ଭୁବନେଶ୍ୱର,୦୧/୧୦: ଡାକ ବିଭାଗ ପକ୍ଷରୁ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା ଆଜିଠାରୁ ଲାଗୁ ହୋଇଛି । ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ସେବାର ଆଧୁନିକିକରଣକୁ ଧ୍ୟାନରେ ରଖି ୧୩ ବର୍ଷ ପରେ ନୂଆ ଶୁଳ୍କ ଘୋଷଣା କରାଯାଇଛି । ୫୦ ଗ୍ରାମ ଓଜନ ପର୍ଯ୍ୟନ୍ତ ସ୍ଥାନିୟ ସ୍ପିଡ୍ ପୋଷ୍ଟର ଦେୟ ୧୯ ଟଙ୍କା ଧାର୍ଯ୍ୟ ହୋଇଛି । ୨୦୦ କିମି ଯାଏ ଏହା ୪୭ ଟଙ୍କା, ୨୦୧ରୁ ୫୦୦ କିମି, ୫୦୦ରୁ ୧ ହଜାର କିମି, ୧୦୦୧ ରୁ ୨ ହଜାର କିମି ଏବଂ ୨ ହଜାର କିମିରୁ ଉଦ୍ଧ୍ୱର୍ ହେଲେ ମଧ୍ୟ ୪୭ ଟଙ୍କା ଦେୟ ଲାଗିବ । ସେହିଭଳି ୫୧ ଗ୍ରାମରୁ ୨୫୦ ଗ୍ରାମ ସ୍ପିଡ୍ ପୋଷ୍ଟ ଲାଗି ସ୍ଥାନିୟ ଅଞ୍ଚଳ ପାଇଁ ଦେୟ ୨୪ ଟଙ୍କା ରହିଛି । ଯାହା ୨୦୦ କିମି ଯାଏ ୫୯ ଟଙ୍କା, ୨୦୧-୫୦୦ କିମି ୬୩ ଟଙ୍କା, ୫୦୧ରୁ ୧୦୦୦ କିମି ୬୮ ଟଙ୍କା, ୧୦୦୧-୨୦୦୦ କିମି ୭୨ ଟଙ୍କା ଏବଂ ୨ ହଜାର କିମିରୁ ଉଦ୍ଧ୍ୱର୍ ଦୂରତ୍ୱ ଲାଗି ୭୭ ଟଙ୍କା ରହିଛି ।
୨୫୧ ରୁ ୫୦୦ ଗ୍ରାମ ବିଶିଷ୍ଟ ସ୍ପିଡ୍ ପୋଷ୍ଟ ସ୍ଥାନିୟ ଚାର୍ଜ ୨୮ ଟଙ୍କା ରହିଛି । ୨୦୦ କିମି ଯାଏ ୭୦ ଟଙ୍କା, ୨୦୧-୫୦୦ କିମି ୭୫ ଟଙ୍କା, ୫୦୧ରୁ ୧୦୦୦ କିମି ୮୨ ଟଙ୍କା, ୧୦୦୧-୨୦୦୦ କିମି ୮୬ ଟଙ୍କା ଏବଂ ୨ ହଜାର କିମିରୁ ଉଦ୍ଧ୍ୱର୍ ଦୂରତ୍ୱ ଲାଗି ଦେୟ ୯୩ ଟଙ୍କା ରହିଛି । ଡକ୍ୟୁମେଣ୍ଟ ଏବଂ ପାର୍ସଲ ପଠାଇବା କ୍ଷେତ୍ରରେ ପ୍ରେରକଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ମୂଲ୍ୟ ଯୁକ୍ତ ସେବା ଲାଗି ପ୍ରତି ସ୍ପିଡ୍ ପୋଷ୍ଟ ଆଇଟମ୍ ଉପରେ ୫ ଟଙ୍କାର ନାମମାତ୍ର ଶୁଳ୍କ ଏବଂ ପ୍ରଯୁଯ୍ୟ ଜିଏସ୍ଟି ଲାଗିବ । ସେହିଭଳି ଓଟିପି ବିତରଣ ମୂଲ୍ୟଯୁକ୍ତ ସେବା ଲାଗି ମଧ୍ୟ ୫ ଟଙ୍କା ଏବଂ ପ୍ରଯୁଯ୍ୟ ଜିଏସ୍ଟି କାର୍ଯ୍ୟକାରୀ ହେବ । ଛାତ୍ରଛାତ୍ରୀ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନପତ୍ର ପଠାଉଥିଲେ ୧୦% ରିହାତି ପାଇବେ । ସେହିଭଳି ନୂତନ ବଲ୍କ ଗ୍ରାହକଙ୍କ ପାଇଁ ୫ ପ୍ରତିଶତ ସ୍ୱତନ୍ତ୍ର ରିହାତି ମିଳିବ ବୋଲି ଡାକ ବିଭାଗ ପକ୍ଷରୁ ସୂଚନା ମିଳିଛି ।