ଭୁବନେଶ୍ୱର,୧୫/୧୦ : ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ସରକାର ନିୟମ କଲେ, ଆଇନ୍‌ରେ ସଂଶୋଧନ ଆଣିଲେ । ଦଣ୍ଡବିଧାନ ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ନେଲେ । ତଥାପି ସୁଧୁରୁନାହାନ୍ତି । ସରକାରଙ୍କ ନାଲିଆଖିକୁ ଡର ନାହିଁ । ବାରମ୍ବାର ଚେତାବନୀକୁ ବି ଫୁ କରିଦେଉଛନ୍ତି । ବ୍ୟବସାୟୀମାନେ ପାଳନ କରିବାକୁ ନାରାଜ । ଯେଉଁଥିପାଇଁ ସୁଫଳ ମିଳୁନାହିଁ । ଭାଷାପ୍ରୀତିର ଅଭାବ ଓ ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଏଭଳି ସ୍ଥିତି ।

ଚଳିତ ବର୍ଷ ସରକାର ଶହେ ଅମାନିଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ତଥାପି ତାଙ୍କର ଖାତିର ନାହିଁ । ଘରୋଇ ବ୍ୟବସାୟ କେନ୍ଦ୍ରଠାରୁ ଆରମ୍ଭ କରି ସରକାରୀ ପ୍ରତିଷ୍ଠାନ ପର୍ଯ୍ୟନ୍ତ ପ୍ରାୟତଃ ସବୁଠି ସମାନ ଅବସ୍ଥା । ଚଳିତ ବର୍ଷ ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ୱାରା ଜୋର୍‌ଦାର୍‌ ଚଢ଼ାଉ ହୋଇଥିଲା । ରାଜ୍ୟରେ ୨୮୫୨ଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଥିଲା । ସେଥିରୁ ୧୬୦୬ଟି ପ୍ରତିଷ୍ଠାନ ନିୟମ ମାନିନାହନ୍ତି । ଓଡ଼ିଆ ଭାଷାରେ ନାମଫଳକ ଲେଖିନାହାନ୍ତି । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି । ଏହାସହ ୧୦୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମାମଲା ରୁଜୁ ହୋଇଥିଲା ବେଳେ ଝାରସୁଗୁଡ଼ାରେ ୨୩୭, ଖୋର୍ଦ୍ଧାରେ ୨୦୧ ବ୍ୟବସାୟ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି । ୨୦୧୮ରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ସମ୍ପର୍କିତ ସଂଶୋଧିତ ଆଇନ୍‌ କାର୍ଯ୍ୟକାରୀ ହୋଇଛି । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ୨୦୨୪ରେ ବିଜ୍ଞପ୍ତି ଜାରି ହୋଇଛି । ଗତ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା କ୍ୟାବିନେଟ୍‌ ନିଷ୍ପତ୍ତି ପୂର୍ବକ ସମସ୍ତ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ବାଧ୍ୟତାମୂଳକ କରାଯାଇଛି । ଗତ ଏପ୍ରିଲ୍‌ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ଅବସରରେ ‘ଓଡ଼ିଆ ଭାଷାରେ ନାମଫଳକ ଅଭିଯାନ’ ରାଜ୍ୟବ୍ୟାପି ସଚେତନତା ପଦଯାତ୍ରା ହୋଇଥିଲା । ସବୁ ପରେ ବି ଫଳ ଶୂନ । ଆଇନ୍‌ ଅନୁଯାୟୀ ପ୍ରତି ଜିଲ୍ଲାରେ ନିରୀକ୍ଷକମାନେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଅନ୍ୟ ଭାଷାରେ ଲେଖିଥିଲେ ବି ଓଡ଼ିଆରେ ସ୍ପଷ୍ଟ ଭାବେ ଲେଖିବା ବାଧ୍ୟତାମୂଳକ ରହିଛି । ଯଦି କୌଣସି ପ୍ରତିଷ୍ଠାନ ବା ସଂସ୍ଥାର ମାଲିକ ଏହାର ଖିଲାପ କରନ୍ତି ଏବଂ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ପ୍ରଥମ ଥର ପାଇଁ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦ୍ୱିତୀୟ ଥର ହେଲେ ୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବାର ନିୟମ ରହିଛି । ଏହାପରେ ବି କେହି ଚେତୁନାହାନ୍ତି ।  

ଭାଷାପ୍ରେମୀ ତଥା ଏଥିପାଇଁ ଲଢ଼େଇ ଜାରି ରଖିଥିବା ଭାଷା ସଂଗ୍ରାମୀଙ୍କ କହିବା କଥା, ଅତ୍ୟନ୍ତ ଲଜ୍ଜାକର ଘଟଣା । ସରକାରଙ୍କ ତାଗିଦା ପରେ ଯଦି ପାଳନ ନହେବା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଲଜ୍ଜାଜନକ । ମାତୃଭାଷାର ସୁରକ୍ଷା ପାଇଁ ଯଦି ଲୋକେ ଆଗ୍ରହ ପ୍ରକାଶ ନକରିବେ ତେବେ ଭାଷା କିଭଳି ବଞ୍ଚିବ? ସେହିପରି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ବି ଶତ ପ୍ରତିଶତ ସଫଳ ହୋଇପାରୁ ନାହିଁ । ଏବେ ବି ଅନେକ ସରକାରୀ ପତ୍ର ଇଂରାଜୀ ଭାଷାରେ ହେଉଛି । କେବଳ କମଚାରୀଙ୍କୁ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରଶିକ୍ଷଣ ଦେଲେ ହେବ ନାହିଁ ବରଂ ସରକାରଙ୍କୁ ଓଡ଼ିଆ ଭାଷାରେ ନିଜସ୍ୱ ଲିପି ଓ ଅନୁବାଦ ସଫ୍ଟୱେର୍‌ ପ୍ରସ୍ତୁତ କରି କମ୍ପ୍ୟୁଟର କାର୍ଯ୍ୟକୁ ସହଜ, ସରଳ ଓ ଶୀଘ୍ର କରିବାକୁ ହେବ ।