ଭୁବନେଶ୍ୱର, ୧୫/୧୦ : ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ହେବ ନୂଆ ସହର । ନିବେଶକ ଏବଂ ଭୌଗଳିକ ଦୃଷ୍ଟିକୋଣ ଅନୁଯାୟୀ ଏହି ଡିପିଆର ପ୍ରସ୍ତୁତ କରାଯିବ। ସହରକୁ ସମ୍ପୂର୍ଣ୍ଣ ଭାବେ ଟ୍ରାଫିକ୍ ମୁକ୍ତ କରାଯିବ । ଏହା ସହ ସହର ମଝିରେ ରିଭର ଫ୍ରଣ୍ଟ କରିବାକୁ ଯୋଜନା ହୋଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ଡିପିଆର ଆଣିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନା କରିଛି । ସିଙ୍ଗାପୁରର ଖ୍ୟାତନାମା ସୁବର୍ଣ୍ଣ ଜୁରଙ୍ଗ ସଂସ୍ଥା ଏହାର ଡିଜାଇନ୍ କରୁଛି । ଡିଜାଇନ୍ ଶେଷ ପରେ ଏହାର ବିସ୍ତୃତ ପ୍ରସ୍ତାବ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଖରେ ଦାଖଲ ହେବ । ଏହା ପରେ ବିଡିଏକୁ ଡିପିଆର ହସ୍ତାନ୍ତର କରାଯିବ ।
ନୂଆ ସହରରେ ମୁଖ୍ୟ ୧୦ଟି ବିନ୍ଦୁକୁ ଗୁରୁତ୍ୱର ସହ ନିଆଯାଇଛି । ପ୍ରଥମ ଟ୍ରାଫିକ୍ ଭିଡ଼ କମାଇବାକୁ ଯୋଜନା ହୋଇଛି । ସହରରେ ଆଦୌ ଟ୍ରାଫିକ ଛକ ରହିବ ନାହିଁ । ଫ୍ଲାଏ ଓଭର ବ୍ରିଜ୍ ଦ୍ୱାରା ବିଭିନ୍ନ ରାସ୍ତାକୁ ସଂଯୋଗ କରାଯିବ । ଏୟାରପୋର୍ଟରୁ ନୂଆ ସହରକୁ ଏକ ସ୍ୱତନ୍ତ୍ର ଫ୍ଲାଏ ଓଭରବ୍ରିଜ ନିର୍ମାଣ କରାଯିବ । ଯାହାକି ସିଧା ଏୟାରପୋର୍ଟରୁ ନୂଆ ସହରକୁ ସଂଯୋଗ କରିବ । ଜଳବନ୍ଦୀକୁ ଗୁରୁତ୍ୱ ଦେବ ଏହି ନୂଆ ଡିଜାଇନ । ଜଳ ନିଷ୍କାସନ ପାଇଁ ବଡ଼ ବଡ଼ ଡ୍ରେନ୍ ନିର୍ମାଣ କରାଯିବ । ସହରରେ ୪୦ ପ୍ରତିଶତ ସୁବଜିମା ରଖାଯିବ । ସହର ମଝିରେ ରିଭର ଫ୍ରଣ୍ଟ କରିବାର ଯୋଜନା କରାଯାଇଛି । ମୁମ୍ବାଇ ମେରାଇନ ଡ୍ରାଇଭ ଢାଞ୍ଚାରେ ଏହା ତିଆରି ହେବ । ଏହି ରିଭର ଫ୍ରଣ୍ଟ ଚାରି ପାଖରେ ଓପନ ଫୁଡ୍କୋର୍ଟ ରହିବ । ନୂଆ ସହରରେ ବିଶ୍ୱସ୍ତରୀୟ ହସ୍ପିଟାଲ, ସ୍କୁଲ ସହ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ଇନୋଭେସନ ହବ୍ ରହିବ । ଏହା ଟ୍ରାନଜିଟ୍ ଓରିଏଣ୍ଟେଡ୍ ଡେଭଲପ୍ମେଣ୍ଟ ବା ଟିଓଡି ଅଞ୍ଚଳ ରହିବ । ବସ୍ ଓ ମେଟ୍ରୋ ଜରିଆରେ ବିଭିନ୍ନ ଅଞ୍ଚଳକୁ ଯୋଡ଼ାଯିବ ।
ଲୋକ ସୁରକ୍ଷିତ ଓ ବାଧାହୀନ ଭାବେ ଫୁଟପାଥ୍ରେ ଚାଲିବେ । ସାଇକେଲ ପାଇଁ ସ୍ୱତନ୍ତ୍ର କରିଡର ରହିବ । ନିଉ ସିଟିକୁ ମିଟିଂ, କନଫରେନ୍ସ ଓ ଏକଜିବିସନ୍ ଭେନ୍ୟୁ ଭାବେ ବିକାଶ କରାଯିବ । ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ଲୋକେ ଯେଭଳି ବାସ କରିବା ସହ ନିଯୁକ୍ତି ସୁଯୋଗ ପାଇବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଖେଳକୁଦ ଓ ମନୋରଞ୍ଜନ ସୁବିଧା ରହିବ । ପର୍ଯ୍ୟାପ୍ତ ଆବାସିକ ଘର ପାଇଁ ଏକାଧିକ ହାଉସିଂ ଯୋଜନା କାର୍ଯ୍ୟକାରୀ ହେବ । ବିସ୍ତୀର୍ଣ୍ଣ ଖୋଲାସ୍ଥାନ ରହିବ । ବିଡିଏର ଡେପୁଟି କମିଶନର (ଟାଉନ ପ୍ଲାନିଂ) ଭବତରଣ ସାହୁ କହିଛନ୍ତି ଯେ, ସିଙ୍ଗାପୁରର ଘରୋଇ ସଂସ୍ଥାକୁ ଡିପିଆର ପାଇଁ କୁହାଯାଇଛି । ଡିପିଆର ଦେବା ପରେ ଏଗ୍ରିମେଣ୍ଟ କରାଯିବ । ଖୁବ୍ଶୀଘ୍ର ଏହି ଡିପିଆର ଆସିବ।