ମାଲକାନଗିରି,୮/୧୧ :  ବାହାର ରାଜ୍ୟକୁ ଚୋରାଚାଲାଣ ପାଇଁ ଘଞ୍ଚ ଜଙ୍ଗଲରେ ଗଛିତ ଥିବା ୨କୋଟି ୨୫ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିଛି ପୁଲିସ । ମାଲକାନଗିରି ଜିଲ୍ଲା ଏମଭି୭୯ ଥାନାସ୍ଥ ତେଲ ରାଇ ପଞ୍ଚାୟତର ଯାକଲଗୁଣ୍ଡି ଜଙ୍ଗଲକୁ ଏମଭି୭୯ ଥାନା ପୁଲିସ ଶୁକ୍ରବାର ପାଟ୍ରୋଲିଂରେ ଯାଇଥିବାବେଳେ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଥିଲେ । ସେହି ଜଙ୍ଗଲରେ ବହୁ ପରିମାଣ ଗଞ୍ଜେଇ ଗଛିତ ରହିଛି । ପୁଲିସ୍ ଟିମ୍ ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ କିଛି ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ଥିବା ଦେଖି ଜବତ କରିଥିଲେ।  

ଏହି ଗଞ୍ଜେଇ ଗୁଡ଼ିକୁ ଓଜନ କରିବାରୁ ୪କୁଇଣ୍ଟାଲ୫୦କେଜି ହୋଇଥିଲା । ଯାହାର ମୂଲ୍ୟ ପ୍ରାୟ ୨କୋଟି ୨୫ ଲକ୍ଷ ଟଙ୍କା ହେବ । ଏ ସମ୍ପର୍କରେ ଏମଭି ୭୯ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଅଞ୍ଚଳର ରାଜଦୀପ ରାୟ ଓ ଅନ୍ୟକିଛି ବ୍ୟକ୍ତି ଏହି ଗଞ୍ଜେଇ ଗୁଡ଼ିକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖିଥିଲେ। ପୁଲିସକୁ ଦେଖି ସେ ଜଙ୍ଗଲରୁ ଲୁଚି ପଳାଇଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ଏ ସମ୍ପର୍କରେ ଜୋରଦାର ତଦନ୍ତ ଜାରି ରହିଛି ବୋଲି ଆଜି ଅପରାହ୍ନରେ ଅତିରିକ୍ତ ଏସପି ରଶ୍ମି ରଞ୍ଜନ ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।