ରାଉରକେଲା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍ଆଇଟି ରାଉରକେଲା) ର ଗବେଷକମାନେ ଭବିଷ୍ୟତରେ ଯାନବାହନ ମଧ୍ୟରେ ଯୋଗାଯୋଗ ଉନ୍ନତ କରିବା ଲକ୍ଷ୍ୟରେ ଏକ ମଡେଲ୍ ପାଇଁ ପେଟେଣ୍ଟ ହାସଲ କରିଛନ୍ତି। ଏହି ପେଟେଣ୍ଟ, “Adaptive Contention Window Optimisation in VANETs using Multi-Agent Deep Reinforcement Learning for Enhanced Performance Model” ଶୀର୍ଷକରେ, ଡକ୍ଟର ଅରୁଣ କୁମାର, ସହକାରୀ ପ୍ରଫେସର; ପ୍ରଫେସର ବିଭୁଦତ୍ତ ସାହୁ, ଏବଂ ଡକ୍ଟର ଲୋପାମୁଦ୍ରା ହୋତା, ଗବେଷଣା ଗ୍ରାଜୁଏଟ୍, କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ, ଏନ୍ଆଇଟି ରାଉରକେଲା ଦ୍ୱାରା ଦାଖଲ କରାଯାଇଛି। ଏହି ଗବେଷଣା ଭେହିକୁଲାର ଆଡ୍-ହକ୍ ନେଟୱାର୍କ (VANETs) ରେ ଯୋଗାଯୋଗ ସମସ୍ୟାର ସମାଧାନ ଉପରେ କେନ୍ଦ୍ରୀଭୂତ ରହିଛି।
VANETs ର ମୂଳ ଧାରଣା ହେଉଛି ନିକଟବର୍ତ୍ତୀ ଯାନବାହନଗୁଡ଼ିକ ପରସ୍ପର ସହ ସିଧାସଳଖ ଯୋଗାଯୋଗ କରିପାରିବେ। ଉଦାହରଣ ସ୍ୱରୂପ, ଏକ କାର ଅନ୍ୟ ଯାନବାହନକୁ ହଠାତ୍ ବ୍ରେକ୍ ମାରିବା କିମ୍ବା ରାସ୍ତାରେ ଆଗକୁ ଥିବା ଅନ୍ୟାନ୍ୟ ବାଧା ସମ୍ପର୍କରେ ଆଗୁଆ ଚେତାବନୀ ଦେଇପାରେ। ଏହା ଡ୍ରାଇଭିଂ, ସ୍ୱୟଂଚାଳିତ ଟ୍ରାଫିକ୍ ସିଷ୍ଟମ, ଏବଂ ଜରୁରୀ ସେବାକୁ ସହାୟତା ପ୍ରଦାନ କରେ। କିନ୍ତୁ, ଯେତେବେଳେ ଏକାଧିକ ଯାନବାହନ ଏକକାଳୀନ ଭାବେ ମେସେଜ୍ ପଠାଇବେ, ସେତେବେଳେ ସିଷ୍ଟମରେ ଅଧିକ ଟ୍ରାଫିକ ହେବାର ସମସ୍ୟା ସୃଷ୍ଟି କରିପାରେ। ଯାହା ସିଷ୍ଟମର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରେ।
ଏନ୍ଆଇଟି ରାଉରକେଲାର ଗବେଷକମାନେ ଏହି ସମସ୍ୟାର ସମାଧାନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଉପରେ ଆଧାରିତ ଏକ ମଡେଲ ପ୍ରସ୍ତାବିତ କରିଛନ୍ତି। ଏହି ମଡେଲ ମଲ୍ଟି-ଏଜେଣ୍ଟ ଡିପ୍ ରିଇନଫୋର୍ସମେଣ୍ଟ ଲର୍ଣ୍ଣିଂ ବ୍ୟବହାର କରେ, ଯାହା ଦ୍ୱାରା ପ୍ରତ୍ୟେକ ଯାନବାହନ ଅନ୍ୟ ଯାନବାହନର କାର୍ଯ୍ୟ ଅନୁସାରେ ନିଜର ମେସେଜ୍ ପଠାଇବାର ସମୟକୁ ନିୟନ୍ତ୍ରଣ କରିପାରିବେ। ଏହା ଯୋଗାଯୋଗରେ ପ୍ରତିଯୋଗିତା ହ୍ରାସ କରି ଜରୁରୀ ମେସେଜ୍ଗୁଡ଼ିକୁ ଅଗ୍ରାଧିକାର ଦେଇ ନିର୍ଭରଯୋଗ୍ୟ ଭାବେ ପଠାଇବାରେ ସହାୟକ ହୁଏ।
ଏହି ଗବେଷଣାର ପ୍ରେରଣା ବିଷୟରେ ଡକ୍ଟର ଅରୁଣ କୁମାର କହିଛନ୍ତି, “୨୦୨୩ ମସିହାରେ ଭାରତରେ ପ୍ରାୟ ୪,୮୦,୦୦୦ ସଡକ ଦୁର୍ଘଟଣା ଓ ତଦଜନିତ ୧,୭୨,୦୦୦ ମୃତ୍ୟୁ ରିପୋର୍ଟ ହୋଇଥିଲା। ଯାହାମଧ୍ୟରୁ ଅନେକ ଦୁର୍ଘଟଣାକୁ ଏହି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ରୋକାଯାଇପାରିଥାନ୍ତା। ଆମର କାର୍ଯ୍ୟ ନିରାପଦ ରାସ୍ତା ଓ ସ୍ମାର୍ଟ ସହର ନିର୍ମାଣରେ ଏକ ନୂଆ ପଦକ୍ଷେପ। ଆମେ ଭାରତରେ ସ୍ୱୟଂଚାଳିତ ଯାନବାହନକୁ ବାସ୍ତବତାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ, ଏବଂ ଏହି ପେଟେଣ୍ଟ ହେଉଛି ‘ଇନୋଭେଟ ଇନ୍ ଇଣ୍ଡିଆ’ ଓ ‘ମେକ୍ ଇନ୍ ଇଣ୍ଡିଆ’ର ଚେତନାକୁ ଆଗେଇ ନେବାରେ ଏକ ଛୋଟ ପଦକ୍ଷେପ।”
ଏହି ମଡେଲ ଭିଡ଼ ପରିସ୍ଥିତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ସଠିକ୍ ସମୟରେ ପହଞ୍ଚାଇବା ନିଶ୍ଚିତ କରେ, ଯାହା ନିରାପଦ ଗତିଶୀଳତାକୁ ସମର୍ଥନ କରେ। ଏହା ଭବିଷ୍ୟତର ପରିବହନ ବ୍ୟବସ୍ଥା ପାଇଁ ଏକ ଉତ୍ତମ ପଦକ୍ଷେପ ସାବିତ ହେବ। ଯେଉଁଠାରେ ଯାନବାହନଗୁଡ଼ିକ ରିଅଲ୍-ଟାଇମ୍ରେ ପରସ୍ପର ସହ ସମନ୍ୱୟ କରିପାରିବ।
VANETs ର ପ୍ରୟୋଗ ମଧ୍ୟରେ ପ୍ରଥମଟି ହେଉଛି ଇଲେକ୍ଟ୍ରୋନିକ୍ ବ୍ରେକ୍ ଲାଇଟ୍, ଯାହା ଡ୍ରାଇଭରଙ୍କୁ ତାଙ୍କ ଦୃଷ୍ଟିସୀମା ବାହାରେ ବ୍ରେକିଂ ସମ୍ପର୍କରେ ଚେତାବନୀ ଦେଇଥାଏ। ସେହିଭଳି ଦ୍ୱିତୀୟଟି ହେଉଛି ପ୍ଲାଟୁନିଂ, ଯାହା ଯାନବାହନଗୁଡ଼ିକୁ ଏକ ନେତୃତ୍ୱକାରୀ ଯାନବାହନର ପଛରେ ନିୟନ୍ତ୍ରିତ ଗତିରେ ଚାଳନା କରିବାକୁ ସକ୍ଷମ କରେ। ସେହିଭଳି ଅନ୍ୟ ଫିଚର ମଧ୍ୟରେ ରିଅଲ୍-ଟାଇମ୍ ଟ୍ରାଫିକ୍ ଅପଡେଟ୍, ଜରୁରୀ ସେବା ପାଇଁ ତୁରନ୍ତ ସୂଚନା ପ୍ରସାରଣ, ଜିଓଲୋକେସନ ଆଧାରିତ ଇଲେକ୍ଟ୍ରୋନିକ୍ ପେମେଣ୍ଟ ସେବା ଏବଂ ଇଲେକ୍ଟ୍ରୋନିକ୍ ଟୋଲ କଲେକ୍ସନ ସିଷ୍ଟମ ପାଇଁ ରିଅଲ୍-ଟାଇମ୍ ଡାଟା ପ୍ରଦାନ ଆଦି ଅନ୍ତର୍ଭୁକ୍ତ ରହିଛି।
ଏହି ଟେକ୍ନୋଲୋଜି ବିଷୟରେ ପ୍ରଫେସର ବିଭୁଦତ୍ତ ସାହୁ କହିଛନ୍ତି ଯେ, “ଏହି ପେଟେଣ୍ଟ ଭାରତର ରାସ୍ତା ବ୍ୟବସ୍ଥାକୁ ଭେଇକିଲ-ଟୁ-ଭେଇକିଲ ଯୋଗାଯୋଗ ପାଇଁ ପ୍ରସ୍ତୁତ କରିବାରେ ଏକ ବ୍ୟବହାରିକ ପଦକ୍ଷେପ। VANETs ରେ ଭିଡ଼କୁ ସମାଧାନ କରି ଏକ ଅନୁକୂଳ, ସମନ୍ୱିତ ଯୋଗାଯୋଗ ମଡେଲ ପ୍ରଦାନ କରିଥାଏ। ଯାହା ଏକ ନିରାପଦ ଏବଂ ଅଧିକ ଦକ୍ଷ ଟ୍ରାଫିକ୍ ମ୍ୟାନେଜମେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଆମେ ଅନ୍ୟ ଅନୁଷ୍ଠାନର ଗବେଷକମାନଙ୍କୁ ଭବିଷ୍ୟତର ସ୍ୱୟଂଚାଳିତ ଯାନବାହନ ନିର୍ମାଣରେ ଆମ ସହ ଯୋଗଦେବା ଏବଂ ଏନ୍ଆଇଟି ରାଉରକେଲାର ଗବେଷଣା ଲ୍ୟାବରେ ସହଯୋଗ କରିବାକୁ ଆମନ୍ତ୍ରଣ ଜଣାଉଛୁ।”