ଗାଜିଆବାଦ, ୧୧/୯ : ପଶୁପତିନାଥ ଦର୍ଶନ ପାଇଁ ଯାଇଥିଲେ ନେପାଳ। ଚାଲିଗଲା ୟୁପି ମହିଳାଙ୍କ ଜୀବନ। ବିଦ୍ରୋହର ବହ୍ନିରେ ଜଳୁଛି ପଡୋଶୀ ଦେଶ। ନେପାଳ ହିଂସାକାଣ୍ଡରେ ଗାଜିଆବାଦ ନନ୍ଦିଗ୍ରାମ ଥାନା ମାଷ୍ଟର କଲୋନୀର ରାଜେଶ ଗୋଲାଙ୍କ ମୃତ୍ୟୁ ହୋଇଛି। କ୍ରାନ୍ତୀକାରୀମାନେ କାଠମାଣ୍ଡୁ ସ୍ଥିତ ଏକ ହୋଟେଲ୍‌ରେ ନିଆଁ ଲଗାଇଦେବା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ସୁଦ୍ଧା ତାଙ୍କର ମୃତଦେହ ଗାଜିଆବାଦ ଫେରିବ ବୋଲି ସୂଚନା ମିଳିଛି। 

ସୂଚନାନୁଯାୟୀ, ସେପ୍ଟେମ୍ଵର ୭ରେ ଗାଜିଆବାଦ ନନ୍ଦିଗ୍ରାମ ଥାନା ମାଷ୍ଟର କଲୋନୀର ରାମବୀର ସିଂ ଗୋଲା ତାଙ୍କ ପତ୍ନୀ ରାଜେଶ ଗୋଲାଙ୍କ ସହ କାଠମାଣ୍ଡୁ ସ୍ଥିତ ପଶୁପତିନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ପଶୁପତିନାଥଙ୍କ ଦର୍ଶନ ପରେ ଦମ୍ପତି କାଠମାଣ୍ଡୁ ସ୍ଥିତ ହୟାତ ରେସିଡେନ୍ସିର ଚତୁର୍ଥ ମହଲାରେ ରହୁଥିଲେ। ଏହି ମଧ୍ୟରେ ନେପାଳରେ ଜେନ୍-ଜିଙ୍କ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଥିଲା। ଉପଦ୍ରବକାରୀମାନେ ହୋଟେଲରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୟୁପି ଦମ୍ପତି ଜୀବନ ବଞ୍ଚାଇବାକୁ ଚାରି ମହଲା ଉପରୁ ଡେଇଁ ପଡ଼ିଥିଲେ। ଉଦ୍ଧାରକାରୀ ଦଳ ବିଛାଇଥିବା ଗଦି ଉପରେ ଦୁହେଁ ପଡ଼ିଥିଲେ। ହେଲେ ଏହି ସମୟରେ ଉପଦ୍ରବକାରୀମାନେ ପୁଣି ଆକ୍ରମଣ କରିଥିଲେ। ଏଥିରେ ରାଜେଶ ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ନେପାଳରୁ ରାମବୀର ସିଂଙ୍କ ପୁଅ ବିଶାଲଙ୍କ ପାଖକୁ କଲ୍ ଆସିଥିଲା। ରାଜେଶ ଗୋଲାଙ୍କ ଶବ ଆସନ୍ତାକାଲି ସୁଦ୍ଧା ଗାଜିଆବାଦ ସ୍ଥିତ ମାଷ୍ଟର କଲୋନୀରେ ପହଞ୍ଚିବ।