ଆମର ବର୍ତ୍ତମାନ ଓ ଆଗକୁ କ୍ରିୟାନ୍ୱିତ ହେବାକୁ ଥିବା ବନ୍ଦରସମୂହ ଆମର ଅର୍ଥନୀତିରେ ଇଞ୍ଜିନ ଭଳି କାମ କରିବ । ଆଗାମୀ ଅଢ଼େଇ ଦଶନ୍ଧି ଧରି ଆମ ବନ୍ଦର ଆମ ଯୁବପିଢ଼ିଙ୍କ ପାଇଁ ରୋଜଗାର, ସ୍ୱରୋଜଗାର ତଥା ବଡ଼ ମାତ୍ରାରେ ଉଦ୍ୟମୀ କରିବାର ରାସ୍ତା ଖୋଲିବ । ପୂର୍ବ-ଭାରତର ଉପକୂଳରେ ଓଡ଼ିଶାର ରଣନୈତିକ ଅବସ୍ଥିତିର ଫାଇଦା ନେବାର ବେଳ ଆସିଛି ।
ନୂଆଦିଲ୍ଲୀ,୦୫/୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଖାଲି ସନାତନୀ ଧର୍ମ ବିଶ୍ୱାସର ଏକ ପ୍ରମୁଖ ଦିବସଟିଏ ନୁହେଁ । ମହାନ ଓଡ଼ିଆ ସଭ୍ୟତା, ସଂସ୍କୃତି ତଥା ଆର୍ଥିକ ପ୍ରଗତିର ମୂକସାକ୍ଷୀ ଭଳି ଦିନଟିଏ । ଆଜି ଦିନ ଅତୀତର ସ୍ମୃତିକୁ ତାଜା କରୁଛି । ବଡିଭୋରରୁ ଆପଣମାନେ ସାମିଲ ହୋଇଥିବେ ଡଙ୍ଗାଭସା ଓ ବୋଇତ ବନ୍ଦାଣ ପରି କାର୍ଯ୍ୟକ୍ରମରେ । ଆମର ସାଧବ ପୁଅ ସାତ ଦରିଆ ତେର ନଈ ଡେଇଁ ବିଦେଶରେ ବେପାର ବଣିଜ କରି ଓଡ଼ିଶାକୁ ଧନଧାନ୍ୟରେ ପରିପୂର୍ଣ୍ଣ କରିଥିବା ସ୍ମୃତିର ଦିନ ଆଜି । ଏହି ପବିତ୍ର ଦିନରେ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଅତୀତର ନିଅଁ ଉପରେ ଠିଆହୋଇ ଅଭିନନ୍ଦନ ଜଣାଉଛି । ପୁଣି ଓଡ଼ିଶାର ହୃତଗୌରବ ଫେରାଇ ଆଣିବା ପାଇଁ ଓଡ଼ିଆ ଜାତିର ସଂକଳ୍ପକୁ ଦୋହରାଉଛି । ମୋର ସ୍ପଷ୍ଟ ମନେଅଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପାଳି ଶାସନରେ ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରରେ ଜନସଭା କରୁଥାନ୍ତି । ଓଡ଼ିଶାର ଯଶକୀର୍ତ୍ତି ଚାରଣ କରି ସେ ମହାକବି କାଳିଦାସଙ୍କ ମହାକାବ୍ୟ କୁମାରସମ୍ଭମ’ର ଅବତାରଣା କରିଥିଲେ ।
ତାଙ୍କ ମହାକାବ୍ୟରେ ମହାକବି କାଳିଦାସ କଳିଙ୍ଗର ସମ୍ରାଟଙ୍କୁ ମହୋଦଧିପତି, ଅର୍ଥାତ୍ ସମୁଦ୍ରର ରାଜା ଭାବରେ ବର୍ଣ୍ଣନା କରିଥିବା ଜନସମୁଦ୍ର ସମାନରେ ଅବତାରଣା କରିଥିଲେ । ବିଜେପିର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏହି ବିଶାଳ ଜନସଭାରେ ସାମିଲ ହେବାର ସୌଭାଗ୍ୟ ମୋର ଥିଲା । କଳିଙ୍ଗର ରାଜାମହାକବି କାଳିଦାସ-ମହୋଦଧିପତି ଶବ୍ଦରେ ସମବେତ ବିଶାଳ ଜନସମୁଦ୍ରରେ ସତେଯେମିତି ବଡ଼ ଜୁଆର ଆସିବାର ସ୍ମୃତି ଆଜିବି ମୋ ମନରେ ତାଜା ଅଛି । ଓଡ଼ିଶାର ଗୌରବମୟ ପରମ୍ପରା ଓ ଆର୍ଥିକ ପ୍ରଗତିର କାହାଣୀ ଆହୁରି ଅଧିକରୁ ଅଧିକ ଜାଣିବା ପାଇଁ ମୋ ମନରେ ଉତ୍ସୁକତା ଜାଗିଥିଲା । ଲୋକଙ୍କ ହୃଦୟର କଥା କହିଲେ କେମିତି ଲୋକଙ୍କ ମନକୁ ବିଜୁଳି ବେଗରେ ଛୁଇଁପାରେ ସେଦିନ ମୁଁ ମର୍ମେ ମର୍ମେ ଅନୁଭବ କରିଥିଲି । ଆଜି ଦିନରେ ମୁଁ ଓଡ଼ିଶାର ବନ୍ଦର ନଗରୀ ପାରାଦୀପଠାରେ ଐତିହାସିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ତଥା କଟକର ଐତିହାସିକ ବାଲିଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବାର ଅଛି ।
ଏହି ଐତିହାସିକ କାର୍ଯ୍ୟକ୍ରମମାନଙ୍କରେ ଯୋଗଦେବା ପାଇଁ ଜଣେ ସାଧାରଣ ଓଡ଼ିଆ ଭାବରେ ମୁଁ ବେଶ୍ ଗର୍ବିତ । ମୁଖ୍ୟମନ୍ତ୍ରୀ ଭାବରେ ଆପଣମାନେ ଓଡ଼ିଶାର ବିକାଶର ମଙ୍ଗ ଧରାଇଛନ୍ତି । ସାରା ବିଶ୍ୱରେ ଅର୍ଥନୈତିକ ସ୍ଥିତିରେ ଏବେ ଏକପ୍ରକାର ଅନିଶ୍ଚିତତା ଦେଖାଦେଇଛି । ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ବିବାଦ ଓ ଯୁଦ୍ଧସ୍ଥିତି ବିଶ୍ୱର ଅର୍ଥନୀତିକୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡୁଛି । ଏସବୁ ଭିତରେ ଦେଶର ଜନପ୍ରିୟ ନେତା ତଥା ଗରିବ କଲ୍ୟାଣର ସୂତ୍ରଧର ନରେନ୍ଦ୍ର ମୋଦି ଦେଶକୁ ଆଜି ଦିନରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି କରାଇବାରେ ସଫଳ ହୋଇଛନ୍ତି । ଆଉ ବର୍ଷ କେଇଟା ଭିତରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ,ଏହା ବିଶ୍ୱର ବିଭିନ୍ନ ଆର୍ଥିକ ମାମଲାର ବିଶେଷଜ୍ଞମାନଙ୍କର ସହମତି । ସମୁଦ୍ରପଥରେ ବିଦେଶ ଯାତ୍ରା କରି ବେପାର ବଣିଜ କରିବା ଓଡ଼ିଆଙ୍କ ଡିଏନ୍ଏରେ ରହିଛି ।
ସାରା ଦେଶ ମୋଦିଜୀଙ୍କ ନେତୃତ୍ୱରେ ଯେତେବେଳେ ଦ୍ରୁତ ଆର୍ଥିକ ପ୍ରଗତି କରୁଛି ଆମେ ଓଡ଼ିଆମାନଙ୍କୁ ଆମର ଅତୀତର ପୃଷ୍ଠଭୂମି ଉପରେ ଆର୍ଥିକ ପ୍ରଗତିର ରାସ୍ତା ଖୋଜିବାର ସମୟ ଆସିଛି । ମୁଁ ରାଜ୍ୟ ସରକାରଙ୍କର ମୁଖିଆ ଭାବରେ କାର୍ତ୍ତିକ ପୂର୍ଣ୍ଣିମା ସହ ଓଡ଼ିଆଙ୍କ ଭାବଗତ ସମ୍ପର୍କର କଥା ତ କହିବି । ତା’ସହ ଆମର ନଦୀ ଓ ସମୁଦ୍ର ଆଧାରରେ ପୁଣି ଓଡ଼ିଶାକୁ କେମିତି ଆର୍ଥିକ ପ୍ରଗତିର ଶୀର୍ଷକୁ ନେଇପାରିବା ତାର ପରିକଳ୍ପନା ଓ ବିଜେପିର ନୂଆ ସରକାର ଆସିବା ପରେ ନିଆଯାଇଥିବା ନୂଆ ପଦକ୍ଷେପ ଓ କ୍ରିୟାନ୍ୱୟନ ସମ୍ପର୍କରେ ମଧ୍ୟ ମୋର ପ୍ରିୟ ରାଜ୍ୟବାସୀ ବିଶେଷ ଭାବରେ ଯୁବପିଢ଼ିଙ୍କ ସହ ଭାବର ଆଦାନ ପ୍ରଦାନ କରିବି । ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ମତ "ବିକାଶ ଭି ବିରାସତ ଭି' । ବିକାଶ ଆସୁ ମାତ୍ର ଆମର ଐତିହ୍ୟ ଓ ପରମ୍ପରାକୁ ମଧ୍ୟ ତା’ସହ ଆମେ ପ୍ରଫୁଲ୍ଲିତ, ପ୍ରସ୍ଫୁଟିତ କରି ରଖିବାକୁ ପଡ଼ିବ ।
ମୋଦିଜୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ନକ୍ସା ପ୍ରସ୍ତୁତ । ସେ ବିଷୟରେ କହିବି, ମାତ୍ର ସାଧବ ପୁଅଙ୍କ ବିଦେଶ ଯାତ୍ରା ଉପରେ ଆଉ ଦୁଇପଦ କହି ମୁଁ ଆମ ସରକାର ଯୋଜନା ବିଷୟରେ ଉଲ୍ଲେଖ କରିବି । ଇତିହାସକାରମାନେ ତଥ୍ୟ ବାହାର କରିଛନ୍ତି, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀରେ କଳିଙ୍ଗର ଜଣେ ରାଜକୁମାର ସିଂହଳରେ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହା ବୌଦ୍ଧ ପୋଥିରୁ ମିଳିଥିବା ତଥ୍ୟ ବୋଲି ବିଶେଷଜ୍ଞଙ୍କର ମତ । ଲଢ଼େଇ କରି ନୁହେଁ ଲୋକଙ୍କ ସ୍ନେହ ଓ ଶ୍ରଦ୍ଧାରେ ସେ ସେଠି ଶାସନ କରିଥିଲେ । ସମ୍ରାଟ ଅଶୋକଙ୍କ ପୁଅ ମହେନ୍ଦ୍ର ଏବଂ ଝିଅ ସଙ୍ଗମିତ୍ରା ଓଡ଼ିଶାର ତାମ୍ରଲିପ୍ତ ବନ୍ଦରରୁ ବିଦେଶକୁ ବୌଦ୍ଧ ମତ ପ୍ରଚାର କରିବାକୁ ବାହାରିଥିବା ଇତିହାସକାରଙ୍କ ତଥ୍ୟ । ଓଡ଼ିଶାର ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରାର ଛାପ ଆଜିବି ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନରେ ବିଦ୍ୟମାନ । ଇଣ୍ଡୋନେସିଆର ଏକ ସ୍ଥାନର ନାମ କୌଳିଙ୍ଗମ । ଇତିହାସ କହେ, ଗୋଟିଏ ସମୟରେ ବଙ୍ଗୋପସାଗରର ନାମ କଳିଙ୍ଗ ସାଗର ଥିଲା । କଳିଙ୍ଗା-ସାହସିକା ଥିଲା ଓଡ଼ିଶାର ମୂଳ ଅଧିବାସୀଙ୍କର ଅନ୍ତଃରାଷ୍ଟ୍ରୀୟ ପରିଚୟ । ଆମ ବିରାସତକୁ ଆଧାର କରି ବିକାଶର ରାସ୍ତାରେ ଆଗେଇବା ପାଇଁ ମୋ ସରକାର ବଦ୍ଧପରିକର । ଆମର ପୁରୁଣା ଦିନମାନଙ୍କରେ ଓଡ଼ିଶା ବନ୍ଦର ଆଧାରିତ ଅର୍ଥନୀତିରେ ସାରା ବିଶ୍ୱରେ ଅଗ୍ରଣୀ ଥିଲା ।
ମାଣିକପାଟଣା, ତାମ୍ରଲିପ୍ତ, ପାଲୁର ଆଦି ଆମ ଇତିହାସର ସତ୍ୟ । ଗତ କିଛିଦିନ ତଳେ ମୁଁ ମୁମ୍ବାଇଠାରେ ‘ଇଣ୍ଡିଆ ମେରିଟାଇମ ଉଇକ' କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାକୁ ବନ୍ଦର ଆଧାରିତ ଅର୍ଥନୀତିରେ ଖାଲି ଆମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ଭୂଖଣ୍ଡ ଭାବରେ ଗଢ଼ିତୋଳିବା ପାଇଁ ପ୍ରସଙ୍ଗ ଉଲ୍ଲେଖ କରିଥିଲି । ଆଜିର ଏହି ପବିତ୍ର ଦିନରେ ମୋ ସରକାରଙ୍କର ପ୍ରତିବଦ୍ଧତାକୁ ଆପଣଙ୍କ ସମ୍ନାରେ ପୁଣି ପ୍ରକାଶ କରୁଛି । ଆମର ବର୍ତ୍ତମାନ ଓ ଆଗକୁ କ୍ରିୟାନ୍ୱିତ ହେବାକୁ ଥିବା ବନ୍ଦରସମୂହ ଆମର ଅର୍ଥନୀତିରେ ଇଞ୍ଜିନ ଭଳି କାମ କରିବ । ଆଗାମୀ ଅଢ଼େଇ ଦଶନ୍ଧି ଧରି ଆମ ବନ୍ଦର ଆମ ଯୁବପିଢ଼ିଙ୍କ ପାଇଁ ରୋଜଗାର, ସ୍ୱରୋଜଗାର ତଥା ବଡ଼ ମାତ୍ରାରେ ଉଦ୍ୟମୀ କରିବାର ରାସ୍ତା ଖୋଲିବ । ପୂର୍ବ-ଭାରତର ଉପକୂଳରେ ଓଡ଼ିଶାର ରଣନୈତିକ ଅବସ୍ଥିତିର ଫାଇଦା ନେବାର ବେଳ ଆସିଛି । ଉଚିତ ନୀତି ଓ ସଠିକ୍ ମାର୍ଗରେ ଡବଲ ଇଞ୍ଜିନ ସରକାରର ଯୋଜନାବଦ୍ଧ କାର୍ଯ୍ୟକ୍ରମ ଓଡ଼ିଶାରୁ ବୈଶ୍ୱିକ ଶକ୍ତିମାନଙ୍କ ସହ ଲଢ଼ି ଆମ ରାଜ୍ୟ ଏବଂ ଦେଶପାଇଁ ସମୁଦ୍ର ଆଧାରିତ ଅର୍ଥନୀତିରେ ବଡ଼ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି ବୋଲି ମୁଁ ମୋର ପ୍ରିୟ ରାଜ୍ୟବାସୀଙ୍କୁ ଭରସା ଦେବାକୁ ଚାହୁଁଛି । ପାରାଦୀପ, ଧାମରା ଓ ଗୋପାଳପୁର ଏହି ତିନିଟି ବନ୍ଦର ଆମର କାର୍ଯ୍ୟକ୍ଷମ ।
ଏହା ସହ ଅସ୍ତରଙ୍ଗ, ଜଟାଧାରୀ ମୁହାଁଣ, ସୁବର୍ଣ୍ଣରେଖା ଓ ବାହୁଦା ଠାରେ ନୂଆ ବନ୍ଦର ନିର୍ମାଣର କ୍ଷେତ୍ର ପ୍ରସ୍ତୁତି ସରିଛି । ଆମ ରାଜ୍ୟର ବନ୍ଦରମାନଙ୍କର ମାଲ୍ ନିୟନ୍ତ୍ରଣ କ୍ଷମତାକୁ ୫୦୦ ନିୟୁତ ଟନ୍କୁ ବୃଦ୍ଧିକରିବା ପାଇଁ କଠିନ ପରିଶ୍ରମ କରୁଛୁ । ଏହି ବନ୍ଦର ସହ ତିନିଟି ସିପ୍ ଆଙ୍କର ପଏଣ୍ଟ ମଧ୍ୟ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିର ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ । ଏହା ସହ ଆମ ଧର୍ମର ସହର ପୁରୀଠାରେ କୃଜ ଟର୍ମିନାଲ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ରାଜ୍ୟର ଅର୍ଥନୀତିକୁ ନୂଆ ଦିଶା ଦେଖାଇବା ସହ ଦେଶବିଦେଶ ସମୂହ ସହ ବାଣିଜ୍ୟିକ ସମ୍ପର୍କରେ ନୂତନ ଦିଗନ୍ତ ଆଣିଦେବ । ବଡ଼ ବନ୍ଦର ସହ ରାଜ୍ୟର ବଡ଼ ସୁଦୀର୍ଘ ଉପକୂଳରେ ଆଉ ୧୪ଟି କ୍ଷୁଦ୍ର ବନ୍ଦର ନିର୍ମାଣର ଯୋଜନାକୁ ପୁର୍ଣ୍ଣାଙ୍ଗ ରୂପରେଖ ଦିଆଯାଉଛି । ଓଡ଼ିଶା ସମୁଦ୍ରକୁ ଆଧାର କରି ବନ୍ଦର ଆଧାରିତ ଅର୍ଥନୀତିରେ ଖାଲି ଆଗେଇବ ନାହିଁ । ବରଂ ଆମର ଦୀର୍ଘ ୫୭୫ କିଲୋମିଟର ସୁଦୀର୍ଘ ବେଳାଭୂମି ଆମ ରାଜ୍ୟକୁ ଦେଶର ନୀଳ ଅର୍ଥନୀତିର ପ୍ରାଣକେନ୍ଦ୍ର କରିବାର ସମ୍ଭାବନା ରଖିଛି । ବନ୍ଦର ଆଧାରିତ ଶିଳ୍ପାୟନ ଓ ଏହି ପ୍ରକ୍ରିୟାରେ ନୂଆ ଓଡ଼ିଶାର ନୂଆ ପିଢ଼ି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ମୋ ସରକାର ତରଫରୁ ମୁଁ ଆପଣଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଉଛି । ସମୁଦ୍ର ଆଧାରିତ ରପ୍ତାନି ତଥା ଉପକୂଳ ପର୍ଯ୍ୟଟନର ନୂଆ ସମ୍ଭାବନା ଆମେ ଖୋଜୁଛୁ । ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତି ସମୟରେ ଦେଶକୁ ବିକଶିତ ଅର୍ଥନୀତି କରିବା ମୋଦିଜୀଙ୍କ ପଣ ।
ଆମେ ଆମ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ୧୦୦ବର୍ଷ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଢ଼ିବାର ସ୍ୱପ୍ନ ଦେଖିଛୁ । ମୁଁ ନିଶ୍ଚିତ ଜନଭାଗିଦାରୀରେ ଆମ ରାଜ୍ୟ ଓଡ଼ିଶା ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଭାରତ ନିର୍ମାଣରେ ବଡ଼ ଭୂମିକା ଗ୍ରହଣ କରିବ । ଆମର ବିକାଶର ଅବଧାରଣାର ମୂଳମନ୍ତ୍ର ସାଧାରଣ ଗରିବ ଲୋକଙ୍କ ପାଖରେ ବିକାଶକୁ ସଠିକ୍ ମାତ୍ରାରେ ପହଞ୍ଚାଇବା । ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ହେଉ ବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଅନ୍ତୋଦୟ । ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ସବୁ ଜନବିକାଶ ଯୋଜନାର ଅନ୍ତଃସ୍ୱର । ଆମେ ଓଡ଼ିଆମାନେ ଶତାବ୍ଦୀ ଶତାବ୍ଦୀ ଧରି ପିଢ଼ି ପରେ ପିଢ଼ି ଡଙ୍ଗା ଭସାଇ ଆମର ବିରାସତ, ସଭ୍ୟତା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି । ଏବେ ଡବଲ ଇଞ୍ଜିନ ସରକାର ନୂଆ ଉତ୍ସାହ ନୂଆ ଆଗ୍ରହ ସହ ଓଡ଼ିଶାର ବିରାସତକୁ ବିଶ୍ୱାସରେ ପରିଣତ କରିବାକୁ ବଦ୍ଧପରିକର । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଆମର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେପକାଇବା ସହ ବିକଶିତ ଓଡ଼ିଶା ଗଢ଼ିବାରେ ଆପଣଙ୍କର ସହଯୋଗ କାମନା କରୁଛି । ବନ୍ଦେ ଉତ୍କଳ ଜନନୀ ।