ଜମିରେ ବିନା ସାରରେ ଫସଲ ଉତ୍ପାଦନ କରିବା ଅସମ୍ଭବ ମନେ ହେଉଛି । ଗୋବର ଖତ  ପ୍ରୟୋଗ କରିବା ପ୍ରଥାକୁ ସତେଯେପରି କୃଷକମାନେ ପ୍ରାୟ ଭୁଲିଗଲେଣି । ସାର ଔଷଧର  ବ୍ୟାପକ ପ୍ରୟୋଗ ଯୋଗୁଁ କ୍ୟାନସରଠାରୁ ଆରମ୍ଭକରି ମଧୁମେହ, କିଡ୍‌ନୀ ଖରାପ ଭଳି  ରୋଗର ପ୍ରାବଲ୍ୟ ବଢ଼ିବାରେ ଲାଗିଛି । ତଥାପି ଅନ୍ଧ ରାଇଜରେ ଦର୍ପଣ ବିକାନ୍ୟାୟରେ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ପରାମର୍ଶ ଚାଷୀମାନଙ୍କୁ ଆଦୌ ପ୍ରଭାବିତ କରୁନାହିଁ ।

ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଯେତିକି ଚକିତ କରେତା'ଠାରୁ ଅଧିକ ବିଜ୍ଞାନମନସ୍କ କରିଥାଏ ।  ବିଶେଷକରି ଆଉ ଏକ ପୃଥିବୀ ଭଳି ଜୀବଜନ୍ତୁରେ ପୂର୍ଣ୍ଣ  ଜୀବନ୍ତ ଗ୍ରହ ସନ୍ଧାନରେ ବାହାରୁଥିବା ବୈଜ୍ଞାନିମାନେ  ଅସୀମ ଧୈର୍ଯ୍ୟର ସହିତ ସେମାନଙ୍କର ଗବେଷଣାଲବ୍ଧ  ତଥ୍ୟକୁ ସାଧାରଣ ଜନତାଙ୍କୁ ଜଣାଇ ଦେଉଛନ୍ତି ।  ପୃଥିବୀବାସୀ ଆଶ୍ୱସ୍ତ ହେଉଛନ୍ତି ଯେ, ତାଙ୍କ ବାସସ୍ଥାନ  ବିଶ୍ୱବ୍ରହ୍ମାଣ୍ଡ ମଧ୍ୟରେ ଏକମାତ୍ର ନିରାପଦ ତଥା  ନିର୍ଭରଯୋଗ୍ୟ ସ୍ଥାନ । ଆମେ ଏଇଠି ଶାନ୍ତିରେ ରହିବା  ଏବଂ ଅନ୍ୟମାନଙ୍କୁ ଶାନ୍ତିରେ ରହିବାକୁ ଦେବା । ତେବେ  ଯାଇ ଆମର ଏହି ଧରିତ୍ରୀ ମାତା ଆମକୁ ସ୍ୱର୍ଗସୁଖ ପ୍ରଦାନ  କରିପାରିବ । ନଚେତ୍‌ ଆମ ଘର ଆମ ପାଇଁ ନର୍କରେ  ପରିଣତ ହୋଇଯିବ । ଏହିଭଳି ସ୍ଥିତି ଏବେ ଧୀରେ ଧୀରେ  ନିକଟବର୍ତ୍ତୀ ହେବାରେ ଲାଗିଛି । ପୃଥିବୀର ପରିବେଶ  ଆମକୁ ଡରାଇଲାଣି । ଭୂପୃଷ୍ଠରେ ବାସ କରୁଥିବା ଅନ୍ୟ  ଜୀବଜନ୍ତୁଙ୍କର ମଣିଷ ଭଳି ଏତେ ଉନ୍ନତ ମସ୍ତିଷ୍କ ନାହିଁ ।  ତେଣୁ ସେମାନେ ପୂର୍ବ ଘଟଣାକୁ ମନେରଖିବା କିମ୍ବା  ବିଶ୍ଳେଷଣ କରିବାର ଦକ୍ଷତା ସେମାନଙ୍କ ପାଖରେ ନଥାଏ ।  ତଥାପି ସେମାନଙ୍କର ବଞ୍ଚିବାର ଅଧିକାରକୁ ଅସ୍ୱୀକାର  କରିବା ଉଚିତ ନୁହେଁ । ତେବେ ସେ ଯାହାହେଉନା  କାହିଁକି, ମଣିଷ ନିଜର ଦକ୍ଷତାକୁ ପ୍ରତିପାଦନ କରୁ କରୁ  ଭୂପୃଷ୍ଠ ପ୍ରତି ଅନେକ ବିପଦକୁ ଡାକିଆଣୁଛି । ଅନେକ  ମନୁଷ୍ୟକୃତ ବିପତ୍ତି ମଧ୍ୟରୁ ବିଶ୍ୱ ଉତ୍ତପ୍ତୀକରଣ ପ୍ରଭାବକୁ  ଉଦାହରଣ ରୂପେ ନିଆଯାଇପାରେ । ଏହା ବ୍ୟତୀତ  ପ୍ଲାଷ୍ଟିକର ଭୂତ ଏବେ ଜଳ, ସ୍ଥଳକୁ ଆକ୍ରାନ୍ତ କରିସାରିବା  ପରେ ଏବେ ମଣିଷ ଶରୀର ମଧ୍ୟକୁ ପ୍ରବେଶ କରି ତାକୁ  ମୃତ୍ୟୁମୁଖକୁ ଠେଲିଦେଉଛି ବୋଲି ଚିକିତ୍ସାବିଜ୍ଞାନୀମାନେ  ଆମକୁ ବାରମ୍ବାର ସତର୍କ କରାଇ ଦେଉଛନ୍ତି । ମଣିଷ  ବ୍ୟତୀତ ଜଳଚର ପ୍ରାଣୀମାନଙ୍କଠାରୁ ଆରମ୍ଭକରି  ତୃଣଭୋଜୀ ପ୍ରାଣୀମାନଙ୍କର ଅବସ୍ଥାକୁ ନକହିଲେ ଭଲ ।  ଭୂପୃଷ୍ଠର ଏହିଭଳି ଦୟନୀୟ ସ୍ଥିତିକୁ ଅନୁଧ୍ୟାନ କରି ଆମ  ଦେଶରେ ଜନ୍ମଗ୍ରହଣ କରିଥିବା କେତେଜଣ ମହାପୁରୁଷ  ଭାଗବତର ସେହି ଆପ୍ତବାଣୀକୁ ପୁଣିଥରେ ଶୁଣାଇବାକୁ  ଆରମ୍ଭ କଲେଣି "ଜଳ ପ୍ରଳୟେ ନାଶ ଯିବ...' । ଏହା  ସହିତ କିଏ ଅଚ୍ୟୁତାନନ୍ଦ ମାଳିକାର ଭବିଷ୍ୟବାଣୀ ଆଡ଼କୁ  ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ଆଉ କେତେବେଳେ  ସୁନାମୀଜନିତ ଅପ୍ରତ୍ୟାଶିତ ବିପଦ ଆଡ଼କୁ ଆମର ଦୃଷ୍ଟି  ଆକର୍ଷଣ କରୁଛନ୍ତି । ଉଦ୍ଦେଶ୍ୟ ଗୋଟିଏ, ସୁପ୍ତ ମଣିଷକୁ  ଜାଗ୍ରତ କରିଦେ ।

ମହାପୁରୁଷଙ୍କ ବ୍ୟତୀତ ପରିବେଶବିତ୍‌ମାନଙ୍କର  ଭବିଷ୍ୟବାଣୀ ସତଯେପରି ଏବେ ସତ୍ୟରେ ପରିଣତ  ହେବାକୁ ଯାଉଛି । ବର୍ଷାଋତୁର ଆଗମନକୁ ନେଇ ପୂର୍ବରୁ  ଲୋକମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ, ଉଦ୍ଦୀପନା ସହିତ  ପୂର୍ବ ପ୍ରସ୍ତୁତି ଥିଲା, ତାହା ଏବେ ଧୀରେ ଧୀରେ ଫିକା  ପଡ଼ିଯାଉଛି । କେତେବେଳେ ଅନିୟମିତ ବୃଷ୍ଟିପାତଜନିତ  ମରୁଡ଼ି, ଆଉ କେତେବେଳେ ବହୁ ବୃଷ୍ଟିଯୋଗୁଁ ବନ୍ୟା  ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏପରି  ଘଟଣା କେବଳ ଆମ ଦେଶରେ ନୁହେଁ, ବରଂ ପୃଥିବୀର  ଅଧିକାଂଶ ଦେଶରେ ଅନିୟନ୍ତ୍ରିତ ପାଣିପାଗ ସାଧାରଣ  ଲୋକଙ୍କ ସହିତ କୃଷକଙ୍କର ଆର୍ଥିକ ମେରୁଦଣ୍ଡକୁ  ଦୋହଲାଇ ଦେଇଛି । ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ  ହୋଇଥିବା ବାରମ୍ବାର ବାଦଲଫଟା ବର୍ଷାର ବିଭୀଷିକାକୁ  ବର୍ଣ୍ଣନା କରିବା ଯେତିକି ଦୁଃଖଦାୟକ ସେତିକି ଭିତ୍ତିପ୍ରଦ  ଥିଲା । ତା' ସହିତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ  ବାଦଲଫଟା ବର୍ଷାର ପ୍ରଳୟ, ମାତ୍ର ଛତିଶି ସେକେଣ୍ଡ  ମଧ୍ୟରେ ଯେଭଳି ଘଟିଗଲା ତାହା ସାଧାରଣ ଲୋକଙ୍କ  ପାଇଁ କଳ୍ପନାତୀତ ଥିଲା । ଏବେ ଅନେକଙ୍କର ପ୍ରଶ୍ନ-ବାଦଲଫଟା ବର୍ଷାର କାରଣ କ'? ଆମ ଅଞ୍ଚଳରେ  ଏମିତି ବର୍ଷା ହେବନି ତ? ବାଦଲଫଟା ବର୍ଷାର  ଭୟାବହତା କେବଳ ଆମ ଦେଶରେ ଯେ ହେଉଛି ତାହା  ନୁହେଁ, ବରଂ ଚୀନ୍‌, ପାକିସ୍ତାନ, ନେପାଳ, ବଙ୍ଗଳାଦେଶଫିଲିପାଇନ୍ସ, ପେରୁ, ୟୁରୋପ, ଆଫ୍ରିକାରେ ମଧ୍ୟ ଅନୁଭୂତ  ହେଉଛି । ଏଭଳି ଭୟଙ୍କର ଅର୍ଥାତ୍‌ ଏକଘଣ୍ଟା ମଧ୍ୟରେ  ପ୍ରାୟ ଏକଶହ ମିଲିମିଟର ବା ଦଶ ସେଣ୍ଟିମିଟର ବର୍ଷାକୁ  ଆମେ ବାଦଲଫଟା ବର୍ଷା ବୋଲି କହିଥାଉ । ଏଭଳି ବର୍ଷା  ହେବାର ମୁଖ୍ୟ କାରଣ ହେଲା ଜଳୀୟବାଷ୍ପପୂର୍ଣ୍ଣ ବାୟୁ  ହଠାତ୍‌ ଉତ୍ତପ୍ତ ହୋଇ ସିଧାସଳଖ ବାୟୁମଣ୍ଡଳର ଉପର  ସ୍ତରକୁ ଉଠିଯାଇ ସେଠାରେ ହଠାତ୍‌ ଥଣ୍ଡା ହୋଇ ଘନୀଭୂତ  ହୋଇଯାଏ, ପରେ ଛୋଟ ଛୋଟ ଜଳକଣାଗୁଡ଼ିକ ଏକାଠି  ହୋଇ ବଡ଼ ବଡ଼ ଜଳଟୋପାରେ ପରିଣତ ହୋଇ ଏକ  ଛୋଟ ଅଞ୍ଚଳ ଉପରେ ମାଠିଆରୁ ପାଣି ଅଜାଡ଼ି ହେଲା  ଭଳି ଜଳଧାରା ଖସିପଡ଼େ । ଯାହାଫଳରେ କି ସେହି  ଅଞ୍ଚଳରେ ଭୂସ୍ଖଳନ ହେବା ସହିତ ଘରଦ୍ୱାର, କୃଷିକ୍ଷେତ୍ରରାସ୍ତାଘାଟର ଅକଳ୍ପନୀୟ କ୍ଷତି ଘଟିଥାଏ । ଏହି ଘଟଣା  ସାଧାରଣତଃ ସମୁଦ୍ରଠାରୁ ଦୂରରେ ଥିବା ପାହାଡ଼ିଆ  ଅଞ୍ଚଳରେ ସଂଘଟିତ ହୋଇଥାଏ । ପାଣିପାଗ ବିଶେଷଜ୍ଞଙ୍କ  ମତ ହେଲା, ସମୁଦ୍ରରୁ ସୃଷ୍ଟ ଜଳୀୟବାଷ୍ପପୂର୍ଣ୍ଣ ବାୟୁ  ବେଶ୍‌ ଦୂରବାଟ ଅତିକ୍ରମ କଲାବେଳକୁ ତା'ର ସ୍ଥିତିଜ  ଶକ୍ତି ବଢ଼ିଯାଇଥାଏ । ପର୍ବତାଞ୍ଚଳର ଥଣ୍ଡା ପରିବେଶ  ଯୋଗୁଁ ବାଦଲରେ ଥିବା ଜଳକଣାଗୁଡ଼ିକ ଖୁବ୍‌ଶୀଘ୍ର  ଘନୀଭୂତ ହୁଅନ୍ତି ଏବଂ ଜଳକଣାର ସଂଶକ୍ତି ତତ୍ତ୍ୱ ଯୋଗୁଁ  ସେଗୁଡ଼ିକ ପରସ୍ପର ସହିତ ଲାଗିଯାଇ ବେଶ୍‌ ବଡ଼ ବଡ଼  ଜଳକଣା ସହିତ ଜଳସ୍ରୋତ ସୃଷ୍ଟି କରିଥାଆନ୍ତି । ଆମ  ଦେଶର ଉତ୍ତରଭାଗରେ ଥିବା ହିମାଳୟ ପାର୍ବତ୍ୟାଞ୍ଚଳର  ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷାଜନିତ ବିପର୍ଯ୍ୟୟର  ଧାରା ଲାଗିରହିଥିବା ବେଳେ କେଦାରନାଥରେ ରଚିଥିବା  ତାଣ୍ଡବ, ବଦ୍ରିନାଥ, ବୈଷ୍ଣୋଦେବୀ ସହିତ ମନାଲିରୁ  ସିଲଂ ରାସ୍ତାରେ ମାଟି ଅତଡ଼ା ଧସିବାଜନିତ ବିପଦକୁ ଟିଭି  ପରଦାରେ ଦେଖି ମନଟା ଭାରାକ୍ରାନ୍ତ ହୋଇଯାଉଛି । 

ପରିବେଶବିତ୍‌ମାନଙ୍କର ଭବିଷ୍ୟବାଣୀକୁ ସତ୍ୟରେ  ପ୍ରକାଶ କରିବା ପାଇଁ ସତେଯେପରି ପ୍ରକୃତି ନିଜର  ନିୟମକୁ ବଦଳାଇ ଦେଉଛି । ଅତ୍ୟଧିକ ଗାଡ଼ି ମଟରର  ସଂଖ୍ୟା ବୃଦ୍ଧି ସହିତ କଳକାରଖାନାରୁ  ସୃଷ୍ଟ ପ୍ରଦୂଷକ ବାୟୁମଣ୍ଡଳକୁ  ଅତିମାତ୍ରାରେ ଉତ୍ତପ୍ତ କରିବାରେ  ଲାଗିଛି । ଯାହାର ପ୍ରଭାବ ଏବେ ଦିଲ୍ଲୀମୁମ୍ବାଇ, କୋଲକତା, ବାଙ୍ଗାଲୋର  ଭଳି ବଡ଼ ବଡ଼ ସହରରେ ହେଉଥିବା  ଭୟଙ୍କର ବର୍ଷା, ଜନଜୀବନକୁ ଅସ୍ତବ୍ୟସ୍ତ  କରିପକାଉଛି । ପରିବେଶବିତ୍‌ଙ୍କର  ସତର୍କତା ସହିତ ପାଠ୍ୟପୁସ୍ତକ ମାଧ୍ୟମରେ ଆଗାମୀ  ପିଢ଼ିକୁ ବିଭିନ୍ନ ତଥ୍ୟଭିତ୍ତିକ ବିଷୟ ଦ୍ୱାରା ସଚେତନ  କରିବା ପ୍ରକ୍ରିୟା ସରକାରଙ୍କ ତରଫରୁ ଜାରି ରହିଛି । ଏହା  ବ୍ୟତୀତ ଅନେକ ଜନସଚେତନତା ସୃଷ୍ଟିକାରୀ କାର୍ଯ୍ୟକ୍ରମ  ହାତକୁ ନିଆଯାଉଛି । ତଥାପି ସମସ୍ୟାର ସତେ ଯେପରି  ଅନ୍ତ ନାହିଁ । ଜଙ୍ଗଲ କ୍ଷୟ ସହିତ ରାସ୍ତାଘାଟ, ପୋଲବହୁତଳ ପ୍ରାସାଦ ନିର୍ମାଣ ସହ ନଦୀବନ୍ଧ ଯୋଜନା  ଭଳି ଅନେକ ଜନହିତକର କାର୍ଯ୍ୟକ୍ରମ ଆମକୁ ଏକ  ଆରାମଦାୟକ ଜୀବନ ଜିଇଁବାର ପ୍ରେରଣା ସାଜିଛି ।  ଆହୁରି ଆରାମ ସହିତ ଅଧିକ ରୋଜଗାର କରିବାର  ମୋହ ଆମକୁ ବିପଦରେ ପକାଇବା ସହିତ ଆଗାମୀ ପିଢ଼ି  ପାଇଁ ପୃଥିବୀ ଏକ ନିର୍ଭୟ ଆଶ୍ରୟସ୍ଥଳ ନହୋଇ ବରଂ  ଭୟଯୁକ୍ତ ବାସସ୍ଥଳୀରେ ପରିଣତ ହୋଇଯାଉଛି ।

ଏକ  ସର୍ଭେରୁ ଜଣାଯାଇଛି ଯେ, ଅଧିକାଂଶ ଗ୍ରାମବାସୀ ଏବେ  ସହରମୁହାଁ ହେବାରେ ଲାଗିଛନ୍ତି । ନଦୀନାଳରେ ଦଳଭର୍ତ୍ତି  ହେବା ସହିତ ଅଳ୍ପ ପରିଶ୍ରମରେ ମାଛ ଧରିବା ନିଶାରେ  ଭୟଙ୍କର ବିଷକୁ ନଦୀନାଳ ଜଳରେ ପ୍ରୟୋଗ କରି ଜଳର  ଉତ୍ସକୁ ବିଷାକ୍ତ କରିଦେଉଛନ୍ତି । ତଟକା ଦେଖାଯାଉଥିବା  ଚିଙ୍ଗୁଡ଼ି, ରୋହୀ, ଭାକୁର ଭଳି ମାଛର ଶରୀର କେଉଁ  ବିଷରେ ଆକ୍ରାନ୍ତ ହୋଇଛି ତାକୁ ଜାଣିବାର ବାଟ ନାହିଁ ।  ଜମିରେ ବିନା ସାରରେ ଫସଲ ଉତ୍ପାଦନ କରିବା ଅସମ୍ଭବ  ମନେ ହେଉଛି । ଗୋବର ଖତ ପ୍ରୟୋଗ କରିବା ପ୍ରଥାକୁ  ସତେଯେପରି କୃଷକମାନେ ପ୍ରାୟ ଭୁଲିଗଲେଣି । ସାର  ଔଷଧର ବ୍ୟାପକ ପ୍ରୟୋଗ ଯୋଗୁଁ କ୍ୟାନସରଠାରୁ  ଆରମ୍ଭକରି ମଧୁମେହ, କିଡ୍‌ନୀ ଖରାପ ଭଳି ରୋଗର  ପ୍ରାବଲ୍ୟ ବଢ଼ିବାରେ ଲାଗିଛି । ତଥାପି "ଅନ୍ଧ ରାଇଜରେ  ଦର୍ପଣ ବିକା' ନ୍ୟାୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ପରାମର୍ଶ  ଚାଷୀମାନଙ୍କୁ ଆଦୌ ପ୍ରଭାବିତ କରୁନାହିଁ । ରାସ୍ତାଘାଟର  ଅବସ୍ଥାକୁ ଖାତିରି ନକରି ଶହ ଶହ ଗାଡ଼ି ମଟର, ମଦଗଞ୍ଜେଇ, ଗ୍ରାମୀଣ ସ୍ୱଚ୍ଛତା ସହିତ ଶାନ୍ତିକୁ ମଧ୍ୟ ଚୋରାଇ  ନେଇଛି । ତଥାପି ମାଇକ୍‌ର କାନଫଟା ଶବ୍ଦ ମଧ୍ୟରେ  ବିଭିନ୍ନ ପର୍ବପର୍ବାଣି, ପିଠାପଣାର ମଜ୍ଜା ସହରଠାରୁ ଗାଁକୁ  ଅଲଗା କରିଦେଉଛି । 

ସହରରେ ବର୍ଷାଜନିତ ବିତ୍ପାତ, ଗାଁରେ ବର୍ଷା  ସମୟର ବ୍ୟସ୍ତତା ମଧ୍ୟରେ ଆକାଶ ପାତାଳ ତଫାତ ।  ତଥାପି ଆମେ ଏକ ସଭ୍ୟ ସମାଜର ବାସିନ୍ଦା ହିସାବରେ  ଆଉ ଏକ ବାସୋପଯୋଗୀ ସ୍ଥାନକୁ ନପାଇବାଯାଏଁ  ଆମକୁ ଅତ୍ୟନ୍ତ ସାବଧାନତାର ସହିତ ଚଳିବାକୁ  ପଡ଼ିବ । ଖାଦ୍ୟ ସହିତ ଜଳ, ସ୍ଥଳ, ବାୟୁକୁ ଶୁଦ୍ଧପୂତ  କରି ରଖିବାକୁ ହେବ । ଅର୍ଥାତ୍‌ ବିଜ୍ଞାନମନସ୍କ ହୋଇ  ଗ୍ରାମୀଣ ପରିବେଶକୁ ଆପଣେଇବାକୁ ପଡ଼ିବ ।  ନିକଟରେ ଆମେ ସ୍ୱାମୀ-ସ୍ତ୍ରୀ ଦୁହେଁ ଏକ ଜରୁରି  କାମରେ ଗାଁକୁ ଆସିବାକୁ ପଡ଼ିଲା । ଗାଁକୁ ସଂଯୋଗ  କରୁଥିବା ପିଚୁରାସ୍ତା ମନକୁ ଉତ୍‌ଫୁଲିତ କରୁଥାଏ ।  ମାତ୍ର ଗାଁମୁଣ୍ଡରେ ରାସ୍ତା ଉପରେ ଜମି ରହିଥିବା ପାଣି  ଅନେକ କିଛି ବ୍ୟତିକ୍ରମକୁ ସୂଚାଉଥାଏ । ସେ ପ୍ରଶାସନିକ  ଅବହେଳା ହେଉ କିମ୍ବା କିଛି ଅର୍ଥର ବାଟମାରଣା ହେଉଆମ ଗାଡ଼ି ପାଖକୁ କେତେଜଣ ଲୋକ ଘେରିଆସି  ରାସ୍ତାର ଫଟୋ ସହ ଖବର ବାହାର କରିବାକୁ ମୋ  ସ୍ୱାମୀ, ସମାଜର ପ୍ରାକ୍ତନ ସଂପାଦକ ଡ. ପ୍ରମୋଦ କୁମାର  ମହାପାତ୍ରଙ୍କୁ ଅନୁରୋଧ କଲେ । ଆମେ ସେମାନଙ୍କୁ କିଛି  ସାନ୍ତ୍ୱନାମୂଳକ କଥା କହି ଘରେ ପହଞ୍ଚିଗଲୁ । ଝିପିଝିପି  ବର୍ଷାରେ ଗାଁର ପରିବେଶ ସମ୍ପୂର୍ଣ୍ଣ ଅଲଗା ଲାଗୁଥାଏ ।  ଚାରିଆଡ଼େ ସବୁଜିମାର ରାଜୁତି । ଅତି ଆଗ୍ରହରେ ମୁଁ  ବାଡ଼ିପଟ କବାଟ ଖୋଲିଦେଇ ପ୍ରଥମେ ମାଟିକୁ ଦେଖି  ଚମକି ପଡ଼ିଲି । ସବୁଜ ଘାସବୁଦା ଭିତରୁ ବାଡ଼ିସାରା  ବିକ୍ଷିପ୍ତ ହୋଇ ପଡ଼ିଥିବା ପ୍ଲାଷ୍ଟିକର ଅଦରକାରୀ ଜିନିଷ  ସହିତ ଅଧାପୋତା ଜରି ଆମ ଭଳି ସହରବାସୀଙ୍କୁ  ସତେଯେପରି ଖତେଇ ହେଉଥାଏ । ମୁଁ ତରବରରେ  ଗୋଟିଏ ଜରି ଅଖା ନେଇ ପ୍ରାୟ ଶହେ ବର୍ଗଫୁଟ ଅଞ୍ଚଳକୁ  ସଫା କରିବାକୁ ଆରମ୍ଭ କରିଦେଲି । ବସ୍ତାଟି ଖୁବ୍‌ଶୀଘ୍ର  ପୂରଣ ହେଇଗଲା ।

ସାଇପଡ଼ୋଶୀର ଯାଆ ଦୁଇଜଣ  ମୋ କାମକୁ ଦେଖି ହସିହସି କହିଲେ- ନାନୀ! ତୁମେ  ପାଗିଳୀ ହେଇଗଲଣି । ଆମ ବାଡ଼ିର ମଧ୍ୟ ଏଇ ଅବସ୍ଥା ।  ଆମ ପାଖରୁ ଜରି କେହି ନେଉନାହାଁନ୍ତି । ଆମେ ତାକୁ  କ'ଣ କରିବୁ? ଏଠିସେଠି ଫୋପାଡ଼ି ଦେଉଛୁ । ଆମ ଗାଁ  କଥା ଛାଡ଼, ଏଠୁ ଦଶଖଣ୍ଡ ମଉଜାକୁ ଯାଉନ, ସେଠିକାର  ବାଡ଼ି ବଗିଚାରୁ ପ୍ରାୟ ଦଶ ଟ୍ରକ୍‌ ଜରି ବାହାରିବ ।  ମୁଁ ମୁଣ୍ଡରେ ହାତଦେଇ ଭାବିଲି, ସହରମାନଙ୍କରେ  କେବଳ ରିସାଇକ୍ଲିଂ ସେଣ୍ଟର ଖୋଲିଦେଲେ ହେବନାହିଁଏଠୁ ମଧ୍ୟ ଅଳିଆ ସଂଗ୍ରହ କରିବାପାଇଁ ରୀତିମତ  ଗାଡ଼ି ଆସିବା ଦରକାର ଏବଂ ପୁନଃଚକ୍ରଣ ପ୍ରକ୍ରିୟାର  ମଧ୍ୟ ଗ୍ରାମାଞ୍ଚଳରେ ଆବଶ୍ୟକତା ରହିଛି । ଗାଁର ବର୍ଷା  ଯେତିକି ମନୋମୁଗ୍‌ଧକର ଥିଲା, ସେତିକି ସ୍ୱାଦିଷ୍ଟ ଥିଲା  ସେଠାକାର ମୁଢ଼ି ଏବଂ ନଡ଼ିଆ । ମୋ ମୁଣ୍ଡରୁ ପ୍ଲାଷ୍ଟିକର  ଭୂତ ଓହ୍ଲାଇ ଯାଇଥିଲା । ମହାପାତ୍ରବାବୁ କାଗଜ କଲମ  ଧରି ଗାଁର ଖବରକୁ ପ୍ରସାର କରିବା ପାଇଁ ବସିପଡ଼ିଲେ।  ବର୍ଷାଜନିତ ସହରର ଉବୁଟୁବୁ ଅବସ୍ଥା ଗାଁରେ ନଥିଲା ।  ବରଂ ଗାଁର ବର୍ଷା ସତେଯେପରି ରୁଣୁଝୁଣୁ ଶବ୍ଦ କରି ନାଚି  ନାଚି ସହରବାସୀଙ୍କୁ ସ୍ୱାଗତ କରୁଥିଲା ।