ଆମ ଶାସ୍ତ୍ରରେ ତ ପୂର୍ବକାଳରେ ବାନପ୍ରସ୍ଥାଶ୍ରମ ଏକ ମର୍ଯ୍ୟାଦାର ପ୍ରତୀକ ଥିଲା ଏବଂ ରାଜା ମହାରାଜାମାନେ ସବୁକିଛି ତ୍ୟାଗ କରିଦେଇ ଶେଷରେ ବନକୁ ଚାଲି ଯାଉଥିଲେ । ପ୍ରଭେଦ ଖାଲି ଏତିକି ଯେ, ଆଗେ ଏହା ମୁଖ୍ୟତଃ ସ୍ୱେଚ୍ଛାକୃତ ଥିଲାବେଳେ ଏବେ ଏହା ପ୍ରାୟତଃ ଅନିଚ୍ଛାକୃତ । ତେବେ ଯେଉଁଠି ଆପଣାର ଲୋକ ପର ହୋଇଯାନ୍ତି, ସେଠାରେ ପରକୁ ଆପଣା କରି ଜରାଶ୍ରମକୁ ବାନପ୍ରସ୍ଥାଶ୍ରମ ବୋଲି ଗ୍ରହଣ କରିନେବା ଛଡ଼ା ଉପାୟ କ'ଣ?
ଆଗେ ଜରାଶ୍ରମ, ବୃଦ୍ଧାଶ୍ରମ, ବାଳାଶ୍ରମ, ବିଧବାଶ୍ରମ ଭଳି ଶବ୍ଦ ଶୁଣିଲେ ଲୋକେ ନାକ ଟେକୁଥିଲାବେଳେ ଗତ କେଇ ବର୍ଷ ଭିତରେ ଏସବୁ ଆମ ସମାଜରେ ସମ୍ପୂର୍ଣ୍ଣ ସାମିଲ ହୋଇଗଲାଣି । ଧନୀ ଦରିଦ୍ର ନିର୍ବିଶେଷରେ ଆଜିକାଲି ଉତ୍ତର ଜୀବନ ଏତେ ଦୁର୍ବିସହ ହୋଇପଡୁଛି ଯେ, କେହି କେହି ଏଭଳି ସ୍ଥାନକୁ ନିରାପଦ ମନେକରି ଆଦରି ନେଉଛନ୍ତି ତ, ଅନ୍ୟ କାହାକୁ ସେଠାରେ ରହିବାକୁ ବାଧ୍ୟ କରାଯାଉଛି । ଏବେ ବୁଢ଼ାବୁଢ଼ୀମାନେ ପରିବାରର ବୋଝ ସଦୃଶ ଅଲୋଡ଼ା ହୋଇପଡୁଛନ୍ତି, ଯାହାଫଳରେ ସେମାନଙ୍କଠାରୁ ଦୂରେଇ ଯିବାକୁ ଅନେକେ ପସନ୍ଦ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି, ଭାରତୀୟ ପରିବାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବରେ ଯୁଗ ଯୁଗରୁ ଗଡ଼ିଆସିଥିବା ଯୌଥ ପରିବାର ଆଉ ନାହିଁ ଏବଂ ତାର ସ୍ଥାନ ନେଉଛି ଅଣୁ ପରିବାର, ଜୀବିକା ଉଦ୍ଦେଶ୍ୟରେ ଲୋକେ ପିତାମାତାଙ୍କୁ ଛାଡ଼ି ଦୂର ବିଦେଶକୁ ଚାଲିଯାଇ ଆଉ ଫେରୁନାହାନ୍ତି, କର୍ମକ୍ଷେତ୍ରରେ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି, ପରିବାରର ବରିଷ୍ଠ ସଦସ୍ୟମାନଙ୍କୁ ଦେଖାଚାହାଁ କରିବାକୁ ଯୁବପିଢ଼ିର ସମୟ ନାହିଁ କି ଆଗ୍ରହ ନାହିଁ, ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ, ଅବିବାହିତ କିମ୍ବା ନିଃସନ୍ତାନ ପୁରୁଷ ଓ ମହିଳାଙ୍କ ଏକାକୀ ଜୀବନ, ଅବସର ପରେ କର୍ମଠ ଥିବା ଲୋକ, ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ, ଶାରୀରିକ ବା ମାନସିକ ଅକ୍ଷମତା ଇତ୍ୟାଦି ।
ଏସବୁର ସମ୍ମିଳିତ ପ୍ରଭାବ ବୟସ୍କମାନଙ୍କୁ ଅସହାୟ କରିଦେଉଛି ଏବଂ ଜୀବନର ଅନ୍ତିମ ପର୍ଯ୍ୟାୟରେ ସେମାନେ ଏଭଳି ସ୍ଥାନକୁ ଶେଷ ଆଶ୍ରୟସ୍ଥଳ ଭାବରେ ଆଦରିନେବାକୁ ବାଧ୍ୟ ହେଉଛନ୍ତି । ଏହାର ପରିଣାମସ୍ୱରୂପ ଦେଶରେ ଛତୁ ଫୁଟିଲା ପରି ଗଢ଼ିଉଠୁଛି ଜରାଶ୍ରମ । ଦିନ ଥିଲା ଯେତେବେଳେ କିଛି ମଠ, ବାଡ଼ି, ଧର୍ମଶାଳା, ଧାର୍ମିକସ୍ଥଳୀ³ ଯଥା– ପୁରୀ, ହରିଦ୍ୱାର, ରିଷିକେଶ, ବୃନ୍ଦାବନ, ଅରୋଭିଲ ଆଦିକୁ ଛାଡ଼ିଦେଲେ ସମଗ୍ର ଭାରତବର୍ଷରେ ଏଭଳି ଆଶ୍ରୟସ୍ଥଳ ଆଦୌ ନଥିଲା । ବୟସ୍କ ନିରାଶ୍ରୟମାନଙ୍କୁ ଆଶ୍ରୟ ଦେବାପାଇଁ କୋଚିନ୍(କେରଳ)ର ରାଜା ରାଜ ରାଜ ବର୍ମା ୧୮୧୧ ମସିହାରେ ତ୍ରିଶୁର ଠାରେ ପ୍ରଥମ ଜରାଶ୍ରମ ନିର୍ମାଣ କରିଥିଲେ । ତା’ପରେ ମାଡ୍ରାସର ଫ୍ରେଣ୍ଡ ଇନ୍ ନିଡ୍ ସୋସାଇଟି ଏବଂ କଲିକତାର ‘ସିଷ୍ଟର୍ସ ଅଫ୍ ଦି ପୁଅର୍’ ନାମକ ସଦୃଶ ଅନୁଷ୍ଠାନ ଯଥାକ୍ରମେ ୧୮୪୦ ଏବଂ ୧୮୮୨ ମସିହାରେ ଗଢ଼ିଉଠିଲା। କାଳକ୍ରମେ ବିଭିନ୍ନ ମନ୍ଦିର, ମଠବାଡ଼ି, ଦେବୋତ୍ତର ସଂସ୍ଥା, ଧାର୍ମିକ ଅନୁଷ୍ଠାନ, ରାଜା ମହାରାଜା, ଜମିଦାର, ବ୍ୟକ୍ତିବିଶେଷ ଏବଂ ସରକାର ଏଭଳି ଅନୁଷ୍ଠାନର ଆବଶ୍ୟକତା ଉପଲବ୍ଧି କରି ସେଥିରେ ମନୋନିବେଶ କଲେ, ଯାହାଫଳରେ ଏହାର ପଞ୍ଜୀକୃତ ସଂଖ୍ୟା ଏବେ ୧୨୦୦ରେ ପହଞ୍ଚିଛି । ଏଭଳି କଲ୍ୟାଣମୂଳକ ବ୍ୟବସ୍ଥା ପ୍ରଥମେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବରେ ଉପଲବ୍ଧ ହେଉଥିଲା । କିନ୍ତୁ ତାର ବର୍ଦ୍ଧିଷ୍ଣୁ ଚାହିଦା ଯୋଗୁଁ ଏବେ ସେଥିରେ ବ୍ୟାବସାୟିକ ଚିନ୍ତାଧାରା ଅନୁପ୍ରବେଶ କଲାଣି । ସମାଜ କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ³ ସରକାରୀ ଅନୁମୋଦିତ ୫୫୧ ଜରାଶ୍ରମ ମଧ୍ୟରୁ ୩୨୫ଟି ନିଃଶୁଳ୍କ ସେବା ପ୍ରଦାନ କରୁଥିବାବେଳେ ଅବଶିଷ୍ଟ ଦେୟଯୁକ୍ତ ।
୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ଭାରତରେ ୧୦୪ ମିଲିଅନ୍ ବୟସ୍କ ଲୋକ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ ମିଲିଅନ୍ ଏକାକୀ ରହନ୍ତି । ୟୁଏନ୍ଏଫ୍ପିଏ’ର ଆକଳନ ଅନୁଯାୟୀ ୨୦୫୦ ମସିହା ବେଳକୁ ବୟସ୍କମାନଙ୍କର ସଂଖ୍ୟା ୨୦% ବୃଦ୍ଧିପାଇ ଅନ୍ୟୁନ ୩୦୦ ମିଲିଅନରେ ପହଞ୍ଚିବ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସାୟୀ ସଂସ୍ଥା ପଞ୍ଚତରକା ଜରାଶ୍ରମ ବି ନିର୍ମାଣ କରୁଛନ୍ତି ଯେଉଁଠି ଘରଠାରୁ ଅଧିକ ସୁବିଧା ସୁଯୋଗ– ଯଥା ବାତାନୁକୂଳିତ କୋଠରି, ନିଜ ନାମରେ ସ୍ଥାୟୀ ରେକର୍ଡ, ଲୋଭନୀୟ ଭୋଜନ, ଖେଳ କସରତ, ବ୍ୟାୟାମ, ଯୋଗ, ପର୍ବପର୍ବାଣୀ ପାଳନ, ମନୋରଞ୍ଜନ, ସାପ୍ତାହିକ ଭ୍ରମଣ ସୁବିଧା, ଡାକ୍ତର, ନର୍ସ, ଡାଏଟିସିଆନ୍, ଫିଜିଓଥେରାପି, ବିଭିନ୍ନ ବର୍ଗର ଲୋକଙ୍କ ସହିତ ସମ୍ପର୍କ, ଇଚ୍ଛା ଓ ସାମର୍ଥ୍ୟ ଥିବା ଲୋକଙ୍କୁ ସାମୟିକ କର୍ମ ଯୋଗାଣ ଇତ୍ୟାଦିର ବ୍ୟବସ୍ଥା ରହୁଛି । ସମ୍ପ୍ରତି ଆମ ଦେଶରେ କାର୍ଯ୍ୟକ୍ଷମ ଥିବା ପଞ୍ଚତାରକା ଜରାଶ୍ରମ ସାଧାରଣତଃ ତିନି ପ୍ରକାରର ଯଥା– ମୌଳିକ ସୁବିଧାଯୁକ୍ତ, ମଧ୍ୟମ ଶ୍ରେଣୀୟ ଓ ବିଳାସପୂର୍ଣ୍ଣ । ପ୍ରଥମ ଶ୍ରେଣୀର ଜରାଶ୍ରମ ରହିବା, ଖାଇବା ଓ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇଥାନ୍ତି ଏବଂ ସେମାନଙ୍କର ମାସିକ ଦେୟ ୧୦,୦୦୦ରୁ ୨୫,୦୦୦ ଟଙ୍କା । ଦ୍ୱିତୀୟ ଶ୍ରେଣୀ ରହିବା ଖାଇବା ଛଡ଼ା ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଓ ବ୍ୟକ୍ତିଗତ ସେବା ଯୋଗାଇ ଦେବାପାଇଁ ମାସିକ ୨୫,୦୦୦ରୁ ୫୦,୦୦୦ ଟଙ୍କା ନିଅନ୍ତି ।
ତୃତୀୟ ଶ୍ରେଣୀର ଜରାଶ୍ରମ ଏସି ରୁମ୍ ଓ ନାନାପ୍ରକାରର ଖାଦ୍ୟସାମଗ୍ରୀ ବ୍ୟତୀତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା, ବ୍ୟକ୍ତିଗତ ଯତ୍ନ ଇତ୍ୟାଦି ପାଇଁ ମାସିକ ୫୦,୦୦୦ରୁ ୧,୫୦,୦୦୦ ଟଙ୍କା ମୂଲ୍ୟ ନିଅନ୍ତି । ଏହାଛଡ଼ା ନାମଲେଖା, ପଞ୍ଜୀକରଣ ଓ ଅମାନତ ବାବଦକୁ ଅଧିକ ଦେୟ ଦେବାକୁ ପଡ଼େ । ବିଭିନ୍ନ ଜରାଶ୍ରମ ବିଷୟରେ ସୂଚନା ପାଇବା ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ବି ରହିଛି ଯେଉଁଥିରୁ ପ୍ରମୁଖ ହେଉଛି– ଇମ୍ପାକ୍ଟ ଗୁରୁ ଏବଂ ଗ୍ରେସିଆ ଲିଭିଂ । ସମଗ୍ର ଭାରତବର୍ଷରେ ବିଶ୍ୱଶ୍ରେଣୀୟ ସୁବିଧା ଯୋଗାଉଥିବା କେତୋଟି ପଞ୍ଚତାରକା ଜରାଶ୍ରମ ହେଲା– ଗୁରୁଗାଓଁର ଗ୍ରେସିଆସ୍ ଲିଭିଂ, ନଇଡା ଓ ଡେରାଡ଼ୁନ୍ର ଅନ୍ତରା ସିନିୟର ଲିଭିଂ, ତେଲେଙ୍ଗାନାର କ୍ଷେତ୍ର, ମହାରାଷ୍ଟ୍ରର ଡିଗ୍ନିଟି ଲାଇଫ୍ ଷ୍ଟାଇଲ୍, ଫରିଦାବାଦ୍ ଓ ଦିଲ୍ଲୀର ଗୋଲଡେନ୍ ଇଷ୍ଟେଟ୍, ବେଙ୍ଗାଲୁରୁର ସିରିନ୍ ଅର୍ବାନା । ଏହାଛଡ଼ା ଅପେକ୍ଷାକୃତ କମ୍ ଖର୍ଚ୍ଚସାପେକ୍ଷ ଅନେକ ସାଧାରଣ ଜରାଶ୍ରମ ରହିଛି, ଯେଉଁଥିରୁ କେତୋଟି ହେଲା: କୋଭାଇ କେୟାର- ଦିଲ୍ଲୀ, ଆନନ୍ଦମ୍ ରିଟାୟାରମେଣ୍ଟ କମ୍ୟୁନିଟିତାମିଲନାଡୁ, କଲମ୍ବିଆ ପାସିଫିକ୍ କମ୍ୟୁନିଟିଜ୍ ପାନ୍ ଇଣ୍ଡିଆ, ଆସିଆନା ସିନିୟର ଲିଭିଂ- ଭିୱାଣ୍ଡି, ଲାଭାସା ଓ ଜୟପୁର ଇତ୍ୟାଦି ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ମୋଟ୍ ୯୧ଟି ଜରାନିବାସ ମଧ୍ୟରୁ ସମ୍ପୂର୍ଣ୍ଣ ନିଃଶୁଳ୍କ କେତୋଟି ସଂସ୍ଥା ହେଲା ଉତ୍କଳମଣି ଗୋପବନ୍ଧୁ ଓଲ୍ଡ ଏଜ୍ ହୋମ୍- ଭୁବନେଶ୍ୱର, ଦୟାଶ୍ରମ- କଟକ, ସୁରକ୍ଷା- ପୁରୀ, ସମ୍ପର୍କ- ରାଉରକେଲା, ଶ୍ରୀଚୈତନ୍ୟ ବାନପ୍ରସ୍ଥ ଭଜନାଶ୍ରମ- ବ୍ରହ୍ମପୁର, ଶୁଶୃତ ଦୟାମଣି ନର୍ସିଂ ହୋମ୍- ସମ୍ବଲପୁର ଇତ୍ୟାଦି । ଏହା ବ୍ୟତୀତ କେତେକ ଦେୟଯୁକ୍ତ ଜରାଶ୍ରମ ରହିଛି, ଯେଉଁମାନେ ମାସିକ ୧୦,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି । ସେହିପରି ଲିଜ୍ ସୂତ୍ରରେ ବି ଜରାଶ୍ରମ ମିଳୁଛି । ଉଦାହରଣ ସ୍ୱରୂପ, କଟକ-ଭୁବନେଶ୍ୱର ମଧ୍ୟରେ କଟକ ସଦର ଅନ୍ତର୍ଗତ ଉଷୁମା ଗ୍ରାମରେ ଅବସ୍ଥିତ ଆର୍ଯ୍ୟ ସମାଜ ପରିଚାଳିତ ବେଦ ଧାମ । ଏଠାରେ ଏକକାଳୀନ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦାଖଲ କଲେ ଏକ କୋଠରିର ମାଲିକାନା ସ୍ୱତ୍ୱ ମିଳିଯାଏ ଏବଂ ବୋର୍ଡିଙ୍ଗ ଚାର୍ଜ ଦେଲେ ଦିନକୁ ତିନିଥର ଭୋଜନ ଯୋଗାଇ ଦିଆଯାଏ ।
ସାମ୍ପ୍ରତିକ ପାରିବାରିକ ସ୍ଥିତିକୁ ଅନୁଧ୍ୟାନ କଲେ ହୃଦ୍ବୋଧ ହୁଏ, ଏଭଳି ଆଶ୍ରୟସ୍ଥଳ ଏବେ ଇଚ୍ଛା କିମ୍ବା ପସନ୍ଦ ପରିବର୍ତ୍ତେ ଏକ ଆବଶ୍ୟକତା ହୋଇଗଲାଣି । ଯେହେତୁ ସବୁ ବର୍ଗର ଲୋକଙ୍କ ପାଇଁ ପରିବାର ବାହାରେ ପ୍ରାୟ ପରିବାର ଭଳି ସୁବିଧା ମିଳୁଛି, ନିଜ ଲୋକଙ୍କ ମଧ୍ୟରେ ମନସ୍ତାପରେ ଦିନ କାଟିବା ଅପେକ୍ଷା ଏଠାରେ ରହିବା ବରଂ ଶ୍ରେୟସ୍କର ବିବେଚିତ ହେଉଛି । ଆମ ଶାସ୍ତ୍ରରେ ତ ପୂର୍ବକାଳରେ ବାନପ୍ରସ୍ଥାଶ୍ରମ ଏକ ମର୍ଯ୍ୟାଦାର ପ୍ରତୀକ ଥିଲା ଏବଂ ରାଜା ମହାରାଜାମାନେ ସବୁକିଛି ତ୍ୟାଗ କରିଦେଇ ଶେଷରେ ବନକୁ ଚାଲି ଯାଉଥିଲେ । ପ୍ରଭେଦ ଖାଲି ଏତିକି ଯେ, ଆଗେ ଏହା ମୁଖ୍ୟତଃ ସ୍ୱେଚ୍ଛାକୃତ ଥିଲାବେଳେ ଏବେ ଏହା ପ୍ରାୟତଃ ଅନିଚ୍ଛାକୃତ । ତେବେ ଯେଉଁଠି ଆପଣାର ଲୋକ ପର ହୋଇଯାନ୍ତି, ସେଠାରେ ପରକୁ ଆପଣା କରି ଜରାଶ୍ରମକୁ ବାନପ୍ରସ୍ଥାଶ୍ରମ ବୋଲି ଗ୍ରହଣ କରିନେବା ଛଡ଼ା ଉପାୟ କ'ଣ ?