ନୂଆଦିଲ୍ଲୀ ୨୪/୧୦: ଆଇସ୍ଲାଣ୍ଡ ବିଶ୍ୱର ଏଭଳି ଏକ ଦେଶ, ଯେଉଁଠି ଗୋଟିଏ ବି ମଶା ନାହିଁ । କିନ୍ତୁ ଏବେ ବିଶ୍ୱ ତାପନ ଏହାକୁ ଭୁଲ ପ୍ରମାଣିତ କରିଛି । ଆଇସ୍ଲାଣ୍ଡରେ ପ୍ରଥମ ଥର ମଶା ଦେଖିବାକୁ ମିଳିଛି । ବୈଜ୍ଞାନିକଙ୍କ ଅନୁସାରେ, ବିଶ୍ୱ ଉତ୍ତାପନ ଯୋଗୁ ଏବେ ଏହି ଦେଶ କୀଟଙ୍କ ପାଇଁ ପୂର୍ବାପେକ୍ଷା ଅଧିକ ଅନୁକୂଳ ହେଉଛି । ମଶା-ବିହୀନ ଦେଶ ତାଲିକାରୁ ଏଥର ଆଇସ୍ଲାଣ୍ଡ ବାଦ୍ ପଡ଼ିବ । ଆଇସ୍ଲାଣ୍ଡ ପରେ ଆଣ୍ଟାର୍କଟିକା ୨ୟ ଦେଶ, ଯେଉଁଠି ମଶା ନାହାନ୍ତି ।
ଆଇସ୍ଲାଣ୍ଡରେ ମଶାଙ୍କ ସୃଷ୍ଟି ବିଷୟରେ ବୈଜ୍ଞାନିକମାନେ ଅନୁମାନ କରୁଥିଲେ । କାରଣ ଏଠାକାର ଆର୍ଦ୍ର ଭୂମି ଓ ପୋଖରି ଭଳି ସ୍ଥାନ ପ୍ରଜନନ ପାଇଁ ଉପଯୁକ୍ତ । କିନ୍ତୁ ଥଣ୍ଡା ଜଳବାୟୁରେ ଅନେକ ପ୍ରଜାତି ତିଷ୍ଠି ପାରନ୍ତି ନାହିଁ । ଏବେ ଆଇସ୍ଲାଣ୍ଡର ତାପମାତ୍ରା ଉତ୍ତର ଗୋଲାର୍ଦ୍ଧର ହାରାହାରିଠୁ ୪ ଗୁଣ ଦ୍ରୁତ ବଢୁଛି । ଏଠାରେ ଗ୍ଲେସିୟର ତରଳୁଛି ଏବଂ ଦକ୍ଷିଣର ଉଷ୍ଣ ଅଞ୍ଚଳରେ ମାଛ ଭଳି ମ୍ୟାକେରଲ ପ୍ରଜାତି ସ୍ଥାନୀୟ ନଦୀ ଓ ଝରଣାରେ ବିଚରଣ କରୁଛନ୍ତି ।
ପୃଥିବୀ ଉତ୍ତପ୍ତ ହେବା ସହିତ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ମଶାଙ୍କ ପ୍ରଜାତିର ଦ୍ରୁତ ପ୍ରସାର ହେଉଛି । ବ୍ରିଟେନରେ ଏ ବର୍ଷ ଏଡିସ ଏଜିପ୍ଟ (ମିଶର୍ ମଶା)ର ଅଣ୍ଡା ମିଳିଲା । ଅନ୍ୟପକ୍ଷେ, ଏଡିସ ଆଲ୍ବୋପିକ୍ଟସ (ଏସୀୟ ଟାଇଗର ମଶା)ର ନମୁନା କେଣ୍ଟ୍ରେ ମିଳିଲା । ଏମାନେ ବିପଦପୂର୍ଣ୍ଣ ପ୍ରଜାତି, ଯାହା ଡେଙ୍ଗୁ, ଚିକନଗୁନିଆ ଓ ଜିକା ଭାଇରସ୍ ଭଳି ରୋଗର ପ୍ରସାର କରିପାରନ୍ତି ।
ଆଇସ୍ଲାଣ୍ଡର ନାଚୁରାଲ ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ରେ କୀଟ ବୈଜ୍ଞାନିକ ମାଥିୟସ୍ ଅଲ୍ଫ୍ରେସନ୍ ଆଇସ୍ଲାଣ୍ଡରେ ମଶାଙ୍କ ଆବିଷ୍କାର ସ୍ପଷ୍ଟ କରିଛନ୍ତି । ସେ ଏକ ବ୍ରିଟିଶ ଖବରକାଗଜ ସହ ବାର୍ତ୍ତାଳାପରେ କହିଛନ୍ତି, କୁଲିସେଟା ଆନୁଲାଟା ପ୍ରଜାତିର ୩ଟି ମଶା ଏଠାରେ ମିଳିଛି । ଏମାନଙ୍କ ମଧ୍ୟରେ ୨ଟି ମାଈ ଓ ଗୋଟିଏ ଅଣ୍ଡିରା । ପତଙ୍ଗଙ୍କୁ ଆକର୍ଷିତ କରିବାକୁ ଲଗାଯାଇଥିବା ୱାଇନ୍ ରଶିରେ ଏମାନେ ଥିଲେ । ଏହି ମଶା ପ୍ରଜାତି ଥଣ୍ଡାରେ ମଧ୍ୟ ବଞ୍ଚିପାରନ୍ତି । କବାଡ଼ି ଘର ଓ ଗୋଦାମ ଆଦିରେ ରହନ୍ତି ।