ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥ (NH-48)ରେ ଲଗାତାର ଚତୁର୍ଥ ଦିନ ପାଇଁ ଭୟଙ୍କର ଭିଡ ପରିଲକ୍ଷିତ ହୋଇଛି। ଯାହା ରାସ୍ତାରେ ଯାଆସ କରୁଥିବା ଯାତ୍ରୀଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି। ଘଣ୍ଟା ଘଣ୍ଟା ଧରି ଲାଗି ରହିଥିବା ଏହି ଟ୍ରାଫିକ୍ ଜାମ୍ ଯୋଗୁଁ ଲୋକମାନେ ଭିଡ ଭିତରେ ଫସି ରହିଛନ୍ତି। କେତେକ ଲୋକ ଦୀର୍ଘ ଦିନେ ଧରି ଏହି ଟ୍ରାଫିକ୍ ଜାମରେ ଫସି ରହିଥିବା ଦାବି କରିଛନ୍ତି।

ଏହି ଲମ୍ବା ଟ୍ରାଫିକ ଜାମ ଯୋଗୁଁ ଲମ୍ୱା ଧାଡ଼ିରେ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ବିମାନ ଏବଂ ଟ୍ରେନରେ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀମାନେ ଫସିରହିଛନ୍ତି। ଅନେକ ଯାତ୍ରୀ ସେମାନଙ୍କର ଟ୍ରେନ ଓ ବିମାନ ସମୟରେ ଧରି ନପାରିବାରୁ ଯାତ୍ରା ବାତିଲ କରିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଥାନେ ସ୍ଥିତ ଗୟାମୁଖ ଘାଟରେ ବର୍ତ୍ତମାନ ଏହି ରାଜରାସ୍ତାର ମରାମତି କାମ ଜାରି ରହିଛି। ଯେଉଁଥିପାଇଁ ସ୍ଥାନୀୟ ଅଧିକାରୀ ଏହି ରାସ୍ତାକୁ ଆସନ୍ତା ତିନିଦିନ ଯାଏ ଭାରୀ ଯାନ ଚଳାଚଳା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଭାରୀଯାନ ଚଳା ଚଳ ପାଇଁ ଅନ୍ୟ ଏକ ବିକଳ୍ପ ମାର୍ଗ ବଛାଯାଇଥିଲା। ତେବେ ଏହି ପ୍ରତିବନ୍ଧକ ସତ୍ତ୍ୱେ ବହୁ ପରିମାଣରେ ଭାରୀଯାନ ଏହି ରାସ୍ତା ଦେଇ ଯାଆସ ଆରମ୍ଭ କରିଦେଇଥିଲେ। ଯାହାଫଳରେ ଉକ୍ତ ରାସ୍ତାରେ ଭାରି ଟ୍ରାଫିକ ସମସ୍ୟା ପରଲକ୍ଷିତ ହୋଇଥିଲା। ରାସ୍ତାରେ ପ୍ରତିଦିନ ଯାଆସ କରୁଥିବା ଲୋକମାନେ ଅବିଯୋଗ କରିଛନ୍ତି ଯେ, ଏହି ଭିଡ ଯୋଗୁଁ ସେମାନଙ୍କୁ ୮ ଘଣ୍ଟାରୁ ଆରମ୍ଭ କରି 15 ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମରେ ସମୟ କାଟିବାକୁ ପଡୁଛି। ଅନ୍ୟପଟେ ଆମ୍ୱୁଲାନ୍ସ ଭଲି ଜରୁରୀକାଳିନ ସେବା ଯୋଗାଉଥିବା ଗାଡି ଗୁଡିକ ମଧ୍ୟ ଏହି ଭିଡରେ ଫସି ରହିଛନ୍ତି।

ବର୍ତ୍ତମାନ ଦେଖାଯାଉଥିବା ଏହି ଭିଡ଼ କୌଣସି ନୂତନ ଘଟଣା ନୁହେଁ। ଗତ ସାତରୁ ଆଠ ବର୍ଷ ଧରି, ଏହି ରାଜପଥରେ ଯାତ୍ରୀମାନେ ସମାନ ଅସୁବିଧାର ସମ୍ମୁଖୀନ ହୋଇଆସୁଥିବା ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଭାବେ ଭର୍ସୋଭା ସେତୁ ମରାମତି ଏବଂ ନୂତନ ସେତୁ ନିର୍ମାଣ କାରଣରୁ ଏହି ଜାମ୍ ସୃଷ୍ଟି ହୋଇଥିଲା, ଯାହା ଦୁଇରୁ ତିନି ବର୍ଷ ଧରି ଲଗାତାର ଭାବେ ଜାମ୍ ସୃଷ୍ଟି କରିଥିଲା।

ପ୍ରତିବର୍ଷ ହେଉଥିବା ମୌସୁମୀ ଜନିତ ବର୍ଷା ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଥାଏ। ବର୍ଷା ପରେ ରାସ୍ତାରେ ସୃଷ୍ଟି ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଏ। ବର୍ଷା ଋତୁ ଯିବା ପରେ ରାସ୍ତା ଧିରେଧିରେ ଭାଙ୍ଗିବାରେ ଲାଗିପଡ଼େ। ବାରମ୍ୱାର ଏହି ଘଟଣା ଘଟିବାରୁ ସରକାର ଏହି ରାସ୍ତାକୁ ସିମେଣ୍ଟ-କଂକ୍ରିଟ୍ ଭାବେ ତିଆରି କରିବା ପାଇଁ 600 କୋଟି ଟଙ୍କା ବିନିଯୋଗ କରିଥିଲେ। ଏହା ପରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଜାରି ରହିଛି।