ପାଟନା,୪/୧୧ : ବିହାରରେ ଏନଡିଏ ମେଣ୍ଟ ବିକାଶ ଓ ସୁଶାସନ ସହିତ ଜନତାଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଟନାରେ ବିହାର ବିଧାନସଭା ନିର୍ବାଚନ -୨୦୨୫ର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ବାର୍ତ୍ତାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମାର୍ଗଦର୍ଶନରେ ଏକ ସଶକ୍ତ, ସଂଗଠିତ, ସକାରାତ୍ମକ ଏବଂ ଜନ-ଆଧାରିତ ନିର୍ବାଚନ ଅଭିଯାନ ଜାରି ରହିଛି । ଗୋଟିଏ ପଟେ ଏନଡିଏ ମେଣ୍ଟ ବିକାଶ, ସୁଶାସନ ଏବଂ ସ୍ଥିରତାର ନିଜର ଦୃଢ଼ ଉପଲବ୍ଧି ସହିତ ଜନତାଙ୍କ ମଧ୍ୟରେ ବିଶ୍ୱାସର ପ୍ରତୀକ ହୋଇ ଉଭା ହୋଇଛି । ଏହି ମେଣ୍ଟ 'ବିକଶିତ ବିହାର'ର ସଂକଳ୍ପ ସହିତ ଆଗକୁ ଅଗ୍ରସର ହୋଇଛି । ଅନ୍ୟପଟେ, ମହାଗଠବନ୍ଧନର ଦିଗ ଏବଂ ଉଦ୍ଦେଶ୍ୟ ଉଭୟ ଅସ୍ପଷ୍ଟ ରହିଛି । ବିହାରର ଜନସାଧାରଣ ମିଥ୍ୟା ପ୍ରତିଶ୍ରୁତି ଏବଂ 'ଜଙ୍ଗଲରାଜ'ର କୁଶାସନରେ ଅନୁପ୍ରାଣିତ ଲୋକଙ୍କ ସତ୍ୟତାକୁ ଭଲ ଭାବରେ ଜାଣିଛନ୍ତି । ଏହିପରି ଲୋକମାନେ କେବେବି ବିହାରର ଭଲ କରିପାରିବେ ନାହିଁ ।
ସେ ଏନଡିଏର ସଂକଳ୍ପପତ୍ରକୁ ଏକବିଂଶ ଶତାବ୍ଦୀର 'ବିକଶିତ ବିହାର'ର ରୂପରେଖ ବୋଲି କହିଛନ୍ତି। ଏହି ରୂପରେଖ ଏକ ଏପରି ବିହାରର ନିର୍ମାଣ ଲକ୍ଷ୍ୟ ରଖିଛି ଯାହା ନୂତନ ଅର୍ଥନୀତି, କୃଷି, ନିଯୁକ୍ତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଏବଂ ଆତ୍ମନିର୍ଭର ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ିବ । ଏନଡ଼ିଏର ଏହି ସଂକଳ୍ପ ପତ୍ରରେ ୧ କୋଟିରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଓ ରୋଜଗାର ସୁଯୋଗ, ଅନ୍ନଦାତାମାନଙ୍କ ପାଇଁ ସମସ୍ତ ଫସଲ ଉପରେ ଏମ୍.ଏସ୍.ପିର ଗ୍ୟାରେଣ୍ଟି ଏବଂ କିଷାନ ସମ୍ମାନ ନିଧିର ରାଶି ୬,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୯,୦୦୦ ଟଙ୍କା କରିବାକୁ ସଂକଳ୍ପ ନିଆଯାଇଛି। ଏହାବ୍ୟତୀତ ୫୦ ଲକ୍ଷ ନୂତନ ପକ୍କା ଗୃହ ନିର୍ମାଣ କରିବା ଏବଂ ୧ କୋଟି ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ମଧ୍ୟ ଏହି ସଂକଳ୍ପ ପତ୍ରରେ ଉଲ୍ଲେଖ ରହିଛି । ଶିକ୍ଷା କ୍ଷେତ୍ରରେ ୫,୦୦୦ କୋଟି ଟଙ୍କାର ରାଶିରେ ଜିଲ୍ଲାର ପ୍ରମୁଖ ବିଦ୍ୟାଳୟଗୁଡ଼ିକର ନବୀକରଣ କରାଯିବାର ଯୋଜନା ରହିଛି । ଧାର୍ମିକ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମାତା ଜାନକୀଙ୍କ ଜନ୍ମସ୍ଥାନକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ନଗରୀ ‘ସୀତାପୁରମ୍’ ଭାବରେ ବିକଶିତ କରିବାର ଯୋଜନା ରହିଛି । ପାଟନା, ଦରଭଙ୍ଗା, ପୂର୍ଣ୍ଣିଆ ଏବଂ ଭାଗଲପୁରରେ ଆନ୍ତର୍ଜାତିକ ବିମାନ ବନ୍ଦର ଏବଂ ଚାରୋଟି ନୂଆ ସହରରେ ମେଟ୍ରୋ ପ୍ରକଳ୍ପ ଭଳି ଅନେକ ବହୁମୁଖୀ ସଂକଳ୍ପ ମଧ୍ୟ ଇସ୍ତାହାରରେ ସାମିଲ ହୋଇଛି । ଏହି ସଂକଳ୍ପ ପତ୍ର କୃଷକମାନଙ୍କ ସଶକ୍ତିକରଣ, ଗରିବ ଓ ପଛୁଆ ବର୍ଗଙ୍କ ହିତର ସୁରକ୍ଷା, ଯୁବକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଏବଂ ସର୍ବୋପରି ବିହାରର ସର୍ବାଙ୍ଗୀନ ବିକାଶର ଗ୍ୟାରେଣ୍ଟି ଦେଉଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶେଷରେ ବିହାରର ଜନତାଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ଗଣତନ୍ତ୍ରର ଏହି ମହାପର୍ବରେ ବହୁଳ ଭାବରେ ଅଂଶଗ୍ରହଣ କରନ୍ତୁ। ସେ ଭୋଟରମାନଙ୍କୁ ନିଜର ମତାଧିକାରର ଶତ-ପ୍ରତିଶତ ଉପଯୋଗ କରି ବିକାଶ, ସୁଶାସନ ଏବଂ ସ୍ଥିରତାର ଏହି ଅଭିଯାନକୁ ଅଧିକ ଶକ୍ତିଶାଳୀ କରିବାକୁ ନିବେଦନ କରିଛନ୍ତି ।