ଭୁବନେଶ୍ଵର, ୨୭/୯ : ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଶହରା ଭେଟି। ଝାରସୁଗୁଡ଼ାରୁ କଲେ ପ୍ରକଳ୍ପ ବର୍ଷା। ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କଲେ ପିଏମ୍ ମୋଦି। ସାରା ଦେଶରେ କାର୍ଯ୍ୟକ୍ଷମ ହେଲା ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର। VCରେ ସାମିଲ ହେଲେ ଆନ୍ଧ୍ର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆସାମ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀ। 

ଏହି ଅବସର ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ ସାରା ଭାରତବର୍ଷ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌  ୪ଜି ନେଟୱର୍କ ସେବା ଉଦ୍‌ଘାଟନ କରିଛନ୍ତି। ସାରା  ଦେଶରେ ୯୭ ହଜାର ୫୦୦ ୪ଜି  ମୋବାଇଲ ଟାୱାର ନିର୍ମିତ ହୋଇଛି । ଏହାର ମୂଲ୍ୟ ହେଉଛି ପ୍ରାୟ  ୩୭ ହଜାର କୋଟି ଟଙ୍କା । ଏହି ବିଏସଏନଏଲ୍‌ ୪ଜି  ନେଟ୍‌ୱର୍କ ସମ୍ପୂର୍ଣ୍ଣ "ଆତ୍ମନିର୍ଭର’ ୪ଜି ପ୍ରଯୁକ୍ତିବିଦ୍ୟା  ଦ୍ୱାରା ପରିଚାଳିତ ହେବ । ଏହି ସଫ୍‌ଟୱେର ୫ଜିକୁ  ସହଜରେ ଅପ୍‌ଗ୍ରେଡ କରାଯାଇପାରିବ । ଦୁର୍ଗମ,  ସୀମାନ୍ତ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୬,୭୦୦ ଗାଁକୁ ମିଳିବ ମୋବାଇଲ ସେବା । ୨୦  ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ମିଳିବ ।  

ବ୍ରହ୍ମପୁରରୁ ସୁରଟ (ଉଧନା) ସଂଯୋଗ କରୁଥିବା  "ଅମୃତ ଭାରତ ଏକ୍ସପ୍ରେସ'କୁ ପ୍ରଧାନମନ୍ତ୍ରୀ ଭିଡିଓ  କନଫରେନ୍‌ସିଂ ଜରିଆରେ ସବୁଜ ପତାକା ଦେଖାଇ  ଶୁଭାରମ୍ଭ କରିଛନ୍ତି । ଯୁବ ସମାବେଶ ଅବସରରେ ମୋଦି ୩ଟି ରେଳ  ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ସମ୍ବଲପୁର  ସହର-ସର୍ଲା ମଧ୍ୟରେ ରେଲୱେ ଫ୍ଲାଏଓଭରର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଫ୍ଲାଏଓଭର  ପାଇଁ ୨୭୩ କୋଟିର ପାଣ୍ଠି ବରାଦ ହୋଇଛି ।  ଏହା ସହିତ ସମ୍ବଲପୁର-ଝାରସୁଗୁଡ଼ା ସେକ୍ସନରେ ଲୋକାର୍ପଣ କରିଛନ୍ତି । କୋରାପୁଟ-ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ  କାମ ଶେଷ ହୋଇଛି । କୋରାପୁଟ ଅଞ୍ଚଳରେ କୃଷିଜାତ ସାମଗ୍ରୀ ସହ ଖଣିଜ  ପରିବହନରେ ଏହି ଦୋହରୀକରଣ ବେଶ ଲାଭ ଦେବ । ସେହିଭଳି ମାନାବାରକୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣ କାମ ସରିଛି । ୮୨  କିମିର ଏହି ରେଳ ଲାଇନ ଦୋହରୀକରଣରେ ୯୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।  ଏହାଦ୍ୱାରା ବେଲାଡିଲା ଖଣିରୁ ଲୁହାପଥର ସୁବିଧାରେ ଶୀଘ୍ର ଦେଶର ବିଭିନ୍ନ  ସ୍ଥାନରେ ଥିବା ଇସ୍ପାତ କାରଖାନାକୁ ପହଞ୍ଚିପାରିବ ।  

ପ୍ରଧାନମନ୍ତ୍ରୀ ପ୍ରାୟ ୧୧ ହଜାର କୋଟି ଟଙ୍କା ବିନିଯୋଗରେ ୮ଟି ଆଇଆଇଟିର  ସଂପ୍ରସାରଣ ପାଇଁ ଭିଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ତିରୁପତି, ପାଲକଡ,  ଭିଲାଇ, ଜମ୍ମୁ, ଧରୱାଡ଼, ଯୋଧପୁର, ପାଟନା ଓ ଇନ୍ଦୋର ଆଇଆଇଟିରେ ଆଗାମୀ  ଚାରି ବର୍ଷରେ ୧୦ ହଜାର ଅଧିକ ନୂଆ ଛାତ୍ରଛାତ୍ରୀ ପାଠ ପଢ଼ି ପାରିବେ । ଆଠଟି  ଅତ୍ୟାଧୁନିକ ଗବେଷଣା ପାର୍କ ସ୍ଥାପନ ହେବ । ଏହା ଭାରତର ନବସୃଜନ ସହ  ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ଶନିବାର ‘ମେରିଟ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ୨୭୫ ଇଞ୍ଜିନିୟରିଂ ଓ  ପଲିଟେକ୍‌ନିକ୍‌ ଅନୁଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଏବଂ ନବସୃଜନକୁ  ଆଗକୁ ନେବ । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।  ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ହେବ । ଏଠାରେ କୃଷି  ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ରିଟେଲ, ସାମୁଦ୍ରିକ ଆଦି ପାଠ୍ୟକ୍ରମ ରହିବ । ଏହାସହ ପାଞ୍ଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ । ୨୫ଟି ଆଇଟିଆଇକୁ  ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବା ସହ ଅତ୍ୟାଧୁନିକ ବୈଷୟିକ ତାଲିମ ପାଇଁ ନୂଆ କୋଠା ନିର୍ମାଣ ହେବ ।

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉଲ୍ଲେଖନୀୟ ଉନ୍ନତି ହେବ। ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମ୍‌ସାର ବିଶ୍ୱସ୍ତରୀୟ ସୁପର-ସ୍ପେସିଆଲିଟି ହସ୍ପିଟାଲର ଉନ୍ନତିକରଣ ପାଇଁ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅଧିକ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍‌, ଡେଣ୍ଟାଲ କଲେଜ, ମାତୃ ଓ ଶିଶୁ ଯତ୍ନ ସେବା ଏବଂ ବିସ୍ତୃତ  ଶିକ୍ଷା ଭିତ୍ତିଭୂମି ଏଠାରେ ଉପଲବ୍ଧ ହେବ । ଏହାସହ ପ୍ରଧାନମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦,୦୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।