ଭୁବନେଶ୍ୱର,୨୭/୧୦: ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର ଆସନ୍ତା ୨୯ରେ ଓଡିଶା ଗସ୍ତରେ ଆସୁଛନ୍ତି । ତାଙ୍କ ସହ କମିଶନ ସଦସ୍ୟ, ସଚିବ ଏବଂ କମିଶନରର ସମସ୍ତ ଅଧିକାରୀ ମଧ୍ୟ ଆସିବେ । ସେହିଦିନ ପୂର୍ବାହ୍ଣ ୧୧ଟାରେ ଶ୍ରୀ ଗହିର ରାଜ୍ୟ ଅତିଥିଭବନରେ ବିଭିନ୍ନ ଜାତିବର୍ଗଙ୍କ ଠାରୁ ଅଭିଯୋଗ ଓ ଦାବି ଶୁଣିବେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରାଯାଇଛି ।
ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଦେଶର ଅନ୍ୟ ରାଜ୍ୟଗୁଡିକ ସହ ଆମ ରାଜ୍ୟକୁ ତୁଳନା କଲେ, ରାଜ୍ୟର ଅନେକ ପଛୁଆ ଜାତି ବର୍ଗ ଜାତୀୟ ତାଲିକାଭୁକ୍ତ ହୋଇ ପାରିନାହାନ୍ତି । ରାଜ୍ୟରେ ଯଦିଓ ପଛୁଆବର୍ଗଙ୍କ ସଂଖ୍ୟା ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୪%, ତଥାପି ଅନେକ ପଛୁଆ ଜାତି ବର୍ଗ ତାଲିକାଭୁକ୍ତ ହୋଇନାହାନ୍ତି । ଫଳରେ ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଦ୍ଦିଷ୍ଠ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଦେଶର ସାମଗ୍ରିକ, ସମନ୍ୱିତ ଓ ସନ୍ତୁଳିତ ବିକାଶକୁ ଦୃଷ୍ଟିରେ ରଖି ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ କମିଶନ ଅଧ୍ୟକ୍ଷ ଓଡ଼ିଶା ଆସୁଛନ୍ତି ବୋଲି ସେ କହିଥିଲେ । ବିଜେପି ତରଫରୁ ବାରମ୍ବାର ଦାବି ପରେ ପୂର୍ବ ସରକାର ଚାପର ବଶବର୍ତ୍ତୀ ହୋଇ ଯେଉଁ ଓବିସି କମିଶନ ଗଠନ କରିଥିଲେ, କିନ୍ତୁ ତାଙ୍କୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇନଥିଲା । ବଞ୍ଚିତ ଜାତି ବର୍ଗମାନଙ୍କୁ ଜାତୀୟ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ପାଇଁ ବିଜେପି ଓବିସି ମୋର୍ଚ୍ଚା ତରଫରୁ ବାରମ୍ବାର କେନ୍ଦ୍ରୀୟ କମିଶନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତତ୍କାଳୀନ ରାଜ୍ୟ ସରକାରାଙ୍କ ଚରମ ଉଦାସୀନତା କାରଣରୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ୨୦୨୪ରେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରେ ଶିକ୍ଷା କ୍ଷେତ୍ରରେ ପ୍ରଥମ ଥର ପାଇଁ ସଂରକ୍ଷଣ ପ୍ରଦାନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।