ନୂଆଦିଲ୍ଳୀ,୭।୯: ଅଫିସ୍‌ରେ ରୋମାନ୍ସର ପରିଣାମ ଖୁବ୍ ଭୟଙ୍କର ଯନ୍ତ୍ରଣାଦାୟକ । ଏଥିପାଇଁ ନିକଟରେ ବିଶ୍ୱର ଅନେକ କମ୍ପାନିର ଶୀର୍ଷ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଛି ଅଥବା ସେମାନଙ୍କୁ ଦାୟିତ୍ୱରୁ ବରଖାସ୍ତ କରାଯାଇଛି । ଡିଜିଟାଲ ଯାଞ୍ଚ୍‌ ଓ କଠୋର କର୍ପୋରେଟ୍‌ ନିୟମ ଗୋଟିଏ ଝଟ୍‌କାରେ କେମିତି ସବୁଠୁ ସମ୍ମାନାସ୍ପଦ କ୍ୟାରିଅର୍‌କୁ ଧୂଳିସାତ୍‌କରିଦିଏ, ଏହା ତାର ଝଲକ୍‌ ପ୍ରଦାନ କରିଛି । ରୋମାଣ୍ଟିକ୍‌ ସମ୍ପର୍କ ଅନୁଚିତ ନୁହେଁ । କିନ୍ତୁ ଏହା ଯେତେବେଳେ ବୃତ୍ତିଗତ ସୀମା ଲଂଘନ କରେ, ନୈତିକତା, ପକ୍ଷପାତିତା ଓ କର୍ପୋରେଟ୍‌ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟିକରେ । ୨୦୨୫ର ସବୁଠୁ ହାଇ-ପ୍ରୋଫାଇଲ ଘଟଣା ମଧ୍ୟରେ ଆଷ୍ଟ୍ରୋନୋମର୍‌ ସିଇଓ ଆଣ୍ଡି ବାଇରନ୍‌ଙ୍କ ସହ ସଂଶ୍ଳିଷ୍ଟ ‘କୋଲ୍ଡପ୍ଲେ କିସ୍‌ କ୍ୟାମ୍‌, ନେଷ୍ଟ୍‌ଲେ ସିଇଓ ଲରେଣ୍ଟ୍‌ଫ୍ରିକ୍ସଙ୍କୁ ବହିଷ୍କାର ଏବଂ କୋହଲ୍ସ ସିଇଓ ଆଶ୍‌ଲିବୁକାନନ୍‌ଙ୍କୁ ବହିଷ୍କାର ମାମଲା ଅନ୍ୟତମ । ସେତିକି ନୁହେଁ, ଏହି କାଣ୍ଡ କିଭଳି ଭାବେ ଭବିଷ୍ୟତର ଶୀର୍ଷ ଅଧିକାରୀଙ୍କ ପାଇଁ ସତର୍କତାମୂଳକ କାହାଣୀ ଭାବେ କର୍ପୋରେଟ୍‌ ସଂସ୍କୃତିକୁ ନୂଆ ରୂପ ଦେଇପାରିବ,ତାହା ମଧ୍ୟ ଦର୍ଶାଇଛି । ମ୍ୟାକ୍‌ଡୋନାଲ୍ଡସ ସିଇଓ ଷ୍ଟିଭ୍‌ ଇଷ୍ଟରବ୍ରୁକ୍‌ଙ୍କ ସହ ସଂଶ୍ଳିଷ୍ଟ ଘଟଣାର ଐତିହାସିକ ନଜିର ଏହାର ଅନ୍ୟତମ ବଡ଼ ଉଦାହରଣ ।

କୋଲ୍ଡପ୍ଲେ କିସ୍‌ କ୍ୟାମ୍‌ ସ୍କାଣ୍ଡାଲ:ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍‌
ଗତ ଜୁଲାଇରେ ମାସାଚୁସେଟ୍ସରେ ଆୟୋଜିତ ଏକ କୋଲ୍ଡପ୍ଲେ କନ୍‌ସର୍ଟରେ ଆଷ୍ଟ୍ରୋନୋମର୍‌ ସିଇଓ ଆଣ୍ଡି ବାଇରନ୍‌ ଓ ଚିଫ୍‌ ପିପୁଲ୍‌ ଅଫିସର୍‌ କ୍ରିଷ୍ଟିନ କ୍ୟାବଟ୍‌ ଷ୍ଟାଡିୟମ୍‌ର ‘କିସ୍‌ କ୍ୟାମ୍‌’ରେ ଧରାପଡ଼ିଥିଲେ । ଏହି ଭାଇରାଲ ଫଟୋରେ ଉଭୟଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖିବାକୁ ମିଳିଥିଲା, ଯାହା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ସନ୍ଦେହକୁ ବଢ଼ାଇଥିଲା । ଉଭୟ ବାଇରନ୍‌ ଓ କ୍ୟାବଟ୍‌ ଅନ୍ୟତ୍ର ବିବାହ କରିଥିବାରୁ ସ୍ଥିତି ଅଧିକ ବିବାଦୀୟ ହୋଇଥିଲା । ଲୋକଙ୍କ ହଙ୍ଗାମା ଦେଖି ଉଭୟଙ୍କ ବିରୋଧରେ ଯାଞ୍ଚ୍‌ ଲାଗି କମ୍ପାନି ବୋର୍ଡକୁ ବାଧ୍ୟ କଲା । ବାଇରନ୍‌ ଔପଚାରିକ ଭାବେ ନିଜ ପଦରୁ ଇସ୍ତଫା ଦେବା ପୂର୍ବରୁ ଛୁଟିରେ ରହିଲେ । କ୍ୟାବଟ୍‌ ମଧ୍ୟ ଛୁଟିରେ ରହିଲେ । କିନ୍ତୁ ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଗଲା ନାହିଁ । କମ୍ପାନିର କାର୍ଯ୍ୟାନୁଷ୍ଠାନରେ ପକ୍ଷପାତିତାକୁ ନେଇ ମଧ୍ୟ ଖୁବ୍‌ ବିତର୍କ ହେଲା । ମାତ୍ର କିଛି ସେକେଣ୍ଡ୍‌ର ଦୃଶ୍ୟ କିଭଳି ଏକ ସ୍କାମ୍‌କୁ ଉଜାଗର କରି ହାଇ-ପ୍ରୋଫାଇଲ୍‌ କ୍ୟାରିଅର୍‌କୁ ନଷ୍ଟ କରିପାରେ, ଏହି ଘଟଣା ତା’ର ଜ୍ୱଳନ୍ତ ଉଦାହରଣ ।

ନେଷ୍ଟ୍‌ଲେ ସିଇଓ ଲରେଣ୍ଟ୍‌ ଫ୍ରିକ୍ସ ବହିଷ୍କୃତ
ଚଳିତ ମାସ ୧ ତାରିଖରେ ନେଷ୍ଟ୍‌ଲେ ସିଇଓ ଲରେଣ୍ଟ୍‌ ଫ୍ରିକ୍ସଙ୍କୁ ତାଙ୍କ ପଦରୁ ବହିଷ୍କାର କରାଗଲା । କମ୍ପାନିର ଜଣେ କନିଷ୍ଠ କର୍ମଚାରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ଯାଞ୍ଚ୍‌ରୁ ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଗଲା । ଏହି ସମ୍ପର୍କ କମ୍ପାନିର ନୀତିକୁ ଉଲ୍ଲଂଘନ କରିବା ସହିତ ପକ୍ଷପାତିତା ପ୍ରସଙ୍ଗକୁ ଉଜାଗର କଲା । ନେଷ୍ଟ୍‌ଲେର ହ୍ୱିସିଲ୍‌ବ୍ଲୋଅର୍‌ ଚ୍ୟାନେଲ୍‌ ଜରିଆରେ ଏହି ଘଟଣା ଉଠିଲା, ଯାହାକୁ ପ୍ରଥମେ ଅଣଦେଖା କରାଯାଇଥିଲା । କିନ୍ତୁ ଉଭୟଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିବା ପରେ ମାମଲାକୁ ନେଇ ବିବାଦ ତେଜିଲା । କମ୍ପାନି ଚେୟାରମ୍ୟାନ୍‌ଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାଧୀନ କାଉନ୍‌ସେଲ ମାମଲାର ସତ୍ୟତାକୁ ସ୍ପଷ୍ଟ କଲା । ଦୀର୍ଘ ୪୦ ବର୍ଷ ଧରି କମ୍ପାନିରେ ଶୀର୍ଷ ଦାୟିତ୍ୱରେ ଥିବା ଫ୍ରିକ୍ସଙ୍କୁ ତୁରନ୍ତ ବହିଷ୍କାର କରାଗଲା । କର୍ମସ୍ଥଳୀ ପ୍ରେମ ସମ୍ପର୍କ ଯେତେବେଳେ ନୈତିକ ମାନକକୁ ଦୁର୍ବଳ କରେ, ଦୀର୍ଘ ବର୍ଷ ସେବା ପଦାନ କରିଥିବା ଶୀର୍ଷ ଅଧିକାରୀ ମଧ୍ୟ ଉତ୍ତରଦାୟୀ ହେବାରୁ ବଞ୍ଚିପାରନ୍ତି ନାହିଁ, ଏହି ସ୍କାଣ୍ଡାଲ୍‌ ତା’ଉପରେ ଜୋର୍‌ ଦେଲା ।

କୋହଲ୍ସ ସିଇଓ ପଦ ହରାଇଲେ ଆଶ୍‌ଲି ବୁକାନନ୍‌ :
ଜଣେ ଭେଣ୍ଡର୍‌ଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ସାମ୍ନାକୁ ଆସିବା ପରେ ଆଶ୍‌ଲି ବୁକାନନ୍‌ ଚଳିତ ବର୍ଷ କୋହଲ୍ସ ସିଇଓ ପଦ ହରାଇଲେ । ଏହି ଲୁଚାଛପା ସମ୍ପର୍କ କମ୍ପାନିର ବ୍ୟବସାୟିକ ଚୁକ୍ତିକୁ ପ୍ରଭାବିତ କରିଥିଲା ଏବଂ ଉକ୍ତ ଭେଣ୍ଡର୍‌ଙ୍କ କମ୍ପାନି ପାଇଁ ଅନୁଚିତ ଉପାୟରେ ଲାଭର ମାର୍ଗ ପ୍ରଶସ୍ତ କରିଥିଲା । ଅତି ଅସ୍ୱାଭାବିକ ସର୍ତ୍ତ ଆଧାରରେ ଭେଣ୍ଡର୍‌ଙ୍କ କମ୍ପାନି ସହ ଚୁକ୍ତି ହୋଇଥିବା ଯାଞ୍ଚ୍‌ରୁ ଜଣାପଡ଼ିଲା । ଆଶ୍‌ଲିଙ୍କ ଏଭଳି କାର୍ଯ୍ୟ ଉକ୍ତ ଭେଣ୍ଡର୍‌ଙ୍କ ସହ ଅରବ ଡଲାର ଚୁକ୍ତି ପାଇଁ କମ୍ପାନିକୁ ରାଜି କରାଇଥିଲା । ମାମଲା ସାମ୍ନାକୁ ଆସିବାରୁ ଆଶ୍‌ଲିଙ୍କୁ ତୁରନ୍ତ କମ୍ପାନିରୁ ବହିଷ୍କାର କରାଗଲା । ମାତ୍ର ୧୦୦ ଦିନର ଯାଞ୍ଚ୍‌ ପରେ କମ୍ପାନିରେ ତାଙ୍କର ଦୀର୍ଘ ବର୍ଷର କ୍ୟାରିଅର୍‌ର ଅନ୍ତ ଘଟିଲା ।

ଷ୍ଟିଭ୍‌ ଇଷ୍ଟରବ୍ରୁକ୍‌ ଓ ମ୍ୟାକ୍‌ଡୋନାଲ୍ଡସ : ଜଣେ କନିଷ୍ଠ କର୍ମଚାରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ମାମଲା ସାମ୍ନାକୁ ଆସିବା ପରେ ପୂର୍ବତନ ମ୍ୟାକ୍‌ଡୋନାଲ୍ଡସ ସିଇଓ ଷ୍ଟିଭ୍‌ ଇଷ୍ଟରବ୍ରୁକ୍‌ଙ୍କୁ ୨୦୧୯ରେ କମ୍ପାନି ବହିଷ୍କାର କରିଥିଲା । ଅଧୀନସ୍ଥ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କଠୁ ମ୍ୟାନେଜରଙ୍କୁ ଦୂରେଇ ରଖିବାର କମ୍ପାନିର ନିୟମ ଭଙ୍ଗ କରିବା ପାଇଁ ତାଙ୍କୁ ଏହି ଦଣ୍ଡ ମିଳିଲା । ଇଷ୍ଟରବ୍ରୁକ୍‌ ନିଜ ସମ୍ପର୍କକୁ ସ୍ୱୀକାର କରି ଭୁଲ କରିଥିବା କହିଲେ ଏବଂ କମ୍ପାନିରୁ ବାହାରିଗଲେ । ତେବେ ପରେ ଯାଞ୍ଚ୍‌ରୁ ଜଣାପଡ଼ିଲା, ଅନ୍ୟ କର୍ମଚାରୀଙ୍କ ସହ ତାଙ୍କର ସମ୍ପର୍କ ଥିଲା । ବୋର୍ଡ ଓ ଶେୟାରହୋଲ୍ଡରଙ୍କ ଭୁଲ ମାର୍ଗଦର୍ଶନ ପାଇଁ ପରେ ମ୍ୟାକ୍‌ଡୋନାଲ୍ଡସ ତାଙ୍କ ବିରୋଧରେ ମାମଲା ରୁଜୁ କଲା । ଇଷ୍ଟରବ୍ରୁକ୍‌ ଶେଷରେ ୧୦୫ ମିଲିଅନ୍‌ ଡଲାର୍‌ରୁ ଅଧିକ ନଗଦ ଅର୍ଥ ଓ ଇକ୍ୱିଟି ଫେରାଇବାକୁ ରାଜି ହେଲେ । ୪ ଲକ୍ଷ ଡଲାର ଜରିମାନା ମଧ୍ୟ ଦେଲେ । ଏହି ମାମଲା କାର୍ଯ୍ୟନିର୍ବାହୀଙ୍କ ଭୁଲ ଆଚରଣ ପ୍ରତି ‘କର୍ପୋରେଟ୍‌ ଶୂନ୍ୟ ସହନଶୀଳତା’ ନୀତିର ଏକ ପ୍ରମୁଖ ଉଦାହରଣ ହେଲା ।