ନୂଆଦିଲ୍ଲୀ,୦୬/୧୧: ରତନ  ଟାଟାଙ୍କ ଅତି ଘନିଷ୍ଠ ରହି ଆସିଥିବା ମେହଲୀ ମିସ୍ତ୍ରୀ ଟାଟା ଟ୍ରଷ୍ଟ୍‌ସର ୩ଟି  ଟ୍ରଷ୍ଟରୁ ଇସ୍ତଫା ଦେଇଛନ୍ତି । ଏଥିରେ ସାର୍‌ ରତନ ଟାଟା ଟ୍ରଷ୍ଟ, ସାର୍‌  ଦୋରାବ୍‌ଜୀ ଟାଟା ଟ୍ରଷ୍ଟ ଏବଂ ବାଇ  ହୀରାବାଇ ଜେ. ଏନ୍‌. ଟାଟା ନାବସାରୀ  ଚାରିଟେବୁଲ ଇନ୍‌ଷ୍ଟିଚ୍ୟୁସନ୍ସ ଟ୍ରଷ୍ଟ  ସାମିଲ ଅଛି । ନଭେମ୍ବର ୪ରେ ଏକ  ପତ୍ରରେ ମିସ୍ତ୍ରୀ ଏ ସୂଚନା ଦେଇଛନ୍ତି । 

ବିଗତ ଦିନରେ ଟାଟା ଟ୍ରଷ୍ଟ୍‌ସର  ପ୍ରମୁଖ ଦାତବ୍ୟ ସଂସ୍ଥାଗୁଡ଼ିକରେ  ମିସ୍ତ୍ରୀଙ୍କ ପୁନଃନିଯୁକ୍ତିକୁ ନେଇ ମତଦାନ  ହୋଇଥିଲା । ଏଥିରେ ୩ ଜଣ ଟ୍ରଷ୍ଟି  ନୋଏଲ୍‌ ଟାଟା, ବେଣୁ ଶ୍ରୀନିବାସନ  ଏବଂ ବିଜୟ ସିଂହ ତାଙ୍କ ପୁନଃନିଯୁକ୍ତି  ବିରୋଧରେ ମତଦାନ କରିଥିଲେ ।  ମିସ୍ତ୍ରୀଙ୍କ କାର୍ଯ୍ୟକାଳ ଅକ୍ଟୋବର ୨୮ରେ  ଶେଷ ହୋଇଛି ।  ମିସ୍ତ୍ରୀ ନିଜ ପତ୍ରରେ କହିଛନ୍ତି  ଯେ, ରତନ ଟାଟାଙ୍କ ଦୂରଦୃଷ୍ଟି ପ୍ରତି  ମୋର ସମର୍ପଣପୂର୍ବକ ଦାୟିତ୍ୱ ହେଉଛି  ଟାଟା ଟ୍ରଷ୍ଟ୍‌ସକୁ କୌଣସି ବିବାଦକୁ ମୁଁ  ନ ଆଣେ । ବିବାଦରୁ ବଞ୍ଚିବା ପାଇଁ  ଇସ୍ତଫା ଦେଇଛି ।

ମିସ୍ତ୍ରୀ ଏବେ ବି ଟାଟା  ଏଜୁକେଶନ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ  ଟ୍ରଷ୍ଟ(ଟିଇଡିଟି) ଏବଂ ବ୍ରୀଚ୍‌ କ୍ୟାଣ୍ଡି  ହସ୍ପିଟାଲ ସହ ଯୋଡ଼ି ହୋଇ ରହିବେଯେଉଁଠି ଟାଟା ଗ୍ରୁପ୍‌ ଇତି ମଧ୍ୟରେ  ସିଏସ୍‌ଆର୍‌ ପାଣ୍ଠିରୁ ୫୦୦ କୋଟି ଟଙ୍କା  ଦାନ କରିଛି । ରତନ ଟାଟାଙ୍କ ପରଲୋକ  ପରେ ନୋଏଲ୍‌ ଟାଟା ଟ୍ରଷ୍ଟ୍‌ସର ଅଧ୍ୟକ୍ଷ  ଦାୟିତ୍ୱ ସମ୍ଭାଳୁଛନ୍ତି ଏବଂ ସେବେଠାରୁ  ଟ୍ରଷ୍ଟ୍‌ର ଦୃଢ଼ୀକରଣ ହେଉଛି ।