ତ ଅଞ୍ଚଳରୁ ଦୁରେଇ ରହିବା ପାଇଁ ସେ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି।

ଏଯାଏ ଏହି ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।